ମୁମ୍ବାଇ,୨୯/୦୯: ମହିଳା ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍) ଦଳ ମୁମ୍ବାଇ ଇଣ୍ଡିଆନ୍ସ ଅଷ୍ଟ୍ରେଲିଆ ମହିଳା ଦଳର ପୂର୍ବତନ ବ୍ୟାଟର ଲିସା କେଟଲୀଙ୍କୁ ନୂଆ ମୁଖ୍ୟ କୋଚ୍ ନିଯୁକ୍ତ କରିଛି । ଦଳର ମାଲିକାଣୀ ନୀତା ଅମ୍ବାନୀ ନିଜେ ସୋସିଆଲ୍ ମିଡିଆ ପୃଷ୍ଠାରେ ଏ ବିଷୟରେ ସୂଚନା ଦେବା ସହ ଲିସାଙ୍କୁ ସ୍ୱାଗତ ଜଣାଇଛନ୍ତି । ଲିସା ୧୯୯୫ରୁ ୨୦୦୫ ମଧ୍ୟରେ ୯ଟି ଟେଷ୍ଟ, ୮୨ଟି ଦିନିକିଆ ଏବଂ ଗୋଟିଏ ଟି-ଟ୍ୱେଣ୍ଟି ଖେଳିଥିଲେ । ଅବସର ପରେ ସେ କୋଚିଂରେ କ୍ୟାରିୟର ଆରମ୍ଭ କରିଥିଲେ । ସେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମହିଳା ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଇ ଥିବାବେଳେ ମହିଳା ବିଗ୍ ବାସ୍ ଲିଗ୍, ଦ ହଣ୍ଡ୍ରେଡ୍ରେ ମଧ୍ୟ ବିଭିନ୍ନ ଦଳର କୋଚ୍ ଭାବେ କାର୍ଯ୍ୟ କରିଛନ୍ତି । ଚଳିତ ବର୍ଷ ତାଙ୍କ ଅଧିନରେ ନଦର୍ଣ୍ଣ ସୁପରଚାର୍ଜର୍ସ ଦ ହଣ୍ଡ୍ରେଡ୍ ଚାମ୍ପିଅନ୍ ହେବାର ଗୌରବ ଲାଭ କରିଥିଲା ।
ନୀତା କହିଛନ୍ତି ଯେ, ମୁମ୍ବାଇ ଇଣ୍ଡିଆନ୍ସ ପରିବାରରେ ଲିସାଙ୍କୁ ସ୍ୱାଗତ ଜଣାଇ ଆମେ ବହୁତ ଖୁସି । ତାଙ୍କର କ୍ରୀଡ଼ା ପ୍ରତି ଆଗ୍ରହ, ଖେଳୁଆଡ଼ ମନୋଭାବ ଏବଂ ଦକ୍ଷତା ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ସଦୃଶ ରହିଛି । ତାଙ୍କ ଉପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସରେ ନୂଆ ଅଧ୍ୟାୟ ଯୋଡ଼ିଛି । ସେ ଦଳକୁ ସଫଳତାର ଶିଖରରେ ପହଞ୍ଚାଇବେ ମୋର ବିଶ୍ୱାସ ।’
ସୂଚନାଯୋଗ୍ୟ, ଡବ୍ଲ୍ୟୁପିଏଲ୍ରେ ସବୁଠୁ ସଫଳ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ୩ଟି ସଂସ୍କରଣ ମଧ୍ୟରୁ ମୁମ୍ବାଇ ୨ଥର ଚାମ୍ପିଅନ୍ ହୋଇସାରିଛି । ଗତ ସଂସ୍କରଣରେ ଦଳ ଫାଇନାଲ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮ରନ୍ରେ ହରାଇ ଚାମ୍ପିଅନ ହୋଇଥିଲା।