ନୂଆଦିଲ୍ଲୀ,୨୮/୦୭: ଦେଶର ସର୍ବବୃହତ୍ତ ଆଇଟି କମ୍ପାନି ଟାଟା କନ୍ସଲ୍ଟାନ୍ସି ସର୍ଭିସେସ (ଟିସିଏସ୍) ଏହାର କର୍ମଚାରୀ ସଂଖ୍ୟାରେ ହ୍ରାସ ଘଟାଇବାକୁ ନିଷ୍ପତ୍ତି ନେଇଛି । କମ୍ପାନୀ ଏହାର କର୍ମଚାରୀ ସଂଖ୍ୟାରେ ପ୍ରାୟ ୨ ପ୍ରତିଶତ ଛଟେଇ କରିବ । ଆଗାମୀ ବର୍ଷ ମଧ୍ୟରେ ପ୍ରାୟ ମଧ୍ୟମ ଏବଂ ବରିଷ୍ଠ ସ୍ତରରେ ଥିଲା ୧୨ ହଜାରରୁ ଅଧିକ କର୍ମଚାରୀଙ୍କୁ କମ୍ପାନି ଛଟେଇ କରିବ ବୋଲି କହିଛି ।
ଯୁଦ୍ଧ ଯୋଗୁ ବିଶ୍ୱ ବଜାରର ଅନିଶ୍ଚିତତା ସ୍ଥିତି ଏବଂ ଏଆଇ ଭିତ୍ତିକ ଟେକ୍ନୋଲୋଜି ଯୋଗୁ ବଜାର ଚାହିଦା ପ୍ରଭାବିତ ହୋଇଛି । ଏଭଳି ଗୁରୁତ୍ୱପୂର୍ଣ୍ଣ ଦିଗକୁ ନଜରରେ ରଖି କମ୍ପାନି ଛଟେଇ ନିଷ୍ପତ୍ତି ନେଇଥିବା କୁହାଯାଇଛି । ଜୁନ ଶେଷ ସୁଦ୍ଧା ଟିସିଏସ୍ରେ ୬.୧୩ ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।ଏହାର ମୋଟ୍ ଶ୍ରମଶକ୍ତିର ୨% ବା ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିବ । କମ୍ପାନି ସାରା ବିଶ୍ୱରେ ଥିବା ଏହାର ବିଭିନ୍ନ କାର୍ଯ୍ୟାଳୟରୁ ମଧ୍ୟମ ଏବଂ ବରିଷ୍ଟ ଗ୍ରେଡ୍ରୁ ଏହି ଛଟେଇ କରିବ । ତେବେ ଏହା ସେବା ଯୋଗାଣକୁ ପ୍ରଭାବିତ କରିବନି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି । ଏକ ସାକ୍ଷତକାରରେ ସୂଚନା ଦେଇ ଟିସିଏସ୍ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେ. କୃତିବାସନ୍ କହିଛନ୍ତି, ଟେକ୍ନୋଲୋଜି ଦ୍ରୁତ ପରିବର୍ତ୍ତନକୁ ନଜରରେ ରଖି ଟିସିଏସ୍କୁ ଅଧିକ ସ୍ମାର୍ଟ ଓ ଭବିଷ୍ୟତକୁ ଆଖି ଆଗରେ ରଖି କାମ କରିବାକୁ ପଡ଼ିବ । କମ୍ପାନି ବ୍ୟାପକ ରଣନୀତିରେ ଏହା ଅଂଶ ବୋଲି କୃତିବାସନ କହିଛନ୍ତି ।
ଜୁନିୟର ସ୍ତରରେ ଛଟେଇ ହେବ ନାହିଁ ବୋଲି ସିଇଓ କହିଛନ୍ତି । ଭବିଷ୍ୟତରେ ଦକ୍ଷତା ହାସଲ କରିବାକୁ କମ୍ପାନିମାନେ ଏପରି କରୁଛନ୍ତି । ପ୍ରଭାବିତ କର୍ମଚାରୀଙ୍କୁ ଟ୍ରାଞ୍ଜିସନ ସମୟରେ ସବୁ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯିବ । ନୋଟିସ୍ ପରିୟଡରେ କର୍ମଚାରୀ ମାନେ ପେମେଣ୍ଟ, ଅତିରିକ୍ତ ପ୍ୟାକେଜ, ଆଉଟ୍ପ୍ଲେସମେଣ୍ଟ ଏବଂ ବର୍ଦ୍ଧିତ ବୀମା ସୁବିଧା ପ୍ରଦାନ କରିବ ବୋଲି କମ୍ପାନି ସ୍ପଷ୍ଟ କରିଛି ।