ରାୟଗଡା,୯।୧୦ : ରୋଚକ ମୋଡରେ ପହଞ୍ଚିଲା ରାୟଗଡା ପୌରାଧକ୍ଷ୍ୟ ଅନସ୍ଥାପ୍ରସ୍ତାବ ନିର୍ବାଚନ ମାମଲା । ପୌରାଧ୍ୟକ୍ଷଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ଉପରେ ଗୁରୁବାର ମତଦାନ ହୋଇଥିବା ବେଳେ ହାଇକୋର୍ଟଙ୍କ ନିର୍ଦେଶ ଫଳରେ ଫଳାଫଳ ଘୋଷଣାକୁ ସ୍ଥଗିତ ରଖାଯାଇଛି । ଫଳରେ ଭୋଟବକ୍ସକୁ କଡା ସୁରକ୍ଷା ମଧ୍ୟରେ ରାୟଗଡା ଜିଲ୍ଲା କୋଷାଗାରରେ ସିଲ୍ ବକ୍ସ ଭିତରେ ରଖାଯାଇଛି ।
ଅନାସ୍ଥା ପ୍ରସ୍ତାବକୁ ନେଇ ଗତମାସରେ ପୌରାଧକ୍ଷ୍ୟା ଶୁଭ୍ରା ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗୁରୁବାର ହାଇକୋର୍ଟ ମାମଲାର ଶୁଣାଣୀ କରି ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
ରାୟଗଡା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ଭୋଟ ଗ୍ରହଣ ହୋଇଛି। ଏଥିରେ ୨୧ ଜଣ କାଉନସିଲର ଉପସ୍ଥିତ ଥିଲେ। ଅନାସ୍ଥା ପ୍ରସ୍ତାବ ସାମ୍ନା କରୁଥିବା ଶୁଭ୍ରା ପଣ୍ଡା ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକାଙ୍କ ସହ ଭୋଟିଂ ସ୍ଥଳକୁ ଆସିଥିଲେ। ତେବେ ଅନାସ୍ଥା ପ୍ରସ୍ତାବ ଆଣିଥିବା ୧୯ ଜଣ କାଉନସିଲର ଏକାଠି ହୋଇ ଆସିଥିବା ଦେଖିବାକୁ ମିଳିଥିଲା।
ସୂଚନାଯୋଗ୍ୟ ଯେ, ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ବିଜେଡି କାଉନସିଲରମାନଙ୍କୁ ଅଣଦେଖା କରି ଆସୁଥିବା ଓ କୌଣସି କାମରେ ସହଯୋଗ କରୁନଥିବା ଅଭିଯୋଗ କରି ବିଜେଡିର ୧୯ ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ।