ନୂଆଦିଲ୍ଲୀ : ଆତଙ୍କୀ ସଙ୍ଗଠନ ଜୈସ୍‌ର ମହିଳା ବ୍ରିଗେଡ୍। ଜମାତ୍‌-ଉଲ୍‌ ମୁମିନାତ୍‌ରେ ମିଳିବ ନିଯୁକ୍ତି । ହାର୍ଡକୋର୍ ଆତଙ୍କୀ ହେବାକୁ ମହିଳାଙ୍କୁ ଦିଆଯିବ ଅନଲାଇନ୍ ଟ୍ରେନିଂ। ଲାଇଭ୍‌ ସେସନ୍‌ରେ କ୍ଲାସ୍ ନେବେ ମସୁଦ୍‌ ଆଝାରର ଦୁଇ ଭଉଣୀ। ୪୦ ମିନିଟ୍ ଯାଏଁ ଚାଲିବ ଜିହାଦ ପାଠପଢା। ଏହି ପାଠ୍ୟକ୍ରମର ନାମ ରହିଛି 'ତୁଫାତ୍ ଅଲ ମୁମିନାତ୍'। ଏଥିରେ ଭାଗ ନେବାକୁ ଆବେଦନ କରିପାରିବେ ଇଚ୍ଛୁକ ଥିବା ପାକିସ୍ତାନୀ ମହିଳା। ତେଣୁ ପ୍ରତିଯୋଗୀମାନେ ଏକ ଅନ୍‌ଲାଇନ୍‌ ଫର୍ମ ଜରିଆରେ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଦାଖଲ କରିବେ। ଏଥିପାଇଁ ୫୦୦ ପାକିସ୍ତାନୀ ଟଙ୍କା ଚାନ୍ଦା ଦେବାକୁ ପଡ଼ିବ। ନଭେମ୍ବର ୮ରୁ ଏହି ପାଠ୍ୟକ୍ରମ ଆରମ୍ଭ ହେବ। 

ଜୈସ୍‌ର ମୁଖ୍ୟ ମସୁଦ୍‌ ଆଝାରର ଦୁଇ ଭଉଣୀ ସମାୟରା, ସାଦିୟାଙ୍କ ସମେତ ସଂଗଠନର ତୁଙ୍ଗ ନେତ୍ରୀମାନେ ଏହାର ମୋର୍ଚ୍ଚା ସମ୍ଭାଳିବେ। ସେମାନେ ପ୍ରତିଯୋଗୀମାନଙ୍କୁ ଜିହାଦ, ଧର୍ମ ଏବଂ ଇସ୍‌ଲାମ ବିଚାରଧାରା ସଂପର୍କରେ ତାଲିମ ଦେବେ । ମସୁଦ୍‌ ଆଝାର ଏହି ମହିଳା ବ୍ରିଗେଡ୍‌ର ଦାୟିତ୍ୱ ସାନ ଭଉଣୀ ସାଦିୟା ଓ ଆତଙ୍କୀ ଉମର ଫାରୁକ୍‌ର ପତ୍ନୀ ଅଫରିରା ଫାରୁକ୍‌କୁ ଦେଇଛି । ସାଦିୟାର ସ୍ୱାମୀ ୟୁସୁଫ୍‌ ଅଜହର 'ଅପରେସନ୍‌ ସିନ୍ଦୂର' ସମୟରେ ପ୍ରାଣ ହରାଇଥିଲା । ସେହିପରି ପୁଲୱାମା ଆକ୍ରମଣରେ ସାମିଲ ଥିବା ଉମର ଫାରୁକ୍‌ ସୁରକ୍ଷାବଳ ଏନ୍‌କାଉଣ୍ଟରରେ ନିପାତ ହୋଇଥିଲା। 

ଅକ୍ଟୋବର ୮ରେ ମସୁଦ୍‌ ଆଝାର ଜମାତ୍‌-ଉଲ୍‌ ମୁମିନାତ୍‌ର ସ୍ଥାପନା ସଂପର୍କରେ ଘୋଷଣା କରିଥିଲା। ପିଓକେର ରାୱଲକୋଟ୍‌ରେ ମହିଳାମାନଙ୍କୁ ଏହି ସଙ୍ଗଠନରେ ସାମିଲ କରିବାକୁ ପ୍ରୋତ୍ସାହିତ କରିଥିଲା। ଏଥିପାଇଁ ଅକ୍ଟୋବର ୧୯ରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାକିସ୍ତାନର କଟ୍ଟରପନ୍ଥୀ ସାମାଜିକ ମାନଦଣ୍ଡ ଅନୁସାରେ ମହିଳାମାନେ ଏକୁଟିଆ ବାହାରକୁ ବାହାରିବାକୁ ଅନୁଚିତ। ତେଣୁ ଜୈସ୍‌ ଏବେ ଆଇଏସ୍‌, ହମାସ୍‌, ଏଲଟିଟିଇ ଶୈଳୀରେ ଆତଙ୍କୀ ବ୍ରିଗେଡ୍‌ରେ ମହିଳାଙ୍କୁ ନିଯୁକ୍ତି ଦେବା ଲାଗି ଅନ୍‌ଲାଇନ୍‌ ପ୍ଲାଟଫର୍ମକୁ ବ୍ୟବହାର କରୁଛି । ଏପରିକି ମହିଳା ବ୍ରିଗେଡ୍‌ର ସଦସ୍ୟଙ୍କୁ ଆତ୍ମଘାତୀ ଆକ୍ରମଣ ଲାଗି ବ୍ୟବହାର କରାଯାଇପାରେ ବୋଲି କୁହାଯାଉଛି।

ଜୈସ୍‌ର ଏହି ଜିହାଦ ପାଠ୍ୟକ୍ରମ ଘୋଷଣା ପରେ ପାକିସ୍ତାନର ଦୋମୁହାଁ ନୀତି ସାମ୍ନାକୁ ଆସିଛି। ଗୋଟିଏ ପଟେ ପାକିସ୍ତାନ ଫାଇନାନ୍ସିଆଲ୍‌ ଆକ୍ସନ୍‌ ଟାସ୍କ ଫୋର୍ସର ନିୟମାବଳୀକୁ ପାଳନ କରୁଥିବା ଦାବି କରୁଛି। ଆତଙ୍କବାଦ ସହ ଜଡି଼ତ କୌଣସି ଗତିବିଧିକୁ ଫଣ୍ଡିଂ କରୁନଥିବା କହୁଛି। ଅନ୍ୟପଟେ ଧାର୍ମିକ କିମ୍ବା ଅନ୍‌ଲାଇନ୍‌ ପାଠ୍ୟକ୍ରମ ଜରିଆରେ ଜୈସ୍‌ ଭଳି ସଂଗଠନକୁ ପାଣ୍ଠି ସଂଗ୍ରହ ଲାଗି ଅନୁମତି ଦେଉଛି। 

​​​​​​​