ଭୁବନେଶ୍ୱର,୧୪/୦୨: ଗିରଫ ହେଲେ କୋଟପାଡ଼ ବ୍ଲକ ବତାସନା ପଞ୍ଚାୟତ ଆଡିସନାଲ ଡାଟା ଏଣ୍ଟ୍ରି ଅପରେଟର ଏସ୍‌ .ପାର୍ଥ ସାରଥୀ ବିଶୋୟୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ତାଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌ । କୋରାପୁଟ ବୋରିଗୁମ୍ମା ଅଞ୍ଚଳର ୭ଟି ସ୍ଥାନରେ ଅକକାଳୀନ ଚଢାଉ କରାଯାଇଥିବା ବେଳେ ଶୁକ୍ରବାର ADEO ଏସ୍‌ .ପାର୍ଥ ସାରଥୀ ବିଶୋୟୀଙ୍କୁ ଗିରଫ କରିଛି ଭିଜିଲାନ୍ସ । 

ଏହି ଚଢାଉ ବେଳେ ଚଢାଉ ବେଳେ ୩ଟି କୋଠା, ୭୩ ଲକ୍ଷ ୮୭ ହଜାର ଟଙ୍କା  ମୂଲ୍ୟର ୧୬ଟି ପ୍ଲଟ୍‌, ବୋରିଗୁମ୍ମା ଚମ୍ପିଆରେ  ୮୫୦୦ ବର୍ଗଫୁଟର କାଜୁ ପ୍ରୋସେସିଂ ୟୁନିଟ ସହ ୨୮୫ ଗ୍ରାମ୍ ସୁନା, ୭୦୬ ଗ୍ରାମ ରୂପା ଅଳଙ୍କାର, ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ଜବତ କରାଯାଇଛି । ଏହା ସହ ୨ଟି କଂକ୍ରିଟ ମିକ୍ସଚର ମେସିନ, ୨ଟି ଧାନକଟା ମେସିମ, ୩ଟି ଟ୍ରାକ୍ଟର, ଗୋଟିଏ ପାଣି ଟ୍ୟାଙ୍କର, ଗୋଟିଏ ବୋଲେରୋ ଜବତ କରିବା ସହ ୩ଟି ଦୁଇ ଚକିଆ ଯାନ, ୧୯ ଲକ୍ଷ ଟଙ୍କାର ବୀମା, ବ୍ୟାଙ୍କ ଜମା ଠାବ କରିଛି ଭିଜିଲାନ୍ସ ।

କହିରଖୁ କି, ଗୁରୁବାର ସକାଳୁ କୋଟପାଡ ବ୍ଳକ ବତାସନା ଜି.ପି. ଆକାଉଣ୍ଟାଣ୍ଟ କମ୍ ଡାଟା ଏଣ୍ଟ୍ରି ଅପରେଟର ଏସ୍‌ ପାର୍ଥ ସାରଥୀ ବିଶୋୟୀଙ୍କ ଘରେ ପଶି ଚଢାଉ କରିଥିଲା ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଥିଲା । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଥିଲା ଜୟପୁର ଭିଜିଲାନ୍ସ ଟିମ୍ । ଏନେଇ ମାନ୍ୟବର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱାରା ସର୍ଚ୍ଚ ୱାରେଣ୍ଟ ଜାରି ହେବା ପରେ ୨ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୬ ଜଣ ଇନସ୍ପେକ୍ଟର, ୬ ଜଣ ଏଏସ୍‌ଆଇଙ୍କ ସମେତ ଅନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ୭ଟି ସ୍ଥାନରେ ଚଢାଉ ହୋଇଥିଲା ।

ଉଲ୍ଲେଖଯୋଗ୍ୟ ଯେ, ୨୦୦୮ରେ ଶ୍ରୀ ବିଷୋୟୀ  ଗ୍ରାମ ରୋଜଗାର ସେବକ (ଜିଆର୍‌ଏସ୍‌) ଭାବେ  ବିଭିନ୍ନ ପଞ୍ଚାୟତରେ କାମ କରୁଥିଲେ । ପଦୋନ୍ନତି  ପରେ ୬ ମାସ ତଳେ କୋଟପାଡ଼ ବ୍ଲକ ବତାସନା  ପଞ୍ଚାୟତରେ ଆକାଉଣ୍ଟାଣ୍ଟ୍‌ ତଥା ଡାଟା ଏଣ୍ଟ୍ରି ଅପରେଟର  ଭାବେ ସ୍ଥାୟୀ ନିଯୁକ୍ତି ପାଇଥିଲେ । କମ୍‌ ଦରମାରେ  ସେ କିପରି କୋଟିକୋଟି ଟଙ୍କାର ସମ୍ପତ୍ତି କରିଛନ୍ତି ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେ ଯେଉଁ ଯେଉଁ  ସ୍ଥାନରେ କାମ କରିଛନ୍ତି ସେଠାର ଉନ୍ନୟନ କାର୍ଯ୍ୟର  ତଦନ୍ତ କରାଗଲେ ହୋଇଥିବା ଦୁର୍ନୀତି ଧରାପଡ଼ିବ  ବୋଲି ସାଧାରଣରେ ଆଲୋଚନା ହେଉଛି ।