ନୂଆଦିଲ୍ଲୀ,୦୮/୦୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାପାନ ଏବଂ ଦକ୍ଷିଣ କୋରିଆ ସମେତ ୧୪ ଦେଶ ଉପରେ ଟାରିଫ ଘୋଷଣା କରିଛନ୍ତି । ନିଷ୍ପତ୍ତି ବାବଦରେ ୧୪ଦେଶକୁ ଚିଠି ଲେଖିଛନ୍ତି ଟ୍ରମ୍ପ । ଅଗଷ୍ଟ ପହିଲାରୁ ଲାଗୁ ହେବ ଏହି ଟିକସ୍‌ । ଏହା ଦ୍ୱାରା ଦେଶ ଗୁଡ଼ିକ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ତୀବ୍ର ହୋଇଛି । 

ଜୁଲାଇ ୯ ମଧ୍ୟରେ ଆମେରିକା ସହ ବାଣିଜ୍ୟ ଚୁକ୍ତି ନ କଲେ ପାଲଟା ଟିକସ ଲାଗିବ ବୋଲି ଚେତାବନୀ ଦେଇଥିଲେ ଟ୍ରମ୍ପ । ମାତ୍ର ଏହା ମଧ୍ୟରେ ଦେଶ ଗୁଡ଼ିକ କୌଣସି ଡିଲ୍‌ ନେଇ ଅଗ୍ରସର ହୋଇ ନ ଥିଲେ । ଏବେ ଦେଶ ଗୁଡ଼ିକୁ ପୁଣି ଥରେ ଚାପ ପକାଇଛନ୍ତି ଟ୍ରମ୍ପ । ଜାପାନ, ସାଉଥ୍ କୋରିଆ, ମାଲେସିଆ, କାଜକିସ୍ତାନ ସମେତ ଟ୍ୟୁନିସିଆ ଉପରେ ୨୫% ଟାରିଫ୍ ଲଗାଇବାକୁ ଘୋଷଣା କରିଛନ୍ତି । ଅଗଷ୍ଟ ସୁଦ୍ଧା ଚୁକ୍ତି ନ କଲେ ଜାପାନ୍‌ ଓ କୋରିଆ ୨ ଦେଶ ଉପରେ ଏଭଳି ଟାରିଫ୍‌ ଲାଗିବ ବୋଲି କହିଛନ୍ତି ଟ୍ରମ୍ପ । ମିଆଁମାର ଓ ଲାଓସ ଉପରେ ସର୍ବାଧିକ ୪୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା ହୋଇଛି । 

ଭାରତ ସହ ଡିଲ୍‌କୁ ନେଇ ଦେଲେ ଖୁସିଖବର- ୧୪ ଦେଶ ଉପରେ ଟ୍ରମ୍ପ ଟାରିଫ୍ ଘୋଷଣା ଭିତରେ ଭାରତ ପାଇଁ ଖୁସି ଖବର ରହିଛି । ବାଣିଜ୍ୟ ଚୁକ୍ତି ନେଇ ଭାରତ ଏବଂ ଆମେରିକାର ଅଧିକାରୀମାନେ ଚେଷ୍ଟା ଜାରି ରଖିଛନ୍ତି । ଭାରତକୁ ମିଳିଥିବା ୯୦ ଦିନିଆ ଆଶ୍ୱସ୍ତିର ସୀମା ଜୁଲାଇ ୯ ରହିଛି । ଜୁଲାଇ ୯ ଆଗରୁ ଯଦି ଉଭୟ ଦେଶ ମଧ୍ୟରେ କୌଣସି ବାଣିଜ୍ୟିକ ଡିଲ୍‌ ନହୁଏ ଭାରତ ଉପରେ ଲାଗିବ ୨୬% ଟିକସ । ଏବେ ୧୦% ଟାରିଫ ଲାଗୁ ହେଉଥିବା ବେଳେ ପୁଣି ୧୬% ଟିକସ ଲାଗିବ । ଭାରତ ସହ ଡିଲ୍‌ କରିବୁ ଏହାର ଖୁବ୍ ନିକଟତର ହେଉଛୁ ବୋଲି କହିଛନ୍ତି ଟ୍ରମ୍ପ । ଭାରତ ଉପରେ ଟ୍ରମ୍ପ କିଭଳି ଆଭିମୁଖ୍ୟ ଦେଖାଉଛନ୍ତି ସେ ଉପରେ ଏବେ ବଜାରର ନଜର ରହିଛି ।

କେଉଁ ଦେଶ ଉପରେ କେତେ ଶୁଳ୍କ:

ଜାପାନ-୨୫%

ସାଉଥ କୋରିଆ-୨୫%

ମିଆଁମାର-୪୦%

ଲାଓସ-୪୦%

ଦକ୍ଷିଣ ଆଫ୍ରିକା-୩୦%

କାଜକିସ୍ତାନ-୨୫%

ମଲେସିୟା-୨୫%

ଟ୍ୟୁନିସିଆ-୨୫%

ଇଣ୍ଡୋନେସିଆ-୩୨%

ବୋସନିୟା-୩୦%

ବାଂଲାଦେଶ -୩୫%

ସର୍ବିଆ-୩୫%

କମ୍ବୋଡିଆ-୩୬%

ଥାଇଲାଣ୍ଡ- ୩୬%