ନୂଆଦିଲ୍ଲୀ,୩୧/୦୭: ସବୁବେଳେ ନାଚୁଥିବେ । ହାତ, ଗୋଡ଼ ଯେମିତି କଥା କହୁଥିବ । କେତେବେଳେ ସାଥୀ ଖେଳାଳିଙ୍କ ସହ ରିଲ୍ସ କରୁଥିବେ ତ ପୁଣି କେତେବେଳେ ବାହାରେ । ସବୁବେଳେ ସେ ଆକ୍ଟିଭ । ