କାରାକାସ୍,୨୪/୧୦: ଦକ୍ଷିଣ ଆମେରିକା ଦେଶ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦ୍ୟୁରୋ ଆମେରିକାକୁ ଚେତାବନୀ ଦେଇଛନ୍ତି । କହିଛନ୍ତି, ଆମେରିକା ପଟୁ ସୃଷ୍ଟି ହେଉଥିବା ବିପଦର ମୁକାବିଲା ପାଇଁ ଆମେ ବେଶ୍ ସମର୍ଥ । ରୁଷ୍ଠାରୁ ମିଳିଥିବା ୫ ହଜାର ଇଗ୍ଲା-ଏସ୍ ମିସାଇଲ୍କୁ ଆମେ ମୁତୟନ କରି ରଖିଛୁ । କୌଣସି ପ୍ରକାର ବିପଦ ଦେଖାଦେଲେ ଆମେ କଡ଼ା ଜବାବ ଦେବୁ । ଆମ ପାଖରେ ଥିବା ଏହି ମିସାଇଲ୍ ଦେଶର ଶାନ୍ତି ଓ ସ୍ୱାଧୀନତାର ସୁରକ୍ଷା କରିବ । ସାମ୍ରାଜ୍ୟବାଦୀ ବିପଦକୁ ଆମେ ଭୟ କରୁନାହୁଁ । ତାହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ । ଭେନେଜୁଏଲାର ସେନା ନିଜ ମାତୃଭୂମିର ଇଞ୍ଚେ ଜମିର ବି ସୁରକ୍ଷା କରିବ । ବୁଧବାର ଏକ ଟିଭି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମାଦ୍ୟୁରୋ ଏହି ବୟାନ ଦେଇଛନ୍ତି ।
ଉଲ୍ଲେଖଥାଉ କି ଆମେରିକା ଓ ଭେନେଜୁଏଲା ମଧ୍ୟରେ ବିବାଦ ଲାଗିରହିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଭେନେଜୁଏଲାର ସମୁଦ୍ର ତଟ ନିକଟ ଅଞ୍ଚଳକୁ କିଛି ନୌସେନା ଜାହାଜ ପଠାଇଛନ୍ତି । ଏହି ପଦକ୍ଷେପକୁ ସେ ନିଶାଦ୍ରବ୍ୟ ଚୋରା କାରବାର ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଦର୍ଶାଇଛନ୍ତି । ଏହାଛଡ଼ା କିଛିଦିନ ତଳେ ଭେନେଜୁଏଲାର କେତେକ ଜାହାଜକୁ ଆମେରିକା ନଷ୍ଟ କରିଦେଇଥିଲା । ଏହି ଜାହାଜ ନିଶାଦ୍ରବ୍ୟ ନେଇଯାଉଥିବା ଆମେରିକା ଅଭିଯୋଗ କରିଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଥିଲା ଭେନେଜୁଏଲା । ଆମେରିକାର ଏହି ଅଭିଯାନ ଦେଶର ସ୍ୱାଧୀନତା ପ୍ରତି ଆକ୍ରମଣ ବୋଲି ମାଦ୍ୟୁରୋ କହିଥିଲେ । ଏହା ପୂର୍ବରୁ ଚଳିତବର୍ଷ ଅଗଷ୍ଟ ୭ରେ ଆମେରିକା ମାଦ୍ୟୁରୋଙ୍କ ଉପରେ ୫୦ ନିୟୁତ ଡଲାର ବା ପ୍ରାୟ ୪୨୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲା । ଏହାଛଡ଼ା ତାଙ୍କ ସହ ଜଡ଼ିତ ୭୦୦ ନିୟୁତ ଡଲାରର ସମ୍ପତ୍ତି ବି ଜବତ କରିଥିଲା । ତନ୍ମଧ୍ୟରେ ଦୁଇଟି ବ୍ୟକ୍ତିଗତ ବିମାନ ଅନ୍ତର୍ଭୁକ୍ତ । ଟ୍ରମ୍ପ୍ ପ୍ରଶାସନର ଅଭିଯୋଗ ଯେ ମାଦ୍ୟୁରୋ ଜଣେ ନିଶାଦ୍ରବ୍ୟ ତସ୍କର । ନିଶା କାରବାର ପାଇଁ ଗଠିତ ଅସାଧୁ ମେଣ୍ଟରେ ସେ ଜଣେ ସଦସ୍ୟ।