ସୁବର୍ଣ୍ଣପୁର, ୧୬/୦୯: ୨୩୬ ପିଲାଙ୍କୁ ପଢାଉଛନ୍ତି ମାତ୍ର ୪ଜଣ ସାର୍ । ଛାତ୍ରଛାତ୍ରୀଙ୍କ ଅନୁପାତରେ ସ୍କୁଲରେ ୯ଜଣ ଶିକ୍ଷକ ରହିବା କଥା । ହେଲେ ୫ଜଣ କମ୍ ଶିକ୍ଷକ ଅଛନ୍ତି । ଯାହାକୁ ନେଇ ପିଲାଙ୍କ ପାଠ ପଢିବାକୁ ନେଇ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ଶିକ୍ଷକ ନିଯୁକ୍ତି ଦାବି କରି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ କୁମାରକେଲି ପ୍ରାଥମିକ ବିଦ୍ୟାଳୟର ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ ।
ସୂଚନା ଅନୁସାରେ ଉକ୍ତ ବିଦ୍ୟାଳୟରେ ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ୨୩୬ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ହେଲେ ୯ଜଣ ଶିକ୍ଷକଙ୍କ ବଦଳରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ସମେତ ମାତ୍ର ୪ଜଣ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଅର୍ଥାତ୍ ୫ଜଣ ଶିକ୍ଷକ କମ୍ ଥିବାକୁ ପିଲାଙ୍କ ପାଠପଢାରେ ସମସ୍ୟା ଉପୁଜିଛି । ଛାତ୍ରଛାତ୍ରୀଙ୍କ ଅନୁସାରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ଏନେଇ ପୂର୍ବରୁ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି କରିଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏଣୁ ଆଜି ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି ।
ଆବଶ୍ୟକ ଅନୁସାରେ ଶିକ୍ଷକ ନିଯୁକ୍ତି କରିବା ପାଇଁ ଦାବି ହୋଇଛି । ଖବର ପାଇ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଶିକାରୀ ମୁକେଶ ଭୋଇ ପହଁଚି ଆଲୋଚନା କରିଛନ୍ତି । ହେଲେ ଗୋଷ୍ଠୀ ଶିକ୍ଷାଧିକାରୀ ଆସି ପ୍ରତିଶ୍ରୁତି ଦେଲେ ବିଦ୍ୟାଳୟର ତାଲା ଖୋଲିବ ବୋଲି ଅଭିଭାବକ କହିଛନ୍ତି । ତେବେ ପିଲାଙ୍କ ଭିବଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷା ଅଧିକାରୀ କି ପଦକ୍ଷେପ ନେଉଛନ୍ତି ତାହା ସମୟ ସାପେକ୍ଷ ।