ନୂଆଦିଲ୍ଲୀ,୧୦/୦୯: ପ୍ରକୃତରେ କ'ଣ ଚାହୁଁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ? ଏକାସଙ୍ଗରେ ଭାରତ ସହିତ ବନ୍ଧୁତା ଓ ଶତ୍ରୁତା ତୁଲାଉଛନ୍ତି । ଗୋଟିଏ ପଟେ ଭାରତ ସହ ବନ୍ଧୁତା କଥା କହୁଛନ୍ତି ଅନ୍ୟପଟେ ୟୁରୋପୀୟ ସଙ୍ଘକୁ ଭାରତ ଉପରେ ୧୦୦% ଟାରିଫ୍ ଲଗାଇବାକୁ ମନ୍ତ୍ର ଦେଉଛନ୍ତି । ଟ୍ରମ୍ପ କଣ ପ୍ଲାନ କରୁଛନ୍ତି କିଛି ବୁଝାପଡୁନାହିଁ । ଆମେରିକା ଓ ୟୁରୋପୀୟ ସଂଙ୍ଘ ମଧ୍ୟରେ ରୁଷ ବିରୋଧରେ ଆର୍ଥିକ ଚାପ ବଢାଇବାକୁ ରଣନୀତି ପ୍ରସ୍ତୁତ ହେଉଛି । ହେଲେ ଭାରତ ଏବଂ ଚୀନ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଡୋନାଲ୍ଡ ଟ୍ରମ୍ପ କହିବା ରାଜନୈତିକ ମହଲରେ ହଲଚଲ ସୃଷ୍ଟି କରିଛି । ଡୋନାଲ୍ଡ ଟ୍ରମ୍ପଙ୍କ ଏହି ନୀତି ଚିନ୍ତାର ବିଷୟ ହୋଇଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷର ଦୁଇ ବଡ଼ ତୈଳ କ୍ରେତା ଭାରତ ଏବଂ ଚୀନ ଉପରେ ୧୦୦% ପର୍ଯ୍ୟନ୍ତ ଅଧିକ ଶୁଳ୍କ ଲଗାଇବାକୁ ଯୋଜନା କରୁଥିବା ଜଣାପଡ଼ିଛି । ଭାରତ ଉପରେ ପୂର୍ବରୁ ୫୦% ଶୁଳ୍କ ଲଗାଇଥିବା ରିପବ୍ଲିକାନ୍ ଏବେ ୟୁରୋପୀୟ ସଂଘକୁ ଦେଶ ଉପରେ ବ୍ୟାପକ ଶୁଳ୍କ ଲାଗୁ କରିବାକୁ କହିଛନ୍ତି । ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନରେ ଆମେରିକା ଏବଂ ୟୁରୋପୀୟ ସଂଘର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ ଡାକିଥିଲେ । ସେଠାରେ ସେ ଦାବି କରିଛନ୍ତି ଯେ, "ଆମେ ପ୍ରସ୍ତୁତ, କିନ୍ତୁ ଆମର ୟୁରୋପୀୟ ଅଂଶୀଦାରମାନେ ଆମ ସହିତ ଆଗକୁ ଆସିଲେ ଆମେ ଏହା କରିବୁ ।"
ଭାରତ ଏବଂ ଚୀନ୍ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଅନୁରୋଧ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଏକ ଚାପ ରଣନୀତି ବୋଲି କୁହାଯାଉଛି । ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ଚୁକ୍ତି ପାଇଁ ରୁଷକୁ ୫୦ ଦିନ ସମୟ ଦେବାର କିଛି ଦିନ ପରେ ଏପରିକ ଖବର ସାମ୍ନାକୁ ଆସିଛି । ଭାରତ କିମ୍ବା ଚୀନ୍ ଉପରେ ୟୁରୋପର ଶୁଳ୍କ ସହିତ ସମାନ ହେବାକୁ ଆମେରିକା ପ୍ରସ୍ତୁତ ଥିବା ଜଣାପଡ଼ିଛି । ଉଭୟ ଦେଶରୁ ଆମଦାନୀ ଉପରେ ଶୁଳ୍କ ଆହୁରି ବୃଦ୍ଧି କରିଛି ।