ବ୍ରହ୍ମପୁର,୧୪/୧୦: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ଚାଲିଥିବା ଇଣ୍ଟର ମେଡିକ୍ସ୍ ବା ଅନ୍ତଃ ମେଡିକାଲ କଲେଜ ଉତ୍ସବରେ ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ। ମଦ ବୋତଲ ମାଡ଼ରେ ଦୁଇ ଛାତ୍ର ଆହତ। ତେବେ ଆହତ ଦୁଇଜଣ ଏସସିବି ମେଡ଼ିକାଲ କଲେଜର ବୋଲି ଜଣାପଡିଛି। ଉଭୟଙ୍କୁ ଏମକେସିଜିରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ଗତକାଲି ରାତିରେ ଏସସିବି ମେଡ଼ିକାଲ କଲେଜ ବିଦ୍ୟାର୍ଥୀମାନେ ଏମକେସିଜିରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରିବା ବଦଳରେ ଗାଳିଗୁଲଜ କରିଥିଲେ। ଏହାପରେ ଏସସିବି ଛାତ୍ରମାନେ ଏମକେସିଜିର କିଛି ବିଦ୍ୟାର୍ଥୀଙ୍କ ଉପରେ ଛେପ ପକାଇଥିଲେ ବୋଲି ଅଭିଯୋଗ ହୋଇଛି। ଯାହାକୁ ନେଇ ପାହାନ୍ତିଆ ପ୍ରାୟ ୩ଟାରେ ଦୁଇ ଛାତ୍ର ଗୋଷ୍ଠୀ ଭିତରେ ମଦ କାଚ ବୋତଲ ଫୋପଡ଼ା ଫୋପାଡି ହୋଇଥିଲେ। ଏନେଇ ବୈଦ୍ୟନାଥପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷାଙ୍କୁ ବୁଝାସୁଝା କରିଥିଲା। ଘଟଣାକୁ ନେଇ କିଛି ଛାତ୍ର ଥାନାରେ ଏତଲା ଦେଇଥିବା ଜଣାପଡିଛି। ଏମକେସିଜି ଡିନ୍ ପ୍ରଫେସର ସୁଚିତ୍ରା ଦାଶ ଆଜି ସକାଳୁ ସମସ୍ତ ବିଭାଗ ମୁଖ୍ୟଙ୍କୁ ଡାକି ବୈଠକ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ଚିଠି କରି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ସମ୍ବଲପୁର ମେଡ଼ିକାଲ କଲେଜରେ ଅନୁଷ୍ଠିତ ଇଣ୍ଟର ମେଡିକ୍ସରେ ଏମକେସିଜି ମେଡିକାଲ କଲେଜ ବିଦ୍ୟାର୍ଥୀଙ୍କୁ ରାଗିଂ ହୋଇଥିଲା। ଏମକେସିଜି ମେଡିକାଲ କଲେଜ ବିଦ୍ୟାର୍ଥୀ ସେଠାରେ ପହଞ୍ଚିବା ପରେ ବସ ଭିତରକୁ ଅଗ୍ନି ନିର୍ବାପକ ଯନ୍ତ୍ରରୁ ଗ୍ୟାସ ଛାଡ଼ି ଦେଇଥିଲେ। ଯାହାକୁ ନେଇ ଉତ୍ତେଜନା ପରିସ୍ଥିତି ହୋଇଥିଲା।