ବିନିକା, ୨୦/୧୦ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ରକ୍ତପାତ। କାକାର ଛୁରାମାଡ଼ରେ ପୁତୁରା ଓ ପୁତୁରା ବୋହୂ ଗୁରୁତର। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଚିଙ୍ଗେରକଟା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୨ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନାନୁଯାୟୀ, ଡୁଙ୍ଗୁରିପାଲି ଥାନା ଚିଙ୍ଗେରକଟା ଗ୍ରାମର କିଶୋର ଖଣ୍ଡା ଓ କାକା ସୁନାଧର ଖଣ୍ଡାଙ୍କ ମଧ୍ୟରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। କିଶୋର ଏକ ଜମିରେ ଚାଷ କରିଥିବା ବେଳେ ଉକ୍ତ ଚାଷ ଜମିକୁ ଫେରାଇବା ପାଇଁ କାକା ସୁନାଧର ଖଣ୍ଡା କହିଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସୁନାଧର ପୁତୁରା ଓ ପୁତୁରା ବୋହୂଙ୍କୁ ଛୁରାମାଡ଼ କରିଥିଲା। ଫଳରେ କିଶୋର ଓ ତାଙ୍କ ସ୍ତ୍ରୀ ଗୁରୁତର ହୋଇଥିଲେ। କିଶୋରଙ୍କ ପେଟ, ହାତ, ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ସ୍ତ୍ରୀ ଭାମା ଖଣ୍ଡାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପରିବାର ଲୋକେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡୁଙ୍ଗୁରିପାଲି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।