‘ବନ୍ଦେ ମାତରମ୍’ ସ୍ୱାଧୀନତା ସଂଗ୍ରାମର ସଙ୍ଗୀତ, ଅତୁଟ ସଂକଳ୍ପର ଭାବନା ଏବଂ ଭାରତର ଜାଗରଣର ପ୍ରଥମ ମନ୍ତ୍ର ମଧ୍ୟ । ରାଷ୍ଟ୍ରର ଆତ୍ମାରୁ ଜନ୍ମିଥିବା ଶବ୍ଦ କଦାପି ଶେଷ ହୋଇନଥାଏ । ତାହା ସଦୈବ ଜୀବନ୍ତ ରହିଥାଏ, ପିଢ଼ି ପିଢ଼ି ପର୍ଯ୍ୟନ୍ତ ଗୁଞ୍ଜରିତ ହୋଇଥାଏ । ଏହି ଜୟଘୋଷ ଯୁଗ ଯୁଗ ଧରି ଏବଂ ପିଢ଼ି ପିଢ଼ି ଧରି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇଚାଲିଥିବ ।
ଆମ ଦେଶର ଇତିହାସରେ ବେଳେବେଳେ ଏଭଳି କିଛି ବିଶେଷ ଅବସର ଆସିଛି, ଯେତେବେଳେ ଗୀତ ଏବଂ କଳାତ୍ମକ କାର୍ଯ୍ୟ ଭିନ୍ନ ଭିନ୍ନ ରୂପେ ଲୋକମାନଙ୍କ ଭାବନାକୁ ପ୍ରଭାବିତ କରି ଆନ୍ଦୋଳନର ସ୍ୱରୂପ ପ୍ରଦାନ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତାହା ଛତ୍ରପତି ଶିବାଜୀ ମହାରାଜଜୀଙ୍କ ସେନାଙ୍କ ଯୁଦ୍ଧ ଗୀତ ହୋଇଥାଉ, ଅଥବା ସ୍ୱାଧୀନତା ଆନ୍ଦୋଳନ ସମୟରେ ସଂଗ୍ରାମୀମାନଙ୍କ ଦ୍ୱାରା ବୋଲାଯାଉଥିବା ଗୀତ ହୋଇଥାଉ କିମ୍ବା ଆପାତକାଳୀନ ସ୍ଥିତି ଜାରି ହୋଇଥିବାବେଳେ ଏହା ବିରୁଦ୍ଧରେ ଦେଶର ଯୁବଗୋଷ୍ଠୀଙ୍କ ସାମୂହିକ ଗାନ ହୋଇଥାଉ– ଏହିସବୁ ଗୀତ ଭାରତୀୟ ସମାଜର ସ୍ୱାଭିମାନକୁ ପ୍ରେରଣାରେ ଭରିଦେଇଛି ଏବଂ ସେମାନଙ୍କୁ ଏକଜୁଟ ହୋଇ ସ୍ୱର ଉତ୍ତୋଳନ କରିବାର ସୁଯୋଗ ପ୍ରଦାନ କରିଛି ।
ଅନୁରୂପ ଭାବରେ ଭାରତର ରାଷ୍ଟ୍ରୀୟ ସଙ୍ଗୀତ "ବନ୍ଦେ ମାତରମ୍', ଯାହାର ଇତିହାସ କେବଳ ଯୁଦ୍ଧଭୂମି ନୁହେଁ, ବରଂ ଜଣେ ବିଦ୍ୱାନ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପ୍ରଶାନ୍ତ କିନ୍ତୁ ବଜ୍ର ସଂକଳ୍ପରୁ ହିଁ ଆରମ୍ଭ ହୋଇଥିଲା । ସନ ୧୮୭୫ ମସିହାରେ, ଜଗଦ୍ଧାତ୍ରୀ ପୂଜା (କାର୍ତ୍ତିକ ଶୁକ୍ଳ ନବମୀ ଅବା ଯାହାକୁ ଅକ୍ଷୟ ନବମୀ ବୋଲି କୁହାଯାଇଥାଏ) ଦିନ ସେ ଏହି ସ୍ତୋତ୍ରର ରଚନା କରିଥିଲେ, ଯାହା ଭାରତର ସ୍ୱାଧୀନତାର ଶାଶ୍ୱତ ସଙ୍ଗୀତରେ ପରିଣତ ହୋଇଥିଲା । ଏହି ପବିତ୍ର ଶବ୍ଦାବଳୀକୁ ରଚନା କରି ସେ ଭାରତର ଗଭୀରତମ ସଭ୍ୟତାଗତ ମୂଳ ଆଧାରରୁ ପ୍ରେରଣା ଲାଭ କରିଥିଲେ । ଅଥର୍ବ ବେଦର ବଜ୍ର ଉଦ୍ଘୋଷଣା "ମାତା ଭୂମିଃ ପୁତ୍ରା ଅହଂ ପୃଥିବ୍ୟାଃ' ଠାରୁ ନେଇ ଦେବୀମାହାତ୍ମ୍ୟ ପର୍ଯ୍ୟନ୍ତ ସବୁଥିରେ ଥିବା ବିଶ୍ୱମାତାଙ୍କ ଆହ୍ୱାନଠାରୁ ସେ ଏହି ପ୍ରେରଣା ଲାଭ କରିଚାଲିଥିଲେ ।
ବଙ୍କିମଚନ୍ଦ୍ରଙ୍କର ଏହି ମହାନ୍ ମନ୍ତ୍ର, ପ୍ରାର୍ଥନା ମଧ୍ୟ ଥିଲା ଏବଂ ଦେଶ ତଥା ଦେଶବାସୀଙ୍କ ପାଇଁ ଭବିଷ୍ୟବାଣୀ ମଧ୍ୟ ଥିଲା । "ବନ୍ଦେ ମାତରମ୍' କେବଳ ଭାରତର ରାଷ୍ଟ୍ରୀୟ ସଙ୍ଗୀତ ନୁହେଁ, କେବଳ ସ୍ୱାଧୀନତା ଆନ୍ଦୋଳନର ପ୍ରାଣଶକ୍ତି ନୁହେଁ, ବରଂ ଏହା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଦ୍ୱାରା "ସାଂସ୍କୃତିକ ରାଷ୍ଟ୍ରବାଦ'ର ଥିଲା ପ୍ରଥମ ଉଦ୍ଘାଷଣା, ଅର୍ଥାତ୍ ଆଦ୍ୟ ଓଁକାର । ଏହା ଆମକୁ ସ୍ମରଣ କରାଇ ଦେଇଥିଲା ଯେ, ଭାରତ କେବଳ ଏକ ଭୂଖଣ୍ଡ ନୁହେଁ, ବରଂ ଏକ ଭୂ-ସାଂସ୍କୃତିକ ରାଷ୍ଟ୍ର ମଧ୍ୟ, ଯାହାର ଏକତା ଏହାର ସଂସ୍କୃତି ଏବଂ ସଭ୍ୟତା ଠାରୁ ହିଁ ଉଦ୍ଭବ ଏବଂ ସେହି ଉତ୍ସରୁ ତାହା ଜନ୍ମ ନେଇଛି । ଏହା କେବଳ ଭୂଭାଗ ନୁହେଁ, ବରଂ ଏକ ତୀର୍ଥ ଅଟେ, ସ୍ମୃତି, ତ୍ୟାଗ, ଶୌର୍ଯ୍ୟ ଏବଂ ମାତୃତ୍ୱ ସହିତ ବାନ୍ଧିହୋଇ ରହିଥିବା ଏକ ପବିତ୍ର ଭୂମି ଅଟେ ।
ଯେପରି ମହର୍ଷି ଅରବିନ୍ଦ ମଧ୍ୟ ବର୍ଣ୍ଣନା କରିଥିଲେ, ବଙ୍କିମ ଚନ୍ଦ୍ର ଆଧୁନିକ ଭାରତର ଜଣେ ମହାନ୍ ଋଷି ଥିଲେ, ଯିଏ ନିଜର ଶବ୍ଦ ସାଧନା ମାଧ୍ୟମରେ ରାଷ୍ଟ୍ରର ଆତ୍ମାକୁ ପୁନର୍ଜୀବିତ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କଦ୍ୱାରା ରଚିତ "ଆନନ୍ଦ ମଠ' କେବଳ ଖଣ୍ଡିଏ ସାଧାରଣ ଉପନ୍ୟାସ ନଥିଲା ବରଂ ଗଦ୍ୟରେ ଲିଖିତ ଏକ ମହାନ୍ ମନ୍ତ୍ର ଥିଲା, ଯାହା ଏଭଳି ଏକ ରାଷ୍ଟ୍ରକୁ ଜାଗ୍ରତ କରିଥିଲା ଯାହା ମନରୁ ନିଜର ଦିବ୍ୟଶକ୍ତି ବିସ୍ମରଣ ଘଟି ସାରିଥିଲା । ନିଜର ଏକ ପତ୍ରରେ ବଙ୍କିମ ବାବୁ ଉଲ୍ଲେଖ କରିଥିଲେ "ମୋର କୌଣସି ଆପତ୍ତି ନାହିଁ ଯଦି ମୋର ସମସ୍ତ ରଚନାକୁ ଗଙ୍ଗାଜଳରେ ବିସର୍ଜନ କରିଦିଆଯାଏ । କାରଣ ଏହି ଗୋଟିଏ ଶ୍ଳୋକ ହିଁ ଅନନ୍ତକାଳ ପର୍ଯ୍ୟନ୍ତ ଜୀବିତ ରହିବ । ଏହା ଏକ ମହାନ୍ ସଙ୍ଗୀତ ହେବ ଏବଂ ଲୋକମାନଙ୍କ ହୃଦୟକୁ ଅବଶ୍ୟ ଜିଣିପାରିବ ।' ଏହି ଶବ୍ଦାବଳୀ ଭବିଷ୍ୟତର ସୂଚନା ବହନ କରୁଥିଲା । ଔପନିବେଶିକ ଭାରତର ସବୁଠାରୁ ଅନ୍ଧକାରମୟ କାଳଖଣ୍ଡରେ ଲେଖାଯାଇଥିବା "ବନ୍ଦେ ମାତରମ୍' ଜାଗରଣର ପ୍ରଭାତୀ ସଙ୍ଗୀତରେ ପରିଣତ ହୋଇଥିଲା । ଏହା ଏପରି ଏକ ଭଜନ ଯାହା "ସାଂସ୍କୃତିକ ରାଷ୍ଟ୍ରବାଦ'କୁ ସଭ୍ୟତାଗତ ଗୌରବର ସହିତ ସଂଯୋଗ କରିଦେଇଥିଲା । ଏଥିରେ ଥିବା ପଙ୍କ୍ତିମାନ କେବଳ ସେହି ବ୍ୟକ୍ତି ଲେଖିପାରିବ ଯାହାର ପ୍ରତିଟି ଲୋମକୂପରେ ରାଷ୍ଟ୍ର ପ୍ରତି ଅଖଣ୍ଡ ଭକ୍ତିଭାବ ଭରପୂର ହୋଇ ରହିଥିବ ।
୧୮୯୬ ମସିହାରେ, ରବୀନ୍ଦ୍ରନାଥ ଟାଗୋର "ବନ୍ଦେ ମାତରମ'କୁ ସ୍ୱର ପ୍ରଦାନ କରି ସଜାଇଥିଲେ ଏବଂ କୋଲକାତା କଂଗ୍ରେସ ଅଧିବେଶନରେ ଏହାକୁ ଗାନ କରିଥିଲେ, ଯାହାଫଳରେ ଏହି ବାଣୀ ଅମରତ୍ୱ ପ୍ରାପ୍ତ ହୋଇଥିଲା । ଏହି ଗୀତ ଭାଷା ଏବଂ କ୍ଷେତ୍ରର ସୀମାକୁ ଅତିକ୍ରମ କରି ଆଗକୁ ବଢ଼ିବା ସହିତ ସମଗ୍ର ଦେଶରେ ଗୁଞ୍ଜରିତ ହୋଇଉଠିଥିଲା । ତାମିଲନାଡ଼ୁରେ ସୁବ୍ରମଣ୍ୟମ ଭାରତୀଜୀ ଏହାକୁ ତାମିଲରେ ଅନୁବାଦ କରିଥିଲେ ଏବଂ ପଞ୍ଜାବରେ କ୍ରାନ୍ତିକାରୀମାନେ ଏହି ଗୀତକୁ ଗାଇ ଗାଇ ବ୍ରିଟିଶ୍ ଶାସନକୁ ଖୋଲାଖୋଲି ଭାବରେ ଚାଲେଞ୍ଜ କରିଥିଲେ । ୧୯୦୫ ମସିହାରେ ବଙ୍ଗ ଭଙ୍ଗ ଆନ୍ଦୋଳନ ସମୟରେ, ବଙ୍ଗଳାରେ ବିଦ୍ରୋହର ଅଗ୍ନି ଦାବାନଳ ପରି ଚାରିଆଡ଼େ ପ୍ରସାରିତ ହୋଇଥିଲା । ଇଂରେଜ ସରକାର "ବନ୍ଦେ ମାତରମ୍' ସଙ୍ଗୀତର ସାର୍ବଜନୀନ ଗାନ ଉପରେ କଠୋର ପ୍ରତିବନ୍ଧ ଲଗାଇ ଦେଇଥିଲେ । ଏହା ବ୍ୟତୀତ, ୧୪ ଏପ୍ରିଲ ୧୯୦୬ ତାରିଖ ଦିନ ବରିସାଲରେ ହଜାର ହଜାର ସଂଖ୍ୟକ ଲୋକ ସରକାରଙ୍କ ଏହି ଆଦେଶକୁ ପ୍ରତ୍ୟାଖ୍ୟାନ କରିଥିଲେ ।
ଯେତେବେଳେ ପୁଲିସ ସେଠାରେ ଆୟୋଜିତ ଏକ ଶାନ୍ତିପୂର୍ଣ୍ଣ ଜନସଭା ଉପରେ ଲାଠିପ୍ରହାର ଆରମ୍ଭ କରିଥିଲା, ସେଠାରେ ଉପସ୍ଥିତ ପୁରୁଷ ଏବଂ ମହିଳାମାନେ ସଡ଼କ ଉପରେ ପୁଲିସର ଲାଠି ପ୍ରହାରରେ ଲହୁଲୁହାଣ ହୋଇଥିଲେ ସତ, କିନ୍ତୁ ସେମାନଙ୍କ ତୁଣ୍ଡରୁ "ବନ୍ଦେ ମାତରମ୍' ସ୍ୱର କଦାପି ଲିଭିନଥିଲା । ସେହିଠାରୁ "ବନ୍ଦେ ମାତରମ୍'ର ମନ୍ତ୍ର, ଗଦର ପାର୍ଟିର କ୍ରାନ୍ତିକାରୀମାନଙ୍କ ସହିତ କାଲିଫର୍ଣ୍ଣିଆ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ଆଜାଦ ହିନ୍ଦ୍ ଫଉଜର ସୈନିକମାନଙ୍କ ତୁଣ୍ଡରେ ଗୁଞ୍ଜରି ଉଠିଥିଲା । ଯେତେବେଳେ ନେତାଜୀଙ୍କ ଫଉଜ ସିଙ୍ଗାପୁରରେ ମାର୍ଚ୍ଚ କରୁଥିଲେ ଏବଂ ୧୯୪୬ ମସିହାରେ ରୟାଲ ଇଣ୍ଡିଆନ ନେଭୀ ଭିତରେ ବିଦ୍ରୋହର ବହ୍ନି କୁହୁଳୁଥିଲା, ସେତେବେଳେ ଭାରତୀୟ ନାବିକମାନେ ବ୍ରିଟିଶ୍ ଯୁଦ୍ଧପୋତମାନଙ୍କରେ ତ୍ରିରଙ୍ଗା ଉଡ଼ାଇଥିଲେ । ଖୁଦିରାମ ବୋଷଙ୍କ ଠାରୁ ଆରମ୍ଭକରି ଅସଫାକଉଲ୍ଲା ଖାନଙ୍କ ପର୍ଯ୍ୟନ୍ତ, ଚନ୍ଦ୍ରଶେଖର ଆଜାଦଙ୍କ ଠାରୁ ଆରମ୍ଭକରି ତିରୁପୁର କୁମାରନଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ତୁଣ୍ଡରେ କେବଳ ସେହି ଗୋଟିଏ ନାରା ହିଁ ଶୁଣିବାକୁ ମିଳୁଥିଲା । ଏହା ସେତେବେଳକୁ ଆଉ କେବଳ ଗୋଟିଏ ଗୀତ ହୋଇ ରହିନଥିଲା, ତାହା ଭାରତର ସାମୂହିକ ଆତ୍ମାର ସ୍ୱରରେ ପରିଣତ ହୋଇସାରିଥିଲା । ମହାତ୍ମା ଗାନ୍ଧୀ ସ୍ୱୟଂ ଏକଥା ସ୍ପଷ୍ଟ ସ୍ୱରରେ ସ୍ୱୀକାର କରିଥିଲେ "ବନ୍ଦେ ମାତରମ୍' ସଙ୍ଗୀତରେ "ସବୁଠାରୁ ଶୀତଳ ରକ୍ତକୁ ମଧ୍ୟ ଉଷ୍ମ କରିବାର ଯାଦୁକରୀ ଶକ୍ତି ଭରି ରହିଥିଲା' । ଏଥିରୁ ଉଦାରବାଦୀଙ୍କ ଠାରୁ ନେଇ କ୍ରାନ୍ତିକାରୀ ତଥା ବିଦ୍ୱାନମାନଙ୍କ ଠାରୁ ନାବିକମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏକଜୁଟ କରିପାରିଥିଲା । ମହର୍ଷି ଅରବିନ୍ଦ ସେଥିପାଇଁ କହିଥିଲେ ଏହା "ଭାରତର ପୁନର୍ଜନ୍ମର ମନ୍ତ୍ର ଅଟେ ।'
ଅକ୍ଟୋବର ୨୬ ତାରିଖ ଦିନ "ମନ୍ କୀ ବାତ୍' କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି "ବନ୍ଦେ ମାତରମ୍' ଗୀତର ଏହି ମହାନ୍ ଇତିହାସ ସମ୍ପର୍କରେ ଦେଶବାସୀମାନଙ୍କୁ ପୁଣି ଥରେ ସ୍ମରଣ କରାଇ ଦେଇଥିଲେ ଏବଂ ଏହି ରାଷ୍ଟ୍ର ସଙ୍ଗୀତ "ବନ୍ଦେ ମାତରମ୍'ର ୧୫୦ତମ ବର୍ଷ ପୂର୍ଣ୍ଣ ହେବା ଉପଲକ୍ଷେ ୭ ନଭେମ୍ବର ଠାରୁ ଭାରତ ସରକାରଙ୍କ ତରଫରୁ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା ସକାଶେ ନିଷ୍ପତ୍ତି ନିଆଯାଇଥିବା କଥା ସୂଚାଇଥିଲେ। ଏହିସବୁ ଆୟୋଜନମାନଙ୍କ ମାଧ୍ୟମରେ ଦେଶବ୍ୟାପୀ "ବନ୍ଦେ ମାରତମ'ର ସମ୍ପୂର୍ଣ୍ଣ ଗାନ କରାଯିବ, ଯାହା ଫଳରେ ଦେଶର ଯୁବପିଢ଼ି "ସାଂସ୍କୃତିକ ରାଷ୍ଟ୍ରବାଦ'ର ଚିନ୍ତାଧାରାକୁ ଆତ୍ମିକ ଭାବରେ ଅନୁଭବ କରିପାରିବେ ।
