କଟକ,୧୦/୧୦: ଜଣେ ବ୍ୟକ୍ତି ୨୦୧୭  ମସିହାରେ ଜବରଦଖଲରେ ଥିବା ଜଳାଶୟରୁ ଉଚ୍ଛେଦ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ । ତାଙ୍କ  ସମସ୍ୟାର ସମାଧାନ ତ’ ହେଲା ନାହିଁ, କିନ୍ତୁ ତାଙ୍କ ସ୍ମାରକପତ୍ର ଉପରେ କି’ ପଦକ୍ଷେପ ନିଆଯାଇଛି  ତାହାର ମଧ୍ୟ କୌଣସି ଠିକ୍‌ ସୂଚନା ମିଳିଲା  ନାହିଁ । ପୂରା ସରକାରୀ ବିଭାଗ ତାଙ୍କ ବିରୋଧରେ ଲାଗିପଡ଼ିଲେ । ସୂଚନା ଅଧିକାର ଆଇନରେ ମାମଲା ରୁଜୁ କରି ରାଜ୍ୟ ସୂଚନା କମିସନରଙ୍କ ନିକଟରୁ ମଧ୍ୟ  ନିରାଶ ହେଲେ । ଦୀର୍ଘ ୭ବର୍ଷ ଧରି ଅଦାଲତି ଅଡ଼ୁଆ  ଭିତରେ ଛନ୍ଦି ହୋଇଯାଇଥିବା ଏଭଳି ଏକ ଘଟଣାରେ  ହାଇକୋର୍ଟ, ସରକାରୀ ଅଧିକାରୀ ତଥା ବ୍ୟବସ୍ଥାକୁ  ନେଇ ଭୀଷଣ କ୍ଷୁବ୍‌ଧ ହୋଇଛନ୍ତି ।    

ସୂଚନା ଆଇନର ଉଦ୍ଦେଶ୍ୟ ବୁଝାଇବାକୁ  ଯାଇ ହାଇକୋର୍ଟ କହିଛନ୍ତି ଯେ, ଗଣତନ୍ତ୍ରକୁ  ମଜଭୁତ୍‌ କରିବା ପାଇଁ ସୂଚନା ଅଧିକାର ଆଇନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କିନ୍ତୁ ଯଦି ଏହି  ଆଇନର ସଦୁପଯୋଗ ନ ହୁଏ ତେବେ ଏହି ଆଇନ ଆସିବାର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ  ନାହିଁ । ଏଭଳି ଏକ ଘଟଣାକୁ ହାଇକୋର୍ଟ ଏକ  ନାଟକର ଚରିତ୍ର ‘ଯୋଶେଫ୍‌’ର ଆଇନଗତ ଲଢ଼େଇ  କଥାକୁ ମନେ ପକାଇ ଦେଇଛନ୍ତି । ଏହି ମାମଲାକୁ  ହାଇକୋର୍ଟ ପୁନର୍ବାର ରାଜ୍ୟ ସୂଚନା କମିସନରଙ୍କ  ନିକଟକୁ ପୁନର୍ବିଚାର ପାଇଁ ପଠାଇ ଦେଇଛନ୍ତି ।  

ସୂଚନା କମିସନରରେ ଆବେଦନକାରୀ ଏବଂ ଅନ୍ୟ  ପକ୍ଷମାନେ ଉପସ୍ଥିତ ରହିବେ । ୪୫ ଦିନ ମଧ୍ୟରେ  ଆବେଦନକାରୀଙ୍କ ଏହି ସ୍ମାରକପତ୍ର ଉପରେ  ଶୁଣାଣି କରି ରାୟ ପ୍ରଦାନ କରିବାକୁ ହାଇକୋର୍ଟ  ସୂଚନା କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ  ୨୦୧୭ରୁ ଆଜି ପର୍ଯ୍ୟନ୍ତ ଆବେଦନକାରୀ ଏହି  ମାମଲା ଲଢ଼ି ଆସୁଥିଲାବେଳେ ଅଯଥାରେ ତାଙ୍କୁ ମାମଲାରେ ଛନ୍ଦି ଦିଆଯାଇଛି । ଏଥିପାଇଁ ଭଦ୍ରକ ତହସିଲ୍‌ଦାରଙ୍କ ଉପରେ ହାଇକୋର୍ଟ ୫୦ ହଜାର  ଟଙ୍କାର ଜରିମାନା କରିଛନ୍ତି । ଡିସେମ୍ବର ୯ ତାରିଖ  ପୂର୍ବରୁ ଆବେଦନକାରୀଙ୍କୁ ଏହି ଜରିମାନା ଅର୍ଥ  ପ୍ରଦାନ ଲାଗି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି ।  ଆବେଦନକାରୀ ହେମନ୍ତ ନାୟକଙ୍କ ପକ୍ଷରୁ ଆଗତ  ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି  ଜଷ୍ଟିସ୍‌ ଭି. ନରସିଂହ ଏହି ରାୟ ଦେଇଛନ୍ତି ।  

ମାମଲାରୁ ଜଣାଯାଇଛି ଯେ, ଭଦ୍ରକ ଜିଲ୍ଲାର କୁଆଁସ  ଗ୍ରାମରେ ଏକ ଜଳାଶୟ ଜମି ଜବରଦଖଲରେ  ରହିଥିଲା । ଉକ୍ତ ଜମିରୁ ଜବରଦଖଲ ହଟାଇବା  ପାଇଁ ଆବେଦନକାରୀଙ୍କ ସମେତ କିଛି ଗ୍ରାମବାସୀ  ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ୨୦୧୭ ଡିସେମ୍ବର ୨୬  ତାରିଖରେ ଚିଠି ଲେଖିଥିଲେ । ଏହା ଉପରେ ରାଜ୍ୟ  ମୁଖ୍ୟ ଶାସନସଚିବଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ ପର୍ଷଦ  ଭଦ୍ରକ ଜିଲ୍ଲାପାଳଙ୍କଠାରୁ ରିପୋର୍ଟ ତଲବ କରିଥିଲେ ।  କିନ୍ତୁ ଏହି ଚିଠି ଦିଆନିଆ ଭିତରେ ଆବେଦନକାରୀଙ୍କ  ଅଭିଯୋଗର ସମାଧାନ ହୋଇପାରି ନଥିଲା । ଫଳରେ  ଆବେଦନକାରୀ ସୂଚନା ଅଧିକାର ଆଇନରେ ତାଙ୍କ  ଅଭିଯୋଗ ଉପରେ କ’ଣ ହୋଇଛି ସେ ସଂକ୍ରାନ୍ତରେ  ଜାଣିବାକୁ ଚାହିଁଥିଲେ । କିନ୍ତୁ ତହସିଲ୍‌ କାର୍ଯ୍ୟାଳୟରୁ  କୌଣସି ସନ୍ତୋଷଜନକ ଉତ୍ତର ନ ମିଳିବାରୁ ସେ  ରାଜ୍ୟ ସୂଚନା କମିସନରଙ୍କ ଦ୍ୱାରସ୍ଥ ହୋଇଥିଲେ ।  

ଏଥିରେ ତହସିଲ୍‌ ପକ୍ଷରୁ ପ୍ରଥମେ କୁହାଗଲା ଯେ,  ଆବେଦନକାରୀଙ୍କ ପ୍ରତ୍ୟେକ ପ୍ରଶ୍ନର ପାରାୱାରୀ ଉତ୍ତର  ରଖାଯାଇଛି । ପୁଣି କୁହାଗଲା ଯେ, ଆବେଦନକାରୀଙ୍କ  ସ୍ମାରକପତ୍ର ମିଳୁନାହିଁ । ଏହି ଉତ୍ତର ଆଧାରରେ  ରାଜ୍ୟ ସୂଚନା କମିସନର ଆବେଦନକାରୀଙ୍କ ଅପିଲ୍‌କୁ  ଖାରଜ କରି ଦେଇଥିଲେ । ଏହି ଆଦେଶ ବିରୋଧରେ  ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।  ପ୍ରଶାସନର ଏଭଳି ଦୋମୁହାଁ ନୀତିକୁ ହାଇକୋର୍ଟ  ତୀବ୍ର ସମାଲୋଚନା କରିବା ସହ ତହସିଲ୍‌ଦାରଙ୍କ  ଉପରେ ୫୦ ହଜାର ଟଙ୍କାର ଜରିମାନା କରିଛନ୍ତି ।