ମନୁଷ୍ୟ ପୃଥିବୀର ଶ୍ରେଷ୍ଠଜୀବ ଭାବେ ପରିଗଣିତ । ପ୍ରକୃତି, ସମଗ୍ର ପ୍ରାଣୀଜଗତ ମଧ୍ୟରେ ମନୁଷ୍ୟକୁ ବୁଦ୍ଧି ଓ ବିବେକ ପ୍ରଦାନ କରିଛି । ଯାହାକୁ ପ୍ରୟୋଗ କରି ମନୁଷ୍ୟ ସୁଖୀ ଓ ସହଜ ଜୀବନ ନିର୍ବାହ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରିଛି । ବଣ ଜଙ୍ଗଲର ପାହାଡ଼ ଗୁମ୍ଫା ବା ଗଛ କୋରଡ଼ରେ ଉଲଗ୍ନ ଭାବରେ ବସବାସ କରୁଥିବା ଆଦିମାନବର ଜୀବନଶୈଳୀକୁ ଆଜିର ମନୁଷ୍ୟ ଜୀବନଶୈଳୀ ସହିତ ତୁଳନା କଲେ କେଉଁ ଧାରାରେ ପରିବର୍ତ୍ତନ ହୋଇଛି, ତାହା ସ୍ୱପ୍ନ ପରି ପ୍ରତୀୟମାନ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟ ଅହରହ ସୁଖ ସନ୍ଧାନରେ ଧାବିତ । ଜୀବିକା ନିର୍ବାହ ନିମନ୍ତେ ସମସ୍ତ କଷ୍ଟସାଧ୍ୟ କାର୍ଯ୍ୟକୁ ସହଜ ସରଳରେ ରୂପାନ୍ତରିତ କରିବାର ପ୍ରଚେଷ୍ଟା ତାକୁ ଆଜି ଏହି ସ୍ତରରେ ଉପନୀତ କରାଇ ପାରିଛି । ଆଜିବି ଯାହାକୁ ପଚାରିଲେ ସେ କହୁଛି ମୁଁ ଦୁଃଖୀ । ତାହେଲେ ସୁଖ କ’ଣ?
ସୁଖ ବଜାରରେ ବିକ୍ରୟ କରାଯାଉଥିବା ଏକ ବସ୍ତୁ ବା ପଦାର୍ଥ ନୁହେଁ, ଏହା ସର୍ବଜନବିଦିତ । ଯଦି ଏହା ହୋଇଥାନ୍ତା ତେବେ ପ୍ରତ୍ୟେକ ଧନୀ ବକ୍ତି, ବହୁତ ସୁଖୀ ଥାନ୍ତେ । କିନ୍ତୁ ବାସ୍ତବ କ୍ଷେତ୍ରରେ ଧନୀ ବ୍ୟକ୍ତିମାନେ ଦରିଦ୍ର ବ୍ୟକ୍ତିଙ୍କଠାରୁ ଅଧିକ ଅସୁଖୀ । ଏହି ପରିପ୍ରେକ୍ଷୀରେ ବୁଦ୍ଧଙ୍କର ଗୋଟିଏ ଉକ୍ତି ମନରେ ଆସେ "କାମନାର ବିନାଶରେ ହିଁ ଦୁଃଖର ବିନାଶ’ । ପ୍ରକୃତରେ କାମନାର ବିନାଶ କେବେବି ସମ୍ଭବ ନୁହେଁ । ଆଜିର ମାନବ ସୁଖପ୍ରାପ୍ତି ନିମନ୍ତେ ପାର୍ôଥବ ବସ୍ତୁ, ଭୌତିକ ପଦାର୍ଥ ଓ କ୍ଷମତା ପଛରେ ଦ୍ରୁତଗତିରେ ଧାବମାନ । ସତ୍ ହେଉ ବା ଅସତ୍, ଯେକୌଣସି ଉପାୟରେ ଅର୍ଥ ଉପାର୍ଜନ କରି ଧନୀ ତାଲିକାଭୁକ୍ତ ହେବା ନିମନ୍ତେ ପ୍ରବଳ ପ୍ରତିଯୋଗିତା । ଏହା କ’ଣ ସୁଖ ପ୍ରାପ୍ତିର ମାର୍ଗ? ଅନେକଙ୍କ ନିକଟରେ ତୁଳୀତଳ୍ପ ଶଯ୍ୟା ଅଛି, ମାତ୍ର ଚକ୍ଷୁକୁ ନିଦ୍ରା ଆସୁନାହିଁ, ସମ୍ମୁଖରେ ସୁସ୍ୱାଦୁ ବ୍ୟଞ୍ଜନ, କିନ୍ତୁ ଜୀର୍ଣ୍ଣ ଶକ୍ତିର ଦୁର୍ବଳତା ଯୋଗୁ ଖାଦ୍ୟ ଖାଇବା ଅସମ୍ଭବ । ସମୀକ୍ଷାରୁ ପ୍ରାପ୍ତ ତଥ୍ୟାନୁଯାୟୀ, ଅନାହାରରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅପେକ୍ଷା, ଅଧିକ ଦାମୀ ଗରିଷ୍ଠ ଖାଦ୍ୟ ଖାଇ, ଦୁରାରୋଗରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ । ତେଣୁ ଅର୍ଥ ସୁଖ ପ୍ରାପ୍ତିର ଏକ ମାର୍ଗ ନୁହେଁ ତାହା ସୁସ୍ପଷ୍ଟ । ସୁଖ ପ୍ରାପ୍ତି ଏକ ମାନସିକ ଅବସ୍ଥା ।
ଜଣେ ବ୍ୟକ୍ତି ନିଜର ଯେଉଁ ଅବସ୍ଥାରେ ଦୁଃଖ ଅନୁଭବ କରେ, ଆଉ ଜଣେ ବ୍ୟକ୍ତି ଠିକ୍ ସେହି ଅବସ୍ଥାରେ ମଧ୍ୟ ସୁଖରେ କାଳାତିପାତ କରେ । ଅତ୍ୟଧିକ ଲୋଭ, ସମ୍ପତ୍ତି ବୃଦ୍ଧି କରିବାର ଦୁର୍ବାର ଲାଳସା, ଅଧିକ ଅର୍ଥ ରୋଜଗାର କରିବା ପାଇଁ ଯେକୌଣସି ହୀନ ଉପାୟ ଅବଲମ୍ବନ କରିବାଠାରୁ ଆଉ ଅଧିକ ଦୁଃଖ କିଛି ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ । ମୃତ୍ୟୁବେଳକୁ ସାଙ୍ଗରେ ଗୋଟିଏ ଟଙ୍କା ନେଇପାରିବା ନାହିଁ ଜାଣି ମଧ୍ୟ ଅନେକ ଲୋକ ଦିବାରାତ୍ରୀ ଏକ କରି, ଅଣନିଶ୍ୱାସୀ ହୋଇ, ଖାଦ୍ୟ ବିଶ୍ରାମ ଉପଭୋଗକୁ ଜଳାଞ୍ଜଳି ଦେଇ, ଶକ୍ତି ସାମର୍ଥ୍ୟ ହରାଇ ସାରିବା ପରେ ମଧ୍ୟ ଅଧିକ ଅର୍ଥ ରୋଜଗାର ନିମନ୍ତେ ଅକ୍ଳାନ୍ତ ପରିଶ୍ରମ କରନ୍ତି । କିନ୍ତୁ ଫଳ ହୁଏ, ସେ ତା’ର ସମସ୍ତ ସମ୍ପତ୍ତିକୁ ଅକ୍ଷତ ଅବସ୍ଥାରେ ଅନ୍ୟକୁ ଦାନ କରିଯାଏ । ରୋଜଗାର କରେ, କିନ୍ତୁ ଭୋଗ କରିପାରେ ନାହିଁ । ମନୁଷ୍ୟର ଆବଶ୍ୟକତା ପରିପୂରଣ ନିମନ୍ତେ ଯେତିକି ଅର୍ଥ ଦରକାର, ସେତିକିରେ ଯିଏ ସନ୍ତୁଷ୍ଟ ହୁଏ, ସେ ହେଉଛି ଦୁନିଆର ଶ୍ରେଷ୍ଠ ସୁଖୀ ବ୍ୟକ୍ତି । ଅନ୍ୟର ସମ୍ପଦ ଦେଖିଲେ ଈର୍ଷା, ଅନ୍ୟର ସଫଳତା ଦେଖିଲେ ଈର୍ଷା, ଅନ୍ୟର ଯୋଗ୍ୟତା ଦେଖିଲେ ଈର୍ଷା, ଅନ୍ୟର ସୌନ୍ଦର୍ଯ୍ୟ ଦେଖିଲେ ଈର୍ଷା । ଖାଲି ଈର୍ଷା ହିଁ ଈର୍ଷା । ଦିଆସିଲି କାଠି ଅନ୍ୟକୁ ଜାଳିବା ପୂର୍ବରୁ ଯେପରି ନିଜେ ଜଳିଯାଏ, ଈର୍ଷାଳୁ ବ୍ୟକ୍ତିଟି ସେହିପରି ଈର୍ଷାଦ୍ୱାରା ଅନ୍ୟର କ୍ଷତି କରିପାରେନାହିଁ, କିନ୍ତୁ ନିଜର ମାନସିକ ଭାରସାମ୍ୟ ହରାଇ କଷ୍ଟ ପାଇଥାଏ । ତେଣୁ ଅନ୍ୟର ଖୁସିରେ ଖୁସିହେବା ସୁଖପ୍ରାପ୍ତିର ଅନ୍ୟତମ ମାର୍ଗ । ଈର୍ଷା ତ୍ୟାଗ ଏକ କଷ୍ଟସାଧ୍ୟ କାର୍ଯ୍ୟ ନୁହେଁ, ମାନସିକ ସ୍ଥିତିକୁ ନିଜ ନିୟନ୍ତ୍ରଣରେ ରଖିଲେ ଏହା ଅତ୍ୟନ୍ତ ସହଜ ଓ ଲାଭଦାୟକ ।
ଅନେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଜୀବନରେ କେବେହେଲେ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ । ସବୁବେଳେ ବ୍ୟସ୍ତ, ବିବ୍ରତ । ଦରମା ଯେତିକି ମିଳୁଛି, ସେଥିରେ ସନ୍ତୁଷ୍ଟ ନୁହଁନ୍ତି, ମୂଲିଆଟିଏ ଯେତେ କାମ କଲେବି, କହନ୍ତି ସେମାନେ ଠକି ଦେଉଛନ୍ତି । ପ୍ରତ୍ୟେକ କାର୍ଯ୍ୟର ସାମାନ୍ୟ ବିଫଳତା ପାଇଁ ସଦାସର୍ବଦା ଅନ୍ୟକୁ ଦୋଷାରୋପ କରନ୍ତି । ଯାହା ହେଉଛି, ଠିକ୍ ହେଉଛି, ଏହି କଥାକୁ ଗ୍ରହଣ ନକଲେ, ଆମ୍ଭେମାନେ କେବେହେଲେ ସୁଖୀ ହୋଇପାରିବା ନାହିଁ । ମନୁଷ୍ୟର ଅନ୍ୟତମ ପ୍ରଥମ ଓ ପ୍ରଧାନ ଶତ୍ରୁ ହେଉଛି କ୍ରୋଧ । କ୍ରୋଧର ବଶବର୍ତ୍ତୀ ହେଲେ ବ୍ୟକ୍ତିର ବୁଦ୍ଧିଭ୍ରଂଶ ହୋଇଥାଏ, ସେ ଆତ୍ମନିୟନ୍ତ୍ରଣ ହରାଇ ଥାଏ, ଯଦ୍ୱାରା ସେ କହୁଥିବା କଥା ଏବଂ କରୁଥିବା କାର୍ଯ୍ୟ ଠିକ୍ଭାବରେ କରିନପାରି ବିପଦର ସମ୍ମୁଖୀନ ହୋଇଥାଏ । ଅନେକ ଛୋଟ ଛୋଟ କଥା ଆମକୁ ବେଳେବେଳେ ଦୁଃଖୀ କରାଇଥାଏ, ଯାହା ଆମେ ଜାଣିପାରୁନା । ଟିକିଏ ସଚେତନ ହୋଇ ଆମେ ଯଦି ଆମର ପ୍ରକୃତି ଓ ପ୍ରବୃତ୍ତିକୁ ନିୟନ୍ତ୍ରଣରେ ରଖିପାରିବା, ତେବେ ସୁଖପ୍ରାପ୍ତି କେବେବି କଷ୍ଟସାଧ୍ୟ ନୁହେଁ । ସୁଖପ୍ରାପ୍ତି ନିମନ୍ତେ ପ୍ରଥମେ ଆମେ କୌଣସି ଜିନିଷ ପାଇବାର ଆଶା ନରଖି, ସମସ୍ତଙ୍କୁ ନିଃସର୍ତ୍ତ ଭଲପାଇବା ଉଚିତ । ପଶୁପକ୍ଷୀ, ବୃକ୍ଷଲତାଠାରୁ ଆରମ୍ଭକରି ମନୁଷ୍ୟ ପର୍ଯ୍ୟନ୍ତ ସମସ୍ତଙ୍କୁ ଭଲପାଇବା ଏକ କଷ୍ଟ କାର୍ଯ୍ୟ ନୁହେଁ, ଏକ ଅଭ୍ୟାସର କଥା । ନିରୀହ କଥା କହିପାରୁନଥିବା ପଶୁକୁ ଯଦି ଆମେ ପୋଷା ମନାଇ, ନିଜ ଇଙ୍ଗିତରେ ପରିଚାଳିତ କରାଇ ପାରିଲେ ବା ନିଜେ ରୋପଣ କରିଥିବା ବୃକ୍ଷଟିକୁ ଯତ୍ନନେଇ ସେଥିରେ ଫୁଲଫଳ ଉତ୍ପନ୍ନ କରାଇ ପାରିଲେ, ତେବେ ସେ ଆନନ୍ଦ କେବଳ ଅନୁଭବ କରିହେବ ସିନା ବର୍ଣ୍ଣନା କରିହେବନାହିଁ । ମନୁଷ୍ୟ ଜୀବନରେ ଯାହାକିଛି ଘଟୁଛି ତାହା ତା’ର ନିଜ ନିୟନ୍ତ୍ରଣରେ ନଥାଏ । ସୁଖ ବାଣ୍ଟିଲେ ତାହା ଦ୍ୱିଗୁଣିତ ହୁଏ ଏବଂ ଦୁଃଖ ବାଣ୍ଟିଲେ ହ୍ରାସ ହୋଇଥାଏ । ଅନେକ ଲୋକ ଈର୍ଷାନ୍ୱିତ ପ୍ରକୃତି ଯୋଗୁଁ ଅନ୍ୟର ଖୁସିରେ ଦୁଃଖ କରନ୍ତି । କିନ୍ତୁ ଅନ୍ୟର ସୁଖରେ ମଧ୍ୟ ଆମେ ସୁଖୀ ହେବାର କଳାକୁ ଆୟତ୍ତ କଲେ ଆମକୁ ନିଶ୍ଚୟ ଆନନ୍ଦ ପ୍ରଦାନ କରିବ । ସ୍ୱାର୍ଥପର ମନୋଭାବ ତ୍ୟାଗକରି, ଲୋଭ ଏବଂ କ୍ରୋଧ ପରି ଶକ୍ତିଶାଳୀ ଶତ୍ରୁକୁ ଆୟତ୍ତରେ ରଖି, ସମସ୍ତଙ୍କ ପାଇଁ ଉଦାର ମନୋଭାବ ପୋଷଣପୂର୍ବକ ଈଶ୍ୱରଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିପାରିଲେ ଆମେ ନିଶ୍ଚୟ ଆନନ୍ଦରେ ରହିବା ।