ନୂଆଦିଲ୍ଲୀ ୦୭/୧୦: ଯୌତୁକ ନ ମିଳିଲେ ଆଜି ବି ବିବାହ ଭାଙ୍ଗିଯାଉଛି । କେଉଁଠି ବରଯାତ୍ରୀ ଫେରିଯାଉଛନ୍ତି, ଆଉ କେଉଁଠି ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡୁଛି । ଯୌତୁକ ବିରୋଧୀ ଆଇନ ସତ୍ତେ୍ୱ ଏହି କୁପ୍ରଥା ଆଜି ବି ଲୋକଙ୍କ ବିଚାରଧାରାରେ ବଞ୍ଚିଛି । ଏଠାରେ କିନ୍ତୁ ଓଲଟା ମାମଲା ସାମ୍ନାକୁ ଆସିଛି । ବର ଯୌତୁକ ନେବାକୁ ମନା କରିବାରୁ ବିବାହ ଭାଙ୍ଗିଯାଇଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି । ଲୋକେ ଘଟଣା ଉପରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।
କିଏ ବରର ସଚ୍ଚୋଟତାକୁ ପ୍ରଶଂସା କରୁଛି, ଆଉ କିଏ ଶ୍ୱଶୁରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଉଛି । ଜଣେ ୟୁଜର୍ ଇଣ୍ଟର୍ନେଟ୍ରେ ଏହି କାହାଣୀ ଶେୟାର କରିଛନ୍ତି । ଘଟଣାଟି ତାଙ୍କ ଦାଦାଙ୍କ ପୁଅ ସହ ହୋଇଥିବା ସେ କହିଛନ୍ତି । ସେ ଲେଖିଛନ୍ତି, ତାଙ୍କ ଭାଇ ବୁଦ୍ଧିବିଚାରକ୍ଷମ ଓ ରୋଜଗାରକ୍ଷମ । ବିବାହ ପାଇଁ ତାଙ୍କ ପାଖକୁ ଏକ ଭଲ ପ୍ରସ୍ତାବ ଆସିଲା । ପୁଅ ଓ ଝିଅ ପରସ୍ପରକୁ ପସନ୍ଦ କଲେ । ଉଭୟଙ୍କ ପରିବାର ମଧ୍ୟ ବିବାହ ପାଇଁ ରାଜି ଥିଲେ । କିନ୍ତୁ ଯୌତୁକ ପାଇଁ ବିବାହ ଭାଙ୍ଗିଗଲା । ଝିଅର ବାପା ଅନେକ ଥର ଯୌତୁକ ଦେବା କଥା ଉଠାଉଥିଲେ । ରେଞ୍ଜ୍ ରୋଭର କିମ୍ବା ଡୁପ୍ଲେକ୍ସ ଦେବା କଥା ସେ କହୁଥିଲେ । କିନ୍ତୁ ତାଙ୍କ ଭାଇ ପ୍ରତ୍ୟେକ ଥର ଏହାକୁ ପ୍ରତ୍ୟାଖ୍ୟାନ କରୁଥିଲେ । ଶେଷରେ ଝିଅର ବାପା ବାହାଘର ଭାଙ୍ଗି କହିଲେ, ଯଦି ସେ ଯୌତୁକ ନେଉନାହାନ୍ତି ତେବେ ନିଶ୍ଚୟ ତାଙ୍କର କିଛି ଦୋଷ ଅଛି ।
ବରର ଭାଇ ଆହୁରି ଲେଖିଛନ୍ତି, ଝିଅର ବାପା କହିଲେ ଯେ ଉଚ୍ଚ ସ୍ତରର ବ୍ୟକ୍ତି ନିଜର ମୂଲ୍ୟ ଜାଣେ । ସାଓମି ଓ ଭିଭୋ ଭଳି ଫୋନ୍ ଶସ୍ତାରେ ମିଳିଯାଏ । କିନ୍ତୁ ଲୋକେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଆଇଫୋନ୍ କିଣନ୍ତି, କାରଣ ତା’ର ମୂଲ୍ୟ ଥାଏ । ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା, ବର ଯଦି ଯୌତୁକ ନେଉନାହିଁ, ତେବେ ସେ ଯୋଗ୍ୟ ନୁହେଁ । ଏହି ପୋଷ୍ଟ୍ ଭାଇରାଲ ହେବା ମାତ୍ରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି ।