ପୁରୀ ୬/୧୧ : ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଆୟୁଷ ଛାତ୍ରଛାତ୍ରୀଙ୍କ ଧାରଣା । ଗୁରୁବାର କଳା ବ୍ୟାଚ୍ ପିନ୍ଧି ଧାରଣାରେ ବସିଲେ ଛାତ୍ରଛାତ୍ରୀ ଏବଂ ହାଉସ ସର୍ଜନ । କେବଳ ପୁରୀ ନୁହେଁ ରାଜ୍ୟର ସମସ୍ତ ସରକାରୀ ଆୟୁଷ ମହାବିଦ୍ୟାଳୟରେ ଆଜିଠୁ କଳା ବ୍ୟାଚ୍ ପିନ୍ଧି ୮ ଦଫା ଦାବି ନେଇ ପ୍ରତିବାଦ କରିବେ  । ଦ୍ବନ୍ଦ୍ବରେ ପାଠପଢ଼ି କିଛି ଲାଭ ନାହିଁ, ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ଆୟୁଷ ଛାତ୍ରଛାତ୍ରୀ ଏବଂ ହାଉସ ସର୍ଜନଙ୍କ ପକ୍ଷରୁ କୁହାଯାଇଛି । 


ପିଲାମାନେ ଆହୁରି ମଧ୍ୟ କହିଛନ୍ତି, ୮ ଦଫା ଦାବି ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଥିଲୁ । ସମାଧାନ ହେବ ବୋଲି ସେ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ମାତ୍ର କୌଣସି ଫଳ ମିଳିଲା ନାହିଁ । ବିଭାଗୀୟ ସଚିବଙ୍କୁ ମଧ୍ୟ ସମସ୍ୟା ବିଷୟରେ ଜଣାଇଥିଲୁ, ସେ କହିଲେ, ଆମେ ଉପରକୁ ଜଣାଇ ଦେଇଛୁ, ସରକାର ଯାହା ନିଷ୍ପତ୍ତି ନେବେ । ସବୁଠୁ ସମସ୍ୟା ସମାଧାନ ନେଇ ପ୍ରତିଶ୍ରୁତି ମିଳୁଛି, ମାତ୍ର କୌଣସି କାର୍ଯ୍ୟକାରୀ ହେଉନାହିଁ । ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆୟୁଷ ଛାତ୍ରଛାତ୍ରୀ ଏବଂ ହାଉସ ସର୍ଜନ । ଏହା ସହିତ ପ୍ରଶ୍ନ କରିଛନ୍ତି ଏଠି ପ୍ରକୃତରେ ସରକାର କିଏ ? ରାଜ୍ୟରେ କିଏ ନିଷ୍ପତ୍ତି ନେଉଛନ୍ତି  ? କାହାର କୃପା ଦୃଷ୍ଟି ପଡ଼ିଲେ ଆୟୁଷ ଛାତ୍ରଛତ୍ରୀଙ୍କୁ ଦାବି ପୂରଣ ହେବ ? କିଏ ଚାହିଁଲେ ଓଡ଼ିଶାର ଗରିବ ବୃଦ୍ଧବୃଦ୍ଧା ଆଣ୍ଠୁ ଦରଜ ପାଇଁ ମାଗଣା ଆୟୁର୍ବେଦ ତେଲ ଟିକିଏ ପାଇବ ? ଗରିବ ମା’ର କୋଳରେ ରୋଗରେ କାନ୍ଦୁଥୁବା ଶିଶୁଟି ମାଗଣା ହୋମିଓପାଥି ମେଡ଼ିସିନ୍ ଟିକିଏ ଖାଇକି ହସିବ ? ସବୁଠି ଦାବି ରଖି ନିରାଶ ହେବା ପରେ ସରକାରଙ୍କ ସାମ୍ନାରେ ଏଭଳି କିଛି ପ୍ରଶ୍ନ କରି ଧାରଣାରେ ବସିଛନ୍ତି ପୁରୀ ଆୟୁର୍ବେଦ ମହାବିଦ୍ୟାଳୟର ଆୟୁଷ ଛାତ୍ରଛାତ୍ରୀ ।


ସେମାନଙ୍କ ଛାତ୍ରଛାତ୍ରୀଙ୍କ ଦାବି ହେଉଛି, ଓପିଏସସି ମାଧ୍ୟମରେ ନୂଆ ସ୍ଥାୟୀ  ଆୟୁଷ ମେଡିକାଲ ଅଫିସର ପୋଷ୍ଟ ସୃଷ୍ଟି, ଉଚ୍ଚ ଶିକ୍ଷାରେ ସୁବିଧା ବୃଦ୍ଧି, PG ଓ Ph.D ସିଟ୍ ବଢ଼ାଇବା, ଆୟୁଷ ହାଉସ୍ ସର୍ଜନମାନଙ୍କ ପାଇଁ ଡାଇନାମିକ୍ ଷ୍ଟାଇପେଣ୍ଡ ବୃଦ୍ଧି, ଆୟୁଷ କଲେଜର ଶାସକ ମଣ୍ଡଳୀର ପୁନଃଗଠନ, ଉଭୟ ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ ଆୟୁଷ ମନ୍ତ୍ରାଳୟ ଗେଜେଟ୍‌ର ପୂର୍ଣ୍ଣ ପ୍ରାୟୋଗ, ସମସ୍ତ ରାଜ୍ୟ ସରକାରୀ ଯୋଜନାରେ ନିରାମୟ, ଗୋପବନ୍ଧୁ ଜନ ଆରୋଗ୍ୟ ଆଦିରେ ଆୟୁଷକୁ ସମ୍ମିଳିତ କରିବା, ଆୟୁଷ ଚିକିତ୍ସା ନିମନ୍ତେ ସଚେତନତା ଓ ପ୍ରଚାର, ଆୟୁଷ ବିଭାଗ ସ୍ବତନ୍ତ୍ର ଭାବେ ସ୍ଥାପନା ଆଦି ଦାବି ରଖିଛନ୍ତି ଆୟୁଷ ଛାତ୍ରଛାତ୍ରୀ । ଏହା ମଧ୍ୟ ଚେତାଇ ଦେଇଛନ୍ତି ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା ଜାରି ରହିବ ।