ଭୁବନେଶ୍ବର: ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ବିଭିନ୍ନ ବିଭାଗ ଦ୍ବାରା କାର୍ଯ୍ୟକାରୀ ହେଉଥିବା ସରକାରୀ କାର୍ଯ୍ୟକ୍ରମଗୁଡ଼ିକର ଅଗ୍ରଗତି ପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ରହୁଥିବା ସମସ୍ୟା ଓ ସେସବୁର ସମାଧାନ ସଂପର୍କରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କ ସହିତ ଏକ ଆଭାସୀ ବୈଠକ ମାଧ୍ଯମରେ ସମୀକ୍ଷା କରିଥିଲେ । ଗତକାଲି ଗୁରୁବାର ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଙ୍ଗନବାଡି କେନ୍ଦ୍ରର ଭିତ୍ତିଭୂମି ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରାଯାଇଥିଲା । ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ରଗୁଡିକର ସ୍ଥିତି ଉପସ୍ଥାପନ କରିଥିଲେ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଥିବା ମୋଟ ୭୪,୨୨୪ ଟି ଅଙ୍ଗନବାଡି କେନ୍ଦ୍ରର ସ୍ଥିତି ସଂପର୍କରେ ସମୀକ୍ଷା କରାଯାଇଥିଲା । ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡିକର ଉନ୍ନତିକରଣ ପରିପ୍ରେକ୍ଷୀରେ ସେଥ୍ରେ ବିଦ୍ୟୁତ୍ ବ୍ୟବସ୍ଥା, ପାନୀୟ ଜଳର ଉପଲବ୍ଧତା, ଶୌଚାଳୟ ଏବଂ ରୋଷେଇଘର ଆଦି ସୁବିଧା କରିବାକୁ ନିର୍ଦ୍ଦେଶ ରହିଛି । ସେଥିପାଇଁ ବିଭାଗ ପକ୍ଷରୁ ଅର୍ଥ ପ୍ରେରଣ କରାଯାଇଛି ଏବଂ ସବୁ ଅଙ୍ଗନବାଡିରେ ସୁବିଧାକୁ ଶତ ପ୍ରତିଶତ କରିବା(ସାଚୁରେସନ)କୁ ଅନୁଷ୍ଠିତ ବୈଠକରେ ଗୁରୁତ୍ବ ଦିଆଯାଇଥିଲା । ସମସ୍ତ କେନ୍ଦ୍ରଗୁଡ଼ିକ କ୍ଷେତ୍ରପରିଦର୍ଶନ ସହିତ ଆସନ୍ତା ନଭେମ୍ବର ମାସ ଶେଷ ସୁଦ୍ଧା ଆବଶ୍ୟକ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କେତେକ ଜିଲ୍ଲାରେ ଆବଶ୍ୟକତା ଥିବା ନୂଆ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ପାଇଁ ସ୍ଥାନ ନିରୂପଣ ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ଶୀଘ୍ର କରାଯିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।
ବୈଠକରେ ବିଧାୟକ ସ୍ଥାନୀୟ ଆଂଚଳିକ ଉନ୍ନୟନ ପାଣ୍ଠି ଯୋଜନା (ଏମଏଲଏଲାଡ ସ୍କିମ) କାର୍ଯ୍ୟକାରିତା ନେଇ ସମୀକ୍ଷା କରାଯାଇଥିଲା । ୨୦୨୫-୨୬ ବର୍ଷରେ ଏହି ଯୋଜନାରେ ୭୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ବିଧାନସଭା ମଣ୍ଡଳୀଭିରିରେ ପୂର୍ବରୁ ଥିବା ୩ କୋଟିରୁ ଏବେ ୫ କୋଟିକୁ ବୃଦ୍ଧି କରାଯାଇଛି । ଏଥି ପାଇଁ ସଂଶୋଧିତ ମାର୍ଗଦର୍ଶିକା ଏବଂ ଏକ ପୋର୍ଟାଲ ଗତ ଅଗଷ୍ଟ ୨୦୨୫ରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିଲା, ଯାହା ମାଧ୍ୟମରେ ପ୍ରକଳ୍ପ ପ୍ରସ୍ତାବ, ମଞ୍ଜୁରୀ, କାର୍ଯ୍ୟକାରୀ ସଂସ୍ଥାକୁ ଅର୍ଥ ପ୍ରଦାନ ଓ ବିନିଯୋଗ ପ୍ରମାଣପତ୍ର ଦାଖଲ କରିବାର ବ୍ୟବସ୍ଥା ରହିଛି । ଜିଲ୍ଲା ପରିଷଦ ଓ ଜିଲ୍ଲା ପ୍ରକଳ୍ପ ତଦାରଖ ୟୁନିଟ୍ ମାନଙ୍କୁ ଉପଯୁକ୍ତ ସମନ୍ୱୟ କରି ନିର୍ଦ୍ଧାରିତ ସମୟ ଅନୁସାରେ ଅର୍ଥ ମଂଜୁର ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଗୁରୁତ୍ବ ଦିଆଯାଇଥିଲା । ସେହିପରି ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନା (ସିଏମ-ଏସ୍ଏ) କାର୍ଯ୍ୟକାରିତାର ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା । ପ୍ରତି ମାସରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ କାର୍ଯ୍ୟ ସମୀକ୍ଷା କରି ବିଧାୟକ ଆଂଚଳିକ ଉନ୍ନୟନ ପାଣ୍ଠି ଏବଂ ସିଏମ-ଏସ୍ଏ ୱେବ୍ ପୋର୍ଟାଲରେ ତଥ୍ୟ ଅଦ୍ୟତନ କରିବାକୁ ପରାମର୍ଶ ଦିଆଯାଇଛି ।
ବୈଠକରେ ଆହୁରି ମଧ୍ୟ ଜଳବାୟୁ ସହନଶୀଳ କୃଷି ପାଇଁ ଓଡ଼ିଶା ସମନ୍ବିତ ଜଳସେଚନ ପ୍ରକଳ୍ପ" (ଓଆଇଆଇପିସିଆରଏ) ର କାର୍ଯ୍ୟକରିତା ନେଇ ଆଲୋଚନା କରାଯାଇଥିଲା । ୧୫ ଟି ଜିଲ୍ଲାରେ ଏହି ପ୍ରକଳ୍ପ ବିଶ୍ବ ବ୍ୟାଙ୍କ ସହାୟତାରେ ରାଜ୍ୟ ଜଳସଂପଦ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଛି । ଏହା ଦ୍ବାରା ରାଜ୍ୟରେ ୫୩୮ ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଏମଆଇପି) ଟ୍ୟାଙ୍କର ଉନ୍ନତି କରଣ, ରକ୍ଷଣାବେକ୍ଷଣ କରାଯାଇ ମତ୍ସ୍ୟ ଓ ପ୍ରାଣୀ ପାଳନ, କୃଷି, ଉଦ୍ୟାନ କୃଷି, ଜଳସେଚନ ଆଦିକୁ ସମନ୍ବିତ କରି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପ୍ରକଳ୍ପଗୁଡ଼ିକର ପ୍ରଭାବୀ ଉପଯୋଗିତା ଏବଂ କୃଷି ଉତ୍ପାଦନ ବୃଦ୍ଧି ସଂପର୍କରେ ଜିଲ୍ଲାପାଳମାନେ ଜିଲ୍ଲାସ୍ତରରେ ନିୟମିତ ସମୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି । ଆହୁରି ମଧ୍ୟ ଓଡ଼ିଶାରେ ସବୁଜ ଜଳବାୟୁ ପାଣ୍ଠି (ଜିସିଏଫ) ପ୍ରକଳ୍ପର କାର୍ଯ୍ୟକାରିତାରେ ଜଳବାୟୁ ସହନଶୀଳ ଭିତ୍ତିଭୂମି ନିର୍ମାଣ ସଂପର୍କିତ ସମୀକ୍ଷା କରାଯାଇଥିଲା ।
ଅର୍ଥବିଭାଗ ସଂପର୍କିତ ସମୀକ୍ଷାରେ ବିଭିନ୍ନ ବ୍ୟାଙ୍କ ଓ ସରକାରୀ ବିଭାଗମାନଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି କରି ବ୍ୟାଙ୍କି ଓ ଆର୍ଥିକ ସଂପୃକ୍ତି, ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଆର୍ଥିକ ସହାୟତା, ଋଣ ସହାୟତା ସମ୍ୱନ୍ଧୀୟ କାର୍ଯ୍ୟଗୁଡ଼ିକ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ( ଏସ୍ଏଲବିସି) ବୈଠକ ନିୟମିତ ଅନୁଷ୍ଠିତ ହେଉଥିବା ବେଳେ ଜିଲ୍ଲାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କର୍ସ କମିଟି (ଡିଏଲବିସି) ଏବଂ ବ୍ଲକ ସ୍ତରୀୟ ବ୍ୟାଙ୍କି କମିଟି (ବିଏଲବିସି) ବୈଠକ ନିୟମିତ ଡକାଯାଇ ସମୀକ୍ଷା କରାଯିବାକୁ ପରାମର୍ଶ ଦିଆଯାଇଥିଲା । ବ୍ୟାଙ୍କି ସୁବିଧା ନଥିବା ପଞ୍ଚାୟତରେ ଖୋଲାଯାଇଥିବା ସିଏସ୍ପି ପ୍ଲସ୍ ଆଉଟ୍ଲେଟ୍ ର କାର୍ଯ୍ୟକାରିତା ସଂପର୍କରେ ଆଲୋଚନା କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଛି । ସେହିପରି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ତରଫରୁ ଆଗତ ଜିଲ୍ଲାସ୍ତରରେ ରହୁଥିବା ସମସ୍ୟାର ସଂପର୍କରେ ଆଲୋଚନା କରାଯାଇ ସମାଧାନ ପାଇଁ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଛି । ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ ।
ଉନ୍ନୟନ କମିଶନର ଜିଲ୍ଲାପାଳମାନଙ୍କୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲାସ୍ତରରେ ହେଉଥିବା ବିଭିନ୍ନ ବୈଠକରେ ନିୟମିତ ସମୀକ୍ଷା କରାଯିବା, ରହୁଥିବା ସମସ୍ୟାର ସମାଧାନ କରିବା ଏବଂ ଜିଲ୍ଲା ପରିଦର୍ଶନ ପୋର୍ଟାଲର ବ୍ୟବହାର କରିବା ସହିତ ବିଭିନ୍ନ ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟସୀମା ମଧ୍ଯରେ ସାରିବାକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।