ମାଲକାନଗିରି, ୨୮/୧୦ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ଼ ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା କର୍ମୀ। ଫୁଲବାଗଡ଼ି ବଡେଶେଟ୍ଟି ଜଙ୍ଗଲ ରାସ୍ତାରେ ପ୍ରାୟ ୪୦କିଲୋଗ୍ରାମ ଓଜନର ଏକ ଆଇଇଡି ବୋମାକୁ ଠାବ କରିଥିଲେ ଯବାନ। ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ମାଓବାଦୀମାନେ ରାସ୍ତାରେ ଏହି ଲ୍ୟାଣ୍ଡମାଇନ ଖଞ୍ଜି ଥିଲେ ।

ଡିଆରଜି ଓ ସିଆରପିଏଫ ମିଳିତ ଭାବେ ପାଟ୍ରୋଲିଂ ଯାଉଥିବା ସମୟରେ ଏହି ବିସ୍ଫୋରକ ଠାବ କରିଥିଲେ। ପରେ ବୋମା ନିଷ୍କ୍ରିୟକାରୀ ଦଳ ସୁରକ୍ଷିତ ଭାବେ ଆଇଇଡିକୁ ନିଷ୍କ୍ରିୟ କରିଥିଲେ । ଯବାନ କିମ୍ବା ସାଧାରଣ ଲୋକଙ୍କ ନିକଟରେ ଏହା ବିସ୍ଫୋରଣ ହୋଇଥିଲେ ଭାରି କ୍ଷତି ହୋଇଥାଆନ୍ତା। ତେବେ ଏହାପରେ ଅଞ୍ଚଳରେ ଯାଞ୍ଚ ଅଭିଯାନକୁ ବଢାଇ ଦିଆଯାଇଛି।