ନୂଆଦିଲ୍ଲୀ,୮/୧୦: ଦେଶର ସବୁଠାରୁ ବଡ଼ ବିଜ୍‌ନେସ୍‌ ହାଉସ୍‌ ଟାଟା ଗ୍ରୁପ୍‌ରେ ଦେଖାଦେଇଛି ଅଶାନ୍ତି । ଗତବର୍ଷ ଅକ୍ଟୋବରରେ ରତନ ଟାଟାଙ୍କ ଦେହାନ୍ତ ପରେ ଏବେ ଟାଟା ଗ୍ରଷ୍ଟରେ ମତଭେଦ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି । ବୋର୍ଡରେ ନିଯୁକ୍ତିକୁ ନେଇ ଟ୍ରଷ୍ଟିମାନଙ୍କ ମଧ୍ୟରେ ମତାନ୍ତର ଏବଂ ଗଭର୍ଣ୍ଣାଂଶ ସମସ୍ୟାଗୁଡ଼ିକ ମଧ୍ୟରେ ଟାଟା ଗ୍ରୁପ୍‌ର ଶୀର୍ଷ ଅଧିକାରୀମାନେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି । ଅଧିକାରୀମାନଙ୍କ ମଧ୍ୟରେ ରହିଥିଲେ ଟାଟା ଟ୍ରଷ୍ଟ୍‌ସ ଅଧ୍ୟକ୍ଷ ନୋଏଲ୍‌ ଟାଟା ଏବଂ ଟାଟା ସନ୍ସ ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ ପ୍ରମୁଖ ।

ରିପୋର୍ଟ ଅନୁସାରେ, ବୈଠକ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଶାହଙ୍କ ବାସଭବନରେ ନୋଏଲ୍‌ ଟାଟା, ଏନ୍‌ ଚନ୍ଦ୍ରଶେଖରନ, ଟାଟା ଟ୍ରଷ୍ଟ୍‌ସର ଉପାଧ୍ୟକ୍ଷ ବେଣୁ. ଶ୍ରୀନିବାସନ ଏବଂ ଟ୍ରଷ୍ଟି ଡେରିୟସ ଖମ୍ବାଟା ଏକାଠି ପହଞ୍ଚିଥିଲେ । ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିଥିଲେ । ଗଭର୍ଣ୍ଣାଂଶ ଏବଂ ବୋର୍ଡ ନିଯୁକ୍ତି ନେଇ ଟାଟା ଟ୍ରଷ୍ଟ୍‌ ସଦସ୍ୟମାନଙ୍କ ମଧ୍ୟରେ ଭିତିରିଆ କନ୍ଦଳ ସ୍ଥିତିରେ ଏହି ବୈଠକ ହୋଇଛି । ତେବେ ଏ ମତଭେଦ ୧୮୦ ବିଲିୟନ ଡଲାରର ଟାଟା ସାମ୍ରାଜ୍ୟର ପରିଚାଳନାକୁ ପ୍ରଭାବିତ କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏସବୁ ମଧ୍ୟରେ ସରକାର ମାମଲାରେ ହସ୍ତକ୍ଷେପ କରି ସ୍ଥିତିକୁ ସ୍ୱାଭାବିକ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଟାଟା ସନ୍ସରେ ଟାଟା ଟ୍ରଷ୍ଟ୍‌ର ପ୍ରାୟ ୬୬% ଅଂଶଧନ ରହିଛି । ଲୁଣଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିବା ଟାଟା ଗ୍ରୁପ୍‌ରେ ଏହାର ଅଧିକ ପ୍ରଭାବ ରହିଛି ।

ଗଣମାଧ୍ୟମ ସୂତ୍ର ଅନୁସାରେ, ଟ୍ରଷ୍ଟିମାନେ ବିଭାଜିତ ହୋଇଯାଇଛନ୍ତି । ଗୋଟିଏ ପକ୍ଷ ନୋଏଲ୍‌ ଟାଟାଙ୍କ ସପକ୍ଷରେ ଅଛନ୍ତି, ଯିଏକି ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟ୍‌ର ମଙ୍ଗ ସମ୍ଭାଳିଛନ୍ତି । ଅନ୍ୟ ଏକ ପକ୍ଷ ମେହଲି ମିସ୍ତ୍ରୀଙ୍କ ସପକ୍ଷରେ ରହିଛନ୍ତି । ମେହଲି ମିସ୍ତ୍ରି ବି ଜଣେ ଟ୍ରଷ୍ଟି, ଯିଏକି ସାପୁର୍‌ଜୀ ପାଲୋନ୍‌ଜୀ ପରିବାର ସହ ଜଡ଼ିତ । ଟାଟା ସନ୍ସରେ ସାପୁର୍‌ଜୀ ପାଲୋନ୍‌ଜୀ ପରିବାରର ପ୍ରାୟ ୧୮.୩୭% ଅଂଶଧନ ରହିଛି । ମିସ୍ତ୍ରିଙ୍କ ଅନୁସାରେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରୁ ତାଙ୍କୁ ବାହାରେ ରଖାଯାଉଛି । ବିବାଦ ହେଉଛି ଏପରି । ଟ୍ରଷ୍ଟି ଏହାକୁ ନେଇ ବିଭାଜିତ ଅଛନ୍ତି ଯେ, ଟାଟା ସନ୍ସ ଉପରେ ଟାଟା ଟ୍ରଷ୍ଟ୍‌ର ନିୟନ୍ତ୍ରଣ କିପରି ହେବା ଦରକାର । ଟାଟା ସନ୍ସ ବୋର୍ଡରେ ଟ୍ରଷ୍ଟ ତରଫରୁ କିଏ କିଏ ନିର୍ଦ୍ଦେଶକ ହେବେ । ଏହାକୁ ନେଇ ମଧ୍ୟ ସହମତି ହୋଇନାହିଁ ଯେ, ବୋର୍ଡ ବୈଠକରେ ହେଉଥିବା ଆଲୋଚନାଗୁଡ଼ିକର ସୂଚନା ଅନ୍ୟ ଟ୍ରଷ୍ଟିମାନଙ୍କୁ ଦିଆଯିବ । ବୋର୍ଡରୁ ବିଜୟ ସିଂହଙ୍କୁ ବିଦା କରାଯିବା ପରେ ବିବାଦ ଅଧିକ ତେଜିଛି । ବିଜୟ ସିଂହ ପୂର୍ବରୁ ପ୍ରତିରକ୍ଷା ସଚିବ ରହି ଆସିଥିଲେ । ତାଙ୍କୁ ଟାଟା ସନ୍ସର ନୋମିନି ନିର୍ଦ୍ଦେଶକ ପଦରୁ ହଟାଇ ଦିଆଯାଇଛି । ବେଣୁ ଶ୍ରୀନିବାସନ ଏବଂ ନୋଏଲ୍‌ ଟାଟା ବିଜୟ ସିଂହଙ୍କ ବହିଷ୍କାରକୁ ବିରୋଧ କରୁଥିଲେ । ସେମାନେ ମେହଲୀ ମିସ୍ତ୍ରିଙ୍କୁ ବୋର୍ଡରେ ନିଯୁକ୍ତି କରିବାର ପ୍ରସ୍ତାବକୁ ବି ବିରୋଧ କରିଥିଲେ । ମେହଲୀ ମିସ୍ତ୍ରି ବି ଜଣେ ଟ୍ରଷ୍ଟି । କିନ୍ତୁ ଟ୍ରଷ୍ଟି ପ୍ରମିତ ଝାବେରୀ, ଡେରିୟସ ଖମ୍ବାଟା ଏବଂ ଜହାଙ୍ଗୀର ଜହାଙ୍ଗୀର ମେହଲୀ ମିସ୍ତ୍ରିଙ୍କ ନିଯୁକ୍ତିଙ୍କୁ ସମର୍ଥନ କରିଥିଲେ ।