ଆଜି ଯେତେବେଳେ ପ୍ରଥମେ ଭାରତ ପର୍ବ ମନାଉଛୁ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କରୁଛୁ, ସେତେବେଳେ ଏକଥା ମଧ୍ୟ ସ୍ମରଣ କରୁଛୁ ଯେ ସର୍ଦ୍ଦାର ସାହେବ କିପରି "ଏକ ଭାରତ'ର ନିର୍ମାଣ କରି "ବନ୍ଦେ ମାତରମ'ର ଭାବନାକୁ ହିଁ ଶାଶ୍ୱତ ରୂପ ପ୍ରଦାନ କରିଥିଲେ । ଏହି ସଙ୍ଗୀତ କେବଳ ଅତୀତର ସ୍ମରଣ ମାତ୍ର ନୁହେଁ, ବରଂ ଭବିଷ୍ୟତ ନିମନ୍ତେ ଏକ ବଜ୍ର ଆହ୍ୱାନ ମଧ୍ୟ । "ବନ୍ଦେ ମାତରମ' ଆଜି ମଧ୍ୟ ବିକଶିତ ଭାରତ ୨୦୪୭ର ଆମର ସଂକଳ୍ପକୁ ପ୍ରେରଣା ଯୋଗାଉଛି । ଏହା ଭାରତର ସଭ୍ୟତାଗତର ଆତ୍ମବିଶ୍ୱାସର ପ୍ରତୀକ ମଧ୍ୟ । ଆଜି ଏହି ଭାବନାକୁ ଆତ୍ମନିର୍ଭର ଏବଂ ଶ୍ରେଷ୍ଠ ଭାରତରେ ପରିବର୍ତ୍ତନ କରିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଅଟେ ।
"ବନ୍ଦେ ମାତରମ୍' ସ୍ୱାଧୀନତା ସଂଗ୍ରାମର ସଙ୍ଗୀତ, ଅତୁଟ ସଂକଳ୍ପର ଭାବନା ଏବଂ ଭାରତର ଜାଗରଣର ପ୍ରଥମ ମନ୍ତ୍ର ମଧ୍ୟ । ରାଷ୍ଟ୍ରର ଆତ୍ମାରୁ ଜନ୍ମିଥିବା ଶବ୍ଦ କଦାପି ଶେଷ ହୋଇନଥାଏ । ତାହା ସଦୈବ ଜୀବନ୍ତ ରହିଥାଏ, ପିଢ଼ି ପିଢ଼ି ପର୍ଯ୍ୟନ୍ତ ଗୁଞ୍ଜରିତ ହୋଇଥାଏ । ଏହି ଜୟଘୋଷ ଯୁଗ ଯୁଗ ଧରି ଏବଂ ପିଢ଼ି ପିଢ଼ି ଧରି ଅନନ୍ତକାଳ ପର୍ଯ୍ୟନ୍ତ ପ୍ରତିଧ୍ୱନିତ ହୋଇ ଚାଲିଥିବ । ଏବେ ସମୟ ଆସିଛି ଯେ ଆମେ ନିଜର ଇତିହାସ, ନିଜର ସଂସ୍କୃତି, ନିଜର ମାନ୍ୟତାଗୁଡ଼ିକୁ ଏବଂ ନିଜର ପରମ୍ପରାକୁ ଭାରତୀୟତା ଦୃଷ୍ଟିରେ ଦେଖିବା ।
ବନ୍ଦେ ମାତରମ୍!