ଭୁବନେଶ୍ବର, ୦୩/୧୦: ଆନ୍ଧ୍ରପ୍ରଦେଶରେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟର ଶିଳାଲେଖ । ରିଡସ୍କଭର ଲଷ୍ଟ ହେରିଟେଜ୍‌ (RLH) ଗ୍ରୁପ୍‌ ଦ୍ୱାରା ଗୁଣ୍ଟୁର ଜିଲ୍ଲା ଭଟ୍ଟିଚେରୁକୁରୁ ମଣ୍ଡଳ ଚିନ୍ତାପଲ୍ଲିପାଡୁ ଗାଁରୁ ଗୁରୁତ୍ୱପୂର୍ଣ୍ଣ ପ୍ରତ୍ନତାତ୍ତ୍ୱିକ ପୁନଃଆବିଷ୍କାର ହୋଇଛି । ମହାନ ଗଜପତି ମହାରାଜା କପିଳେନ୍ଦ୍ରଦେବଙ୍କ ଶାସନକାଳୀନ ୧୫ଶ ଶତାବ୍ଦୀର ଗୋଟିଏ ଶିଳାଲିପି ସମ୍ପର୍କରେ ତଥ୍ୟ ଏହି ଐତିହାସିକ ଅନୁସନ୍ଧାନ ଦ୍ବାରା ଲୋକଲୋଚନକୁ ଆସିଛି। ଏହି ଶିଳାଲିପି ଗଜପତି କପିଳେନ୍ଦ୍ରଙ୍କ ଆତ୍ମୀୟ ଏବଂ କୋଣ୍ଡବିଡୁର ପ୍ରାଦେଶିକ ଶାସକ ଗଣଦେବ ରାଉତରାୟ ମହାପାତ୍ରଙ୍କ ସମ୍ବନ୍ଧୀୟ ବୋଲି ଜଣାପଡିଛି। ରିଡିସ୍କଭର ଲଷ୍ଟ୍ ହେରିଟେଜ୍ ଗ୍ରୁପର ତିନି ସଦସ୍ୟ ଦୀପକ କୁମାର ନାୟକ, ରବିନ୍ଦ୍ର କୁମାର ରଣା ତଥା ବିକ୍ରମ କୁମାର ନାୟକ ଏହି ଐତିହ୍ୟ ଅନୁସନ୍ଧାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଏହି ପୁନଃଆବିଷ୍କାର ସମ୍ପର୍କରେ ଅଧିକ ସୂଚନା ଦେଇ ସର୍ଭେ ଟିମର ସଦସ୍ୟ ରବିନ୍ଦ୍ର କୁମାର ରଣା, କହିଛନ୍ତି ଯେ ଏହି ଶିଳାଲିପିର ସୂଚନା ପ୍ରଥମେ ୧୯୧୭ ମସିହାର 'Annual Report on South Indian Epigraphy' ରେ ପ୍ରକାଶିତ ହୋଇଥିଲା । ଏହି ଶିଳାଲିପି ଗଜପତି କପିଳେନ୍ଦ୍ର ଦେବଙ୍କ ସମୟର ହେବା ସହ ଶକାବ୍ଦ ୧୩୭୬ (ଖ୍ରୀଷ୍ଟାବ୍ଦ ୧୪୫୪)ରେ ଏକ ହନୁମାନ ସ୍ତମ୍ଭରେ ସଂସ୍କୃତ ଭାଷା ଓ ତେଲୁଗୁ ଲିପିରେ ଉତ୍ତକୀର୍ଣ୍ଣ କରାଯାଇଥିଲା। ଶିଳାଲିପିଯୁକ୍ତ ହନୁମାନ ସ୍ତମ୍ଭଟି ପରବର୍ତ୍ତୀ ସମୟରେ ଚିନ୍ତାପଲ୍ଲିପାଡୁ ଗ୍ରାମର ରାମ ମନ୍ଦିର ସମ୍ମୁଖରେ ପ୍ରତିଷ୍ଠିତ ହୋଇଥିବା ଦେଖାଯାଇଛି । ୧୯୧୭ର ବାର୍ଷିକ ରିପୋର୍ଟରୁ ଶିଳାଲେଖଟିରେ ଗଣଦେବ ରାଉତରାୟଙ୍କ ନାମ ଉଲ୍ଲେଖ ଥିବା ସ୍ପଷ୍ଟ ହୋଇଛି । ସ୍ତମ୍ଭର ଅଧିକାଂଶ ଅଂଶ ସିମେଣ୍ଟ ତଳେ ପୋତି ହୋଇ ରହିଥିବାରୁ କେବଳ କିଛି ଧାଡି କ୍ଷୟପ୍ରାପ୍ତ ଅକ୍ଷରମାତ୍ର ହିଁ ବର୍ତ୍ତମାନ ଦୃଶ୍ୟମାନ ହେଉଛି । ଏହି ସ୍ତମ୍ଭରେ ହନୁମାନ, ଗରୁଡ଼ ଏବଂ ସୂର୍ଯ୍ୟ-ଚନ୍ଦ୍ରଙ୍କ ଚିହ୍ନ ଖୋଦିତ ହୋଇଛି, ବୋଲି ଶ୍ରୀ ରଣା କହିଛନ୍ତି।

ସର୍ଭେ ଟିମ୍‌ର ନେତୃତ୍ୱ କରିଥିବା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଥିଲେ ଯେ, ଗଣଦେବ ରାଉତରାୟଙ୍କ ନାମ ୧୪୫୫ ମସିହାର କୋଣ୍ଡବିଡୁର ଏକ ତାମ୍ରଶାସନରେ ମଧ୍ୟ ଉଲ୍ଲେଖିତ । ୧୪୫୩ ଖ୍ରୀଷ୍ଟାବ୍ଦ ଅଗଷ୍ଟମାସ ପରେ, କପିଳେନ୍ଦ୍ର ଦେବଙ୍କ ଓଡ଼ିଆ ସେନାବାହିନୀ କୃଷ୍ଣା ନଦୀ ଅତିକ୍ରମ କରି କୋଣ୍ଡବିଡୁ ଦୁର୍ଗକୁ ଜୟ କରିଥିଲେ। ଏହି ବିଜୟ ପରେ, ଗଣଦେବଙ୍କୁ କୋଣ୍ଡାବିଡୁ, ଅଡ଼ାଙ୍କି ଓ ବିନୁକୋଣ୍ଡାର ପରୀକ୍ଷା (ପ୍ରାଦେଶିକ ଶାସକ) ଭାବରେ ନିଯୁକ୍ତ କରାଯାଇଥିଲା । ୧୯୧୭ ମସିହାର ରିପୋର୍ଟରୁ ଜଣାପଡ଼େ ଯେ ଗଣଦେବ ଚିନ୍ତାପଲ୍ଲିପାଡୁରୁ ଚଦାଲୁଭାଡାର ରାଘବେଶ୍ୱର ମନ୍ଦିରକୁ ଦାନ କରିଥିଲେ । କୋଣ୍ଡବିଡୁର ଏକ ତାମ୍ରଶାସନରୁ ମଧ୍ୟ ଏହା ଜଣାପଡ଼େ ଯେ ଗଣଦେବ ସୂର୍ଯ୍ୟବଂଶୀ ପରିବାରର ଥିଲେ ଏବଂ ଗୁହିଦେବ ପାତ୍ରଙ୍କ ପୁତ୍ର ଥିଲେ । ଗଣଦେବ ଗଜପତି କପିଳେନ୍ଦ୍ରଙ୍କ ସେନାରେ ଯୁଦ୍ଧ କରିବା ସମୟରେ ଦୁଇଜଣ ତୁରକ୍ଷ ରାଜପୁତ୍ରଙ୍କୁ ପରାଜିତ କରିଥିଲେ ବୋଲି ଦୀପକ ନାୟକ କହିଛନ୍ତି।

ଏହି ଐତିହ୍ୟ ଅନୁସନ୍ଧାନର ଗୁରୁତ୍ୱକୁ ଉଲ୍ଲେଖ କରି RLH ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ବିକାଶ ପ୍ରସାଦ ଦାସ, କହିଛନ୍ତି ଯେ ଏହି ପୁନଃଆବିଷ୍କାର ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶଉଭୟ ରାଜ୍ୟର ପାରସ୍ପରିକ ଇତିହାସ ପାଇଁ ଅମୂଲ୍ୟ । ଆମର ସର୍ଭେ ଟିମ୍‌ ଦକ୍ଷିଣ ଭାରତରେ ପ୍ରାଚୀନ କଳିଙ୍ଗ ଇତିହାସ ସହ ସମ୍ପୃକ୍ତ ଐତିହାସିକ କୀର୍ତ୍ତିରାଜିର ସନ୍ଧାନ ନିମନ୍ତେ ଅବିରତ ପ୍ରୟାସ କରିଆସୁଛି ଏବଂ  ଖୁବ ଶୀଘ୍ର ଏହି ଅମୂଲ୍ୟ ତଥ୍ୟଗୁଡ଼ିକର ଉପରେ ପର୍ଯ୍ୟବେଷିତ ଗୋଟିଏ ପୁସ୍ତକ ପ୍ରକାଶ କରାଯିବାକୁ ଆମେ ଯୋଜନା କରୁଛୁ।