ଭୁବନେଶ୍ୱର, ୧୪/୧୦: ମହାନ୍ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡ. ଚନ୍ଦ୍ରଭାନୁ ଶତପଥୀ ତାଙ୍କର ଆମେରିକା ଗସ୍ତର ତୃତୀୟ କାର୍ଯ୍ୟକ୍ରମରେ ରେଡ଼ମଣ୍ଡ ସହରକୁ ଆସିଥିଲେ । ପ୍ରଖ୍ୟାତ ମାଇକ୍ରୋସଫ୍ଟ କାର୍ଯ୍ୟାଳୟ ପାଇଁ ଏହି ସହର ପ୍ରସିଦ୍ଧ । ଏହି କାର୍ଯ୍ୟାଳୟର ପରିସରରେ ଶନିବାର ଭାରତୀୟ ଅଧିବାସୀମାନଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ସାଇ ମାଙ୍ଗଲ୍ୟ କାର୍ଯ୍ୟକ୍ରମ ।
ଗୁରୁଜୀ ଡ. ଶତପଥୀ କ୍ୟାମ୍ପ୍ସ ପରିସରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ହାର୍ଦ୍ଦିକ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଗୁରୁଜୀ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଉଦ୍ଘାଟନ କରି ଭାରତର ମହାନ୍ ସଂସ୍କୃତିର ଅବତାରଣା କରିଥିଲେ । ମହାଭାରତ ସମୟରୁ ଭାରତର ଦିଗନ୍ତପ୍ରସାରୀ ସଂସ୍କୃତିର ମୂଳତତ୍ତ୍ୱ ଉପରେ ଆଲୋକପାତ କରି ସେ ନିଜର ସଂସ୍କୃତିର ମୂଲ୍ୟକୁ ବଜାୟ ରଖି ଅନ୍ୟର ସଂସ୍କୃତିକୁ ସମ୍ମାନ ପ୍ରଦର୍ଶନ କରିବା ଆମର ଧର୍ମ । ଅନ୍ୟର ସଂସ୍କୃତିକୁ ସମ୍ମାନ କରୁଥିବା ସଂସ୍କୃତି ଶ୍ରେଷ୍ଠ ସଂସ୍କୃତି । ଯେଉଁ ସଂସ୍କୃତି ଏହା କରେ ନାହିଁ ତାହା ସବୁଠାରୁ ନିତ୍କୃଷ୍ଟ ସଂସ୍କୃତି । ଶିରିଡ଼ି ସାଇବାବାଙ୍କର ସମଗ୍ର ଜୀବନ ସାଂସ୍କୃତିକ ସମନ୍ୱୟ ଓ ସଂହତି ଉପରେ ଆଧାରିତ ଥିଲା ବୋଲି ସେ କହିଥିଲେ ।
ଏହି ଅବସରରେ ଗୁରୁଜୀ ଇଂରାଜୀ, ହିନ୍ଦୀ ଓ ଓଡ଼ିଆ ଭାଷାରେ ତାଙ୍କ ଦ୍ୱାରା ରଚିତ ପିତାମାତା ସ୍ତବକ ଏବଂ ଇଂରାଜୀ ଓ ହିନ୍ଦୀ ଭାଷାରେ ଶ୍ରୀଗୁରୁ ଭାଗବତ ପ୍ରାର୍ଥନା ପୁସ୍ତକ ଉନ୍ମୋଚନ କରିଥିଲେ । ଏହା ବ୍ୟତୀତ ଗୁରୁଜୀଙ୍କ ରଚିତ 'ମୁଝେଐସି ଦୁଆ ଦୋ' ବାବା ଶୀର୍ଷକ ସଂଗୀତ ଆଲବମ୍ ଉନ୍ମୋଚିତ ହୋଇଥିଲା । ଇଂଲଣ୍ଡ, ମଧ୍ୟପ୍ରାଚ୍ୟ ଦେଶ, କାନଡ଼ା ଏବଂ ଆମେରିକା ଓ ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ଭକ୍ତ ଏଥିରେ ଯୋଗଦେଇଥିଲେ ।