ନୂଆଦିଲ୍ଲୀ: ରବିବାର ଦିନ ଦକ୍ଷିଣ ଚୀନ ସାଗରରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ପୃଥକ ପୃଥକ ଦୁର୍ଘଟଣାରେ ଦୁଇଟି ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଏହି ଦୁଇ ବିମାନ ମଧ୍ୟରେ ଏକ MH-60R ସିହକ୍ ହେଲିକପ୍ଟର ଏବଂ ଏକ F/A-18F ସୁପର ହର୍ନେଟ୍ ଲଢ଼ୁଆ ବିମାନ ସାମିଲ ରହିଛି, ଯାହା ଏହାର ବିଶ୍ୱାନୀୟତା ଅନେକ ପ୍ରଶ୍ନ ଉଠାଇଛି। ତେବେ ଆମେରିକୀୟ ନୌସେନା ଏହି ଦୁର୍ଘଟଣା ଘଟିଥିବା ସ୍ୱୀକାର କରିଛି, ତେବେ ଭୂରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଦକ୍ଷିଣ ଚୀନ ସାଗରରେ ଏହି ବିମାନଗୁଡ଼ିକ କ’ଣ କରୁଥିଲେ ତାହା ପ୍ରକାଶ କରିନାହିଁ। ତଥାପି, ସୋମବାର ଦିନ ଚୀନ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଏକ ସାମରିକ ଅଭ୍ୟାସ ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଆନ୍ତର୍ଜାତିୟ ଖବର ସରବରାହ ସଂସ୍ଥା ରଏଟର୍ସ ଜାରି କରିଥିବା ରିପୋର୍ଟ ଅନୁସାରେ, ଏହି ଦୁର୍ଘଟଣା ପରେ ଚୀନର ବୈଦେଶିକ ମନ୍ତ୍ରଣାଳୟ ଆମେରିକାକୁ ସମସ୍ତ ମାନବିକ ସହାୟତା ଯୋଗାଇବାକୁ ଇଚ୍ଛୁକ ବୋଲି ପ୍ରକାଶ କରିଛି। ଏନେଇ ମୁଖପାତ୍ର ଗୁଓ ଜିଆକୁନ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅନ୍ୟପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଆମେରିକୀୟ ନୌସେନା ନିଜ ଆଡୁ ତଦନ୍ତ ଆରମ୍ଭ କରିଛି।
ଆମେରିକୀୟ ନୌସେନାର ସବୁଠାରୁ ପୁରୁଣା ବିମାନ ବାହକ ତଥା ବିଶ୍ୱର ସର୍ବବୃହତ ଯୁଦ୍ଧଜାହାଜ ୟୁଏସଏସ ନିମିଜ୍ ଦକ୍ଷିଣ ଚୀନ୍ ସାଗରରେ ଜାରି ରହିଥିବା ଅପରେସନ ସମୟରେ ଏହି ଘଟଣା ଘଟିଛି। ଏହି ଅଞ୍ଚଳକୁ ନେଇ ଦୀର୍ଘଦିନ ଧରି କ୍ଷେତ୍ରୀୟ ବିବାଦ ଏବଂ ଭୂ-ରାଜନୈତିକ ଉତ୍ତେଜନା ଜାରି ରହିଛି।
ଆମେରିକାର ପ୍ରଶାନ୍ତ ମହାସାଗରୀୟ ନୌବାହିନୀ ଦେଇଥିବା ସୂଚନା ଅନୁଯାୟୀ, "ବ୍ୟାଟଲ୍ କ୍ୟାଟ୍ସ" ନାମରେ ଜଣାଶୁଣା ହେଲିକପ୍ଟର ମାରିଟାଇମ୍ ଷ୍ଟ୍ରାଇକ୍ ସ୍କ୍ବାଡ୍ରନ୍ ୭୩ ପାଇଁ MH-60R ସିହକ୍ ହେଲିକପ୍ଟରଟି ନିୟୋଜିତ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟା ୪୫ (ସ୍ଥାନୀୟ ସମୟ) ସମୟରେ USS ନିମିଜ୍ ରୁ ନିୟମିତ ଅପରେସନ ଜାରି ରଖିଥିବା ସମୟରେ ଏହି ହେଲିକପ୍ଟରଟି ହଠାତ୍ ସମୁଦ୍ରରେ ଖସି ପଡ଼ିଥିଲା। ଏହି ହେଲିକପ୍ଟରରେ ତିନି ଜଣ କ୍ରୁ ସଦସ୍ୟ ଥିଲେ। ତେବେ ସମସ୍ତଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।
ଏହି ଘଟଣା ଘଟିବାର ପ୍ରାୟ ୩୦ ମିନିଟ୍ ପରେ, ଷ୍ଟ୍ରାଇକ୍ ଫାଇଟର୍ ସ୍କ୍ୱାଡ୍ରନ୍ ୨୨ ର ଏକ F/A-18F ସୁପର ହର୍ନେଟ୍ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇ ସମୁଦ୍ରରେ ଖସିପଡିଥିଲା। ତେବେ ଜେଟ୍ରେ ଥିବା ଦୁଇ କ୍ରୁ ସଦସ୍ୟ ବାହାରକୁ ବାହାରି ଆସିଥିଲେ ଏବଂ କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ୧୧ ର ସନ୍ଧାନ ଏବଂ ଉଦ୍ଧାରକାରୀ ଦଳ ଦ୍ୱାରା ସେମାନଙ୍କୁ ଉଦ୍ଧାର କରାଯାଇଥିଲା। ପ୍ୟାସିଫିକ୍ ଫ୍ଲିଟ୍ ରିପୋର୍ଟ କରିଛି ଯେ ଉଭୟ ଘଟଣାର ସମସ୍ତ କ୍ରୁ ସଦସ୍ୟ ମାନଙ୍କୁ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।