ମାଲକାନଗିରି,୩/୧୦ : ମାଲକାନଗିରି ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିବା ଦ୍ୱାରା ବାଲିମେଳା ଓ ସତିଗୁଡା ଜଳ ଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଫଳରେ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ରରେ ବିଦ୍ୟୁତ ଉତ୍ପନ୍ନ ଓ ଚାଷ ଜମିକୁ ଜଳସେଚନ ପାଇଁ ପାଣିର ଅଭାବ ହେବ ନାହିଁ ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଥିବା ବାଲିମେଳା ଜଳଭଣ୍ଡାରରେ ଗତ ଦୁଇ ଦିନ ହେବ ଜଳସ୍ତର ବୃଦ୍ଧି ପାଇଛି । ବାଲିମେଳା ଜଳଭଣ୍ଡାର ଜଳ ଧାରଣ ଅଧିକ କ୍ଷମତା ୧୫୧୮ଫୁଟ ରହିଛି ଓ ଜଳସ୍ତର ୧୫୧୬ଫୁଟ ଥିବାବେଳେ ଆଜି ଜଳସ୍ତର ୧୫୦୧ଫୁଟକୁ ବୃଦ୍ଧି ପାଇଛି । ଏମିତି ବର୍ଷା ଲାଗି ରହିଲେ ଆଉ ୧୫ଫୁଟ ଜଳସ୍ତର ବୃଦ୍ଧି ହେଲେ ଜଳ ଭଣ୍ଡାର ପୂର୍ଣ୍ଣ ହୋଇଯିବ । ଅଧିକ ଜଳସ୍ତର ବୃଦ୍ଧି ହେଲେ ସ୍ପିଲ ୱେର ଗେଟ ଖୋଲାଯିବ ବୋଲି ଚିତ୍ରକୋଣ୍ଡାସ୍ଥ ବାଲିମେଳା ବନ୍ଧ ଯୋଜନା ପ୍ରକଳ୍ପର ସହକାରୀ ଯନ୍ତ୍ରୀ ଇଂ ଗଦାଧର ପ୍ରଧାନ ସୂଚନା ଦେଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା ବାଲିମେଳା ଜଳଭଣ୍ଡାରରେ ଆବଶ୍ୟକୀୟ ପରିମାଣର ଜଳ ଭର୍ତ୍ତି ହୋଇସାରିଛି । ବାଲିମେଳା ପାୱାର ହାଉସକୁ ଜଳ ଯୋଗାଣରେ କିଛି ଅସୁବିଧା ହେବ ନାହିଁ । ପୋଟେରୁ ଜଳସେଚନ ପ୍ରକଳ୍ପ ପାଇଁ ମଧ୍ୟ ପାଣିର ଅଭାବ ରହିବ ନାହିଁ ବୋଲି ଇଂ ଶ୍ରୀପ୍ରଧାନ କହିଛନ୍ତି ।
ଠିକ୍ ସେହିପରି ମାଲକାନଗିରି ଜିଲ୍ଲା ସଦର ମହାକୁମାଠାରେ ଥିବା ସତିଗୁଡ଼ା ଜଳ ଭଣ୍ଡାରରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ସତୀଗୁଡ଼ା ଜଳଭଣ୍ଡାରରେ ଜଳଧାରଣର ଅଧିକ କ୍ଷମତା ୧୯୪ଫୁଟ ଓ ଜଳସ୍ତର ୧୯୨. ୬୩ ମିଟର ରହିବାସ୍ଥଳରେ ଆଜି ଜଳସ୍ତର ୧୯୨. ୨୦ମିଟରକୁ ବୃଦ୍ଧି ପାଇଛି । ଆଉ ୪୩ମିଟର ହେଲେ ଜଳଭଣ୍ଡାରରୁ ଜଳ କେନାଲକୁ ଛାଡ଼ି ଦିଆଯିବ । ଏବେ ଆଜି ପର୍ଯ୍ୟନ୍ତ ଜଳ ଭଣ୍ଡାର ଯାହା ଜଳ ରହିଛି ସତିଗୁଡା କେନାଲରେ ଜଳ ସେଚନରେ କିଛି ଅସୁବିଧା ହେବ ନାହିଁ ଓ ସହରକୁ ମଧ୍ୟ ଠିକ ଭାବେ ପାନୀୟ ଜଳ ଯୋଗାଣ ହୋଇପାରିବ ବୋଲି ସତିଗୁଡା ମଧ୍ୟମ ଜଳ ସେଚନ ବିଭାଗ କନିଷ୍ଟ ଯନ୍ତ୍ରୀ ଇଂ ଚୈତନ୍ୟ ସାଗର ସୂଚନା ଦେଇଛନ୍ତି।
ଏମିତି ବର୍ଷା ଲାଗି ରହିଲେ ଦୁଇଟି ଯାକ ଜଳ ଭଣ୍ଡାରରେ ଅଧିକ ଜଳ ଜଳସ୍ତର ବୃଦ୍ଧି ପାଇ ବିପଦ ସଙ୍କେତ ଟପିବାର ବହୁତ ସମ୍ଭାବନା ରହିଛି । ଗତ ୨୪ଘଣ୍ଟାରେ ମାଲକାନଗିରି ଜିଲ୍ଲାର ୭ଟି ଯାକ ବ୍ଲକ ଅଞ୍ଚଳରେ ମୋଟ ୯୨ମିଲିମିଟର ଓ ଜିଲ୍ଲାରେ ସର୍ବମୋଟ ହାରାହାରି ୧୩. ୧୪ମିଲିମିଟର ବର୍ଷା ହୋଇଛି। ଗତ ୨ତରିଖରେ ୭ଟି ଯାକ ବ୍ଲକରେ ମୋଟ ୬୩. ୪ମିଲିମିଟର ଓ ହାରାହାରି ୯. ୪୬ମିଲିମିଟର ବର୍ଷା ହୋଇଥିବାବେଳେ ଗତ ୨୭ତାରିଖରେ ସର୍ବାଧିକ ୭ଟି ଜାକ ବ୍ଲକ ଅଞ୍ଚଳରେ ୪୬୩ମିଲିମିଟର ଓ ହାରାହାରି ୬୬.୧୮ପ୍ରତିଶତ ମିଲିମିଟର ବର୍ଷା ହୋଇଥିବା ଜିଲ୍ଲା ଜରୁରୀ କାଳୀନ ବିଭାଗ ସୂତ୍ରରୁ ସୂଚନା ମିଳିଛି।