ନୂଆଦିଲ୍ଲୀ: ଡ଼ିକେ ଘୋଡା ଛୁଟୁଚି। ବିଧାନସଭା ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ବିହାରର ରାଜନୀତି ପାଣିପାଗ ଉଷ୍ମ ରହିଛି। ଏହି ସମୟରେ ବିହାର ନିର୍ବାଚନକୁ ନେଇ ଏକ ବଡ ଘଟଣା ଦେଖିବାକୁ ମିଳିଛି। ମଖଦୁମପୁର ନିର୍ବାଚନମଣ୍ଡଳୀର ସମର୍ଥକମାନେ ଆରଜେଡି ବିଧାୟକ ସତୀଶ କୁମାରଙ୍କ ବିରୋଧରେ ପ୍ରତିବାଦ କରି ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ରାବିଡି ଦେବୀଙ୍କ ବାସଭବନ ଭିତରକୁ ଧଶେଇ ପଶି ଆସିଥିଲେ। ଯାହାକୁ ନେଇ ଏକ ବଡ଼ ଧରଣର ହଙ୍ଗାମା ଆରମ୍ଭ ହୋଇଯାଇଥିଲା।

ସୂଚନା ମୁତାବକ, ପ୍ରଦର୍ଶନକାରୀମାନେ ଲାଲୁଙ୍କ ବାସଭବନ ଭିତରକୁ ପ୍ରବେଶ କରି ସତୀଶ କୁମାରଙ୍କୁ ଆଗାମୀ ନିର୍ବାଚନ ପାଇଁ ଟିକେଟ୍ ନ ଦିଆଯିବା ଦାବି କରି ସ୍ଲୋଗାନ ଦେଇଥିଲେ। ମଖଦୁମପୁର ବିଧାନସଭା ନିର୍ବାଚନମଣ୍ଡଳୀର ବାସିନ୍ଦା ଏବଂ ସମର୍ଥକ ଭାବରେ ଚିହ୍ନଟ ହୋଇଥିବା ଆନ୍ଦୋଳନକାରୀମାନେ କୁମାରଙ୍କ ପ୍ରାର୍ଥୀତ୍ୱକୁ ତୀବ୍ର ବିରୋଧ କରି ବିଶୃଙ୍ଖଳା ସୃଷ୍ଟି କରିଥିଲେ।

ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେଠାରେ ମୁତୟନ ସୁରକ୍ଷା କର୍ମୀମାନେ ବିକ୍ଷୋଭକାରୀଙ୍କୁ ପଛକୁ ହଟିବାକୁ କହିଥିଲେ। ତେବେ ପ୍ରଦର୍ଶନକାରୀମାନେ ସିଧାସଳଖ ମନା କରିବା ସହ ପରିସର ଭିତରେ ସେମାନଙ୍କର ପ୍ରଦର୍ଶନ ଜାରି ରଖିବାକୁ ଧମକ ଦେଇଥିଲେ। ଘଟଣାସ୍ଥଳରେ ଉପସ୍ଥିତ ସୁରକ୍ଷା କର୍ମୀମାନେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ।

ଏହି ଘଟଣାକ୍ରମ ମଧ୍ୟରେ, ବିହାରରେ ରାଜନୈତିକ ପ୍ରଚାର ପୁରା ଦମରେ ଚାଲିଛି। ତେବେ ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର 5 ରୁ 15 ତାରିଖ ମଧ୍ୟରେ ଛଟ୍ ପୂଜା ପରେ ତିନୋଟି ପର୍ଯ୍ୟାୟରେ ଭୋଟ ହେବାର ସମ୍ଭାବନା ଅଛି। କାରଣ  ଆସନ୍ତା ନଭେମ୍ବର 22 ତାରିଖ ପୂର୍ବରୁ ନୂତନ ବିଧାନସଭା ଗଠନ ହେବାର ଆବଶ୍ୟକତା ରହିଛି।

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶୁକ୍ରବାର ବିଳମ୍ବିତ ରାତିରେ ପଟନାରେ ପହଞ୍ଚିଥିଲେ। ସେ ଆଗାମୀ କିଛି ଦିନ ମଧ୍ୟରେ ହେବାକୁ ଥିବା ହାଇ ଭୋଲ୍ଟେଜ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସମୀକ୍ଷା ଜାରି ରଖିଛନ୍ତି। ତେବେ ବହୁ ଜଲଦି ଏନେଇ ଧାର୍ଯ୍ୟ ତାରିଖ ଘୋଷଣା ହେବାକୁ ଯାଉଛି ବୋଲି ଜଣେ ଅଧିକାରୀ ସମ୍ବାଦ ସରବରାହ ସଂସ୍ଥା ପିଟିଆଇକୁ ସୂଚନା ଦେଇଛନ୍ତି।