ନୂଆଦିଲ୍ଲୀ,୦୨/୦୯: ଆଗକୁ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ  ପୂର୍ବରୁ ୧୦୦% ଭୋଟିଂ ଲାଗି ଏନ୍‌ଡିଏ ସାଂସଦମାନଙ୍କୁ ତାଲିମ ଦିଆଯିବ  ବୋଲି ରିପୋର୍ଟ ମିଳିଛି। ୩ ଦିନିଆ କର୍ମଶାଳାରେ ସାଂସଦଙ୍କୁ ଭୋଟିଂ ପ୍ରକ୍ରିୟା  ବିଷୟରେ କୁହାଯିବ । ସେହି ସମୟରେ ସାଂସଦଙ୍କୁ ବାଲଟ ପେପର୍‌ରେ ଠିକ୍‌  ଭାବେ ମାର୍କିଂ କରିବା, ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପେନ୍‌ର  ବ୍ୟବହାର, ବାଲଟ୍‌ ପେପରକୁ ଠିକ୍‌ ଭାବେ ମୋଡ଼ି ବାକ୍ସ ମଧ୍ୟରେ ପକାଯିବା  ସଂପର୍କରେ ସୂଚନା ଦିଆଯିବ । ଯାହାଦ୍ୱାରା ଭୋଟ୍‌ ଅମାନ୍ୟ ହେବ ନାହିଁ ।  

ପ୍ରକୃତ କଥା ହେଲା, ଗୁପ୍ତ ମତଦାନରେ ଦଳୀୟ ହ୍ୱିପ୍‌ ଲାଗୁ ହୋଇନଥାଏ । ଏଭଳିକ୍ଷେତ୍ରରେ କ୍ରସ୍‌ ଭୋଟିଂକୁ ରୋକିବା ଓ ଅବୈଧ ଭୋଟିଂକୁ କମ୍‌ କରିବା  ଉପରେ ଏନ୍‌ଡିଏର ଫୋକସ୍‌ ରହିଛି । ସେହିପରି ଭୋଟିଂର ଦିନକ ପୂର୍ବରୁ  ସେପ୍ଟେମ୍ବର ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନ୍‌ଡିଏ ସାଂସଦମାନଙ୍କୁ  ରାତ୍ରୀଭୋଜନ ମଧ୍ୟ ଦେବେ । ଆଗାମୀ ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ  ଅନୁଷ୍ଠିତ ହେବ । ସେହିଦିନ ବି ମତଗଣନା କରାଯିବ । ଏନ୍‌ଡିଏ ପକ୍ଷରୁ  ଉପରାଷ୍ଟ୍ରପତି ପଦ ଲାଗି ମହାରାଷ୍ଟ୍ରର ରାଜ୍ୟପାଳ ଭାବେ କାର୍ଯ୍ୟରତ ସି.ପି  ରାଧାକ୍ରିଷ୍ଣନ୍‌ଙ୍କୁ ପ୍ରାର୍ଥୀ କରାଯାଇଛି । ତାଙ୍କର ମୁକାବିଲା ‘ଇଣ୍ଡିଆ’ ବ୍ଲକ୍‌ର ପ୍ରାର୍ଥୀ  ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବି ସୁଦର୍ଶନ ରେଡ୍ଡୀଙ୍କ ସହ  ହେବ ।

ସୂଚନାଥାଉକି, ଜୁଲାଇ ୨୧ ତାରିଖ ରାତିରେ ଜଗଦୀପ ଧନଖଡ଼  ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେବାରୁ ଏହି ନିର୍ବାଚନ ହେଉଛି ।  ୭୪ ବର୍ଷୀୟ ଧନଖଡ୍‌ଙ୍କର କାର୍ଯ୍ୟକାଳ ୨୦୨୭ ଅଗଷ୍ଟ ୧୦ ତାରିଖ ଯାଏ ଥିଲ।