ଭୁବନେଶ୍ୱର, ୩୦/୧୦ : ସଂପ୍ରତି ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ ପ୍ରଦ୍ୟୁଷଣ ବିଶ୍ୱରେ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଦ୍ରୁତ ସହରୀକରଣ ଓ ଜଙ୍ଗଲ ହ୍ରାସ ଯୋଗୁଁ ଏହାର କୁପ୍ରଭାବ ସାରା ମାନବ ସମାଜ ଓ ଜୀବଜଗତ ଉପରେ ପରିଲକ୍ଷିତ ହେଉଛି । ତେଣୁ ଏହି ସମସ୍ୟାର ମୁକାବିଲା କରିବା ଏବଂ ଓଡ଼ିଶାକୁ ପରିବେଶ ଅନୁକୂଳ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ, ତାହାକୁ କାର୍ଯ୍ୟକାରୀ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଅନୁପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସାମଗ୍ରିକ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହିକ୍ରମରେ ସାରା ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟାନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏ ନେଇ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାର୍ଶ୍ବ ଏବଂ ଡିଭାଇଡର ମଝିରେ ଥିବା ଖାଲି ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ନେଇ ଇଆଇସି (ସଭିଲ୍ ତଥା ରୋଡସ୍), ଇଆଇସି (ଏନ୍ଏଚ୍), ଏମ୍.ଡି, ଓବିସିସିଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷ ରୋପଣ କରାଯିବ । ଏହିକ୍ରମରେ ରାସ୍ତା ନିର୍ମାଣ ସମୟରେ ନିର୍ମାଣ ବ୍ୟୟର ଅତିରିକ୍ତ ୧ ପ୍ରତିଶତ ଅର୍ଥ ରାଶି ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ବାବଦରେ ଖର୍ଚ୍ଚ କରିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି । ଏହାଦ୍ୱାରା ଅଙ୍ଗାରକାମ୍ଳ ଅବଶୋଷଣ ଓ ଅମ୍ଳଜାନ ସ୍ତର ବୃଦ୍ଧି ସହ ବାୟୁ ପ୍ରଦ୍ୟୁଷଣକୁ କମ୍ କରି ହେବ । ଏହି ବୃକ୍ଷରୋପଣ ଶବ୍ଦ ପ୍ରଦ୍ୟୁଷଣକୁ କମ୍ କରିବା ସହ ମୃର୍ତ୍ତିକା କ୍ଷୟକୁ ରୋକିବା ଏବଂ ବାୟୁର ମାନକ ବୃଦ୍ଧି କରିବା ସହ ଖରା ଦିନେ ଆଖପାଖ ଅଞ୍ଚଳରେ ଶୀତଳତା ସୃଷ୍ଟି କରିବାରେ ସହାୟକ ହେବ ।
ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ପୂର୍ବରୁ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ବ୍ୟାପକ ବନୀକରଣ ସହ ଜଳବାୟୁ ପରିବର୍ତ୍ତନରେ ମୁକାବିଲା ଦିଗରେ କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷିରେ ରାସ୍ତା ପାର୍ଶ୍ବରେ ବୃକ୍ଷରୋପଣ ନିଷ୍ପତ୍ତି ମୃତ୍ତିକା ସଂରକ୍ଷଣ ଓ ବିଭିନ୍ନ ପ୍ରଦ୍ୟୁଷଣକୁ କମ୍ କରିବା ଦିଗରେ କାର୍ଯ୍ୟ କରିବ । ପରିବେଶ ସନ୍ତୁଳନ ରକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ସମଗ୍ର ଦେଶରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟରେ ପରିଣତ ହୋଇପାରିବ।