କରୁର୍: ତାମିଲନାଡୁରେ ତାମିଲଗା ବେତ୍ରି କଜଗମ୍ (ଟିଭିକେ) ପ୍ରମୁଖ ଏମ୍.ଏଚ୍.ଏମ୍. ବିଜୟଙ୍କ ନିର୍ବାଚନି ପ୍ରଚାର ରାଲିରେ ଶନିବାର ଦିନ ଏକ ଭୟଙ୍କର ଦଳାଚକଟା ଘଟଣା ଘଟିଛି। ଯେଉଁଥିରେ ୩୯ ଜଣଙ୍କର ମୃତ୍ୟୁ ହେଇଛି। ମୃତକଙ୍କ ମଧ୍ୟରେ ୧୬ ଜଣ ମହିଳା ଏବଂ ୧୦ ଜଣ ଶିଶୁ ରହିଥିବା ସୂଚନା ମିଳିଛି। ଏହା ତାମିଲନାଡୁରେ ବିଗତ ଦଶନ୍ଧିର ସବୁଠୁ ବଡ ଦୁର୍ଘଟଣା ଭାବେ ପରିଗଣିତ ହୋଇଛି।

କରୁର୍ ଜିଲ୍ଲାରେ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ଆୟୋଜିତ ଏହି ରାଲିରେ ୧୦,୦୦୦ ଲୋକ ଜମା ହେବେ ବୋଲି ଆଶା କରାଯାଉଥିଲା କିନ୍ତୁ ଘଟମାସ୍ଥଳରେ ଅନୁମାନିକ ଭାବେ ୫୦,୦୦୦ ଲୋକ ଉପସ୍ଥିତ ଥିଲେ। ସ୍ଥାନର ଆକାର ମାତ୍ର ୧.୨୦ ଲକ୍ଷ ବର୍ଗ ଫୁଟ୍ ଥିଲା, ଯାହା ଭିଡ଼ ବଢ଼ିବା ପରେ ଦଳାଚକଟା ଘଟଣାର ମୁଖ୍ୟ କାରଣ ହୋଇଥିଲା।

ଖାଲି ଏତିକି ନୁହେଁ, ଭିଡ଼ ମଧ୍ୟରେ ଠେଲାପେଲାରେ ଅନେକ ଲୋକ ଅଚେତ ହୋଇପଡ଼ିଥିଲେ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପରେ ବିଜୟ ତାଙ୍କ ଭାଷଣ ମଝିରେ ବନ୍ଦ କରି ପରିସ୍ଥିତି ନିୟନ୍ତ୍ରଣ ପାଇଁ ସୂଚନା ଦେଇଥିଲେ। ବର୍ତ୍ତମାନ ସୁଦ୍ଧା ଇଣ୍ଟେନ୍ସିଭ୍ କେୟାର୍ ୟୁନିଟ୍ (ଆଇସିୟୁ)ରେ ୫୧ ଜଣ ଗୁରୁତର ଆହତଙ୍କ ଚିକିତ୍ସା ହେଉଥିବା ଜଣାପଡିଛି। ଏହି ଘଟଣାରେ ଦଳିୟ କର୍ମୀ ଓ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।

ତେବେ ସବୁଠୁ ଅଧିକ ଚିନ୍ତାର ବିଷୟ ହେଉଛି ଯେ, ଜଣେ ୯ ବର୍ଷୀୟ ଶିଶୁ ଏହି ଭିଡ଼ମଧ୍ୟରେ ନିଖୋଜ ହୋଇଯାଇଛି। ପରିବାର ଓ ପୋଲିସ ନିଖୋଜ ଶିଶୁଟିର ସନ୍ଧାନ ଜାରି ରଖିଛନ୍ତି। ତହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଏନେଇ କୌଣସି ସୂଚନା ମିଳିପାରିନାହିଁ।

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ଏ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଦଳାଚକଟା ଘଟଣାରେ ମୋଟ୍ ୩୯ ଜଣଙ୍କର ମୃତ୍ୟୁ ହୋଇଥିବା ବିଷୟରେ ସେ ସୂଚନା ଦେଇଛନ୍ତି। ସେହିଭଳି ସମସ୍ତ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମଧ୍ୟ ଘୋଷଣା କରିଛନ୍ତି। ଏହାସହ ସେ ଏହି ଘଟଣାର ତଦନ୍ତ ପାଇଁ ଏକ ତଦନ୍ତ କମିଶନ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାର ଅଧ୍ୟକ୍ଷତା ଅବସରପ୍ରାପ୍ତ ହାଇକୋର୍ଟ୍ ନ୍ୟାୟମୂର୍ତ୍ତି ଆରୁଣା ଜଗଦୀଶନ୍ କରିବେ ବୋଲି ସୂଚନା ମିଳିଛି।

ଷ୍ଟାଲିନ କାରୁର୍ ଯାଇ ସମସ୍ତ ମୃତକ ଓ ଆହତଙ୍କ ପରିବାରକୁ ଭେଟିଛନ୍ତି। ସେ କହିଛନ୍ତି, "ଆମର ରାଜ୍ୟର ଇତିହାସରେ ଏହା ପର୍ଥମ। ଆଗରୁ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଏତେ ବଡ଼ ସଂଖ୍ୟକ ଲୋକଙ୍କର ମୃତ୍ୟୁ ଘଟିନାହିଁ  ଏଭଳି ଭୟଙ୍କର ଅବହେଳା ଆଦୌ ଗ୍ରହଣିୟ ନୁହେଁ।"

ତାମିଲନାଡୁ ପୋଲିସ ଟିଭିକେର କରୁର୍ ଜିଲ୍ଲା ସଚିବ ମାଥିୟାଜଗନଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି। ଏଡିଜିପି (ଲକ୍ ଆନ୍ଡ୍ ଅର୍ଡର୍) ଏସ୍. ଡେଭିଡ୍ସନ୍ ଡେଭାସିର୍ବାଥମ୍ ୩୯ ଜଣଙ୍କର ମୃତ୍ୟୁ ନିଶ୍ଚିତ କରିଛନ୍ତି ଏବଂ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଚେନ୍ନାଇରେ ବିଜୟଙ୍କ ଘର ନିକଟରେ ପୋଲିସ ସୁରକ୍ଷା ବଢ଼ାଇ ଦେଇଛି।

ସେହିଭଲି ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜୟ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, "ମୋର ହୃଦୟ ଭାଙ୍ଗି ଯାଇଛି; ମୁଁ ଅସହନୀୟ ଓ ଅବର୍ଣ୍ଣନୀୟ ଦୁଃଖ ଓ ଯନ୍ତ୍ରଣାରେ ରହିଛି। କରୁର୍ ଦଳାଚକଟା ଘଟଣାରେ ଜୀବନ ହରାଇଥିବା ମୋ ପ୍ରିୟ ଭାଇ-ଭଉଣୀଙ୍କ ପରିବାରକୁ ଗଭୀର ଶୋକସନ୍ତବନା ପ୍ରକାଶ କରୁଛି। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକମାନଙ୍କ ଶୀଘ୍ର ସୁସ୍ଥ ହେବାପାଇଁ ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।"

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାକୁ "ଅତ୍ୟନ୍ତ ଦୁଃଖଦାୟକ" କହିବା ସହ ଶୋକସନ୍ତପ୍ତ ମୃତକଙ୍କ ପରିବାର ପାଇଁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।