ନୂଆଦିଲ୍ଲୀ, ୦୨/୦୯: ପଞ୍ଜାବରୁ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟଜନକ ଘଟଣା । ପୁଲିସ ଚକମା ଦେଇ ହେପାଜତରୁ ଖସିଗଲେ ଆମ୍ ଆଦମୀ ପାର୍ଟି ବିଧାୟକ ହରମିତ୍ ସିଂହ ଧିଲୋନ । ଦୁଷ୍କର୍ମ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ସୂଚନା ଅନୁଯାୟୀ, ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ବିଧାୟକ ହରମିତ୍ ସିଂହ ଧିଲୋନ୍ ଗିରଫ ହେବା ପରେ ସ୍ଥାନୀୟ ପୁଲିସ ଷ୍ଟେସନକୁ ତାଙ୍କୁ ନିଆଯାଉଥିଲା। ସେହି ସମୟରେ ସେ ପୁଲିସ ହେପାଜତରୁ ଖସି ପଳାଇଥିବା ଅଭିଯୋଗ ହୋଇଛି।
ପଞ୍ଜାବ ପୁଲିସର ସୂଚନା ଅନୁଯାୟୀ, ଆପ୍ ବିଧାୟକ ହରମିତ ସିଂହ ଧିଲୋନ ଏବଂ ତାଙ୍କ ସହଯୋଗୀମାନେ ପ୍ରଥମେ ପୁଲିସ୍ କର୍ମଚାରୀଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ପରେ ତାଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ । ଏଥିରେ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଛନ୍ତି । ଅଭିଯୁକ୍ତମାନେ ଏକ ସ୍କର୍ପିଓ ଏବଂ ଏକ ଫର୍ଚୁନର ଗାଡ଼ିରେ ଫେରାର୍ ହୋଇଯାଇଥିଲେ । ବର୍ତ୍ତମାନ ପୁଲିସ ଫର୍ଚୁନର୍ ଗାଡ଼ିକୁ ଧରିଥିବା ବେଳେ ସ୍କୋର୍ପିଓରେ ଥିବା ବିଧାୟକ ଫେରାର୍ ଅଛନ୍ତି।