ଭୁବନେଶ୍ୱର ୦୨/୧୦: ଆଜି ଦଶହରା, ବିଜୟା ଦଶମୀରେ ଅସତ୍ୟ ଉପରେ ସତ୍ୟର ହେବ ଜୟ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ଦଶମୀ ପୂଜା। ମନ୍ତ୍ର ଧ୍ବନିରେ କମ୍ପୁଛି ଗାଁଠୁ ସହର। ତେବେ ଦଶହରାକୁ ଫିକା ପକାଇପାରେ ବର୍ଷା। ରାବଣ ପୋଡ଼ିକୁ ନେଇ ଚିନ୍ତାରେ ପୂଜା କମିଟି।

ଚଳିତଥର ପୁଣି ୮ଟି ସ୍ଥାନରେ  ରାବଣ ପୋଡ଼ି ହେବ ବୋଲି  କମିଶନରେଟ୍‌ ପୁଲିସ ପୂଜା  କମିଟିଗୁଡ଼ିକୁ ଅନୁମତି ପ୍ରଦାନ  କରିଛି ।  ସେଥିମଧ୍ୟରେ  ବରମୁଣ୍ଡା, ସୁନ୍ଦରପଦା ନହରକଣ୍ଟା, କୋରଡକଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍‌ସ  ରୋଡ୍‌ ଓ କପିଳପ୍ରସାଦ ଖେଳପଡ଼ିଆ  ଆଦି ରହିଛି । ନୂଆପଲ୍ଲୀ ଓ ଝାଡ଼ପଡ଼ାରେ ରାବଣପୋଡ଼ି ହେବନି । ତେବେ ବରମୁଣ୍ଡାରେ ଅଧିକ ଜନଗହଳି ହେବାର ସମ୍ଭାବନା ରହିଛି।  ଗତବର୍ଷ  ୧୦ଟି ସ୍ଥାନ ଓ ତା’ପୂର୍ବବର୍ଷ ୮ଟି  ସ୍ଥାନରେ ରାବଣ ପୋଡ଼ି ହୋଇଥିଲା ।  

ରାବଣ ମୋଡ଼ି ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି।  ଅଗ୍ନିଶମ ବିଭାଗ ଓ କମିଶନରେଟ୍ ପୁଲିସ ମିଳିତ ଯାଞ୍ଚ ୮ଟି ସ୍ଥାନରେ ରାବଣ ପୋଡ଼ି ପାଇଁ ଅନୁମତି ଦିଆଯାଇଛି। ଝାଡ଼ପଡ଼ା ରାବଣ ପୋଡ଼ି ହେଉନ ଥିବାରୁ ବରମୁଣ୍ଡାରେ ଅଧିକ ଭିଡ଼ ଜମିବା ଆଶଙ୍କା କରାଯାଇଛି। ତେଣୁ ଜାତୀୟ ରାଜପଥରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବାରଣ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। 
 
ଅନ୍ୟପଟେ ରାବଣ ପୋଡ଼ି ପାଇଁ ନିରୂପଣ ହୋଇଥିବା ସ୍ଥାନ ୫୦୦ ମିଟର ଦୂରତା ପର୍ଯ୍ୟନ୍ତ କୌଣସି ଲୋକ ରହିପାରିବେନି। ୧୦୦ ମିଟର ଦୂରରେ ବ୍ୟାରିକେଟ୍ ରହିବ। କେବଳ ଦୁଇ ଜଣ ବାଣୁଆ ଫୁଟାବାକୁ ଅନୁମତି ରହିଛି। ଏଥିସହିତ ସରକାରୀ ଲ୍ୟାସେନ୍ସ ପ୍ରାପ୍ତ ବାଣ ଦୋକନୀରୁ ବାଣ କିଣି ବ୍ୟବହାର କରିବାକୁ ନିର୍ଦେ୍ଦଶ ଦିଆଯାଇଛି। ସୁପ୍ରିମକୋର୍ଟ ଗାଇଡ଼ଲାଇନ୍ ଅନୁଯାୟୀ ସାଉଣ୍ଡ ଡେସିବଲ୍ ଅନୁଯାଇ ବାଣ ଫୁଟାଇବାକୁ କୁହାଯାଇଛି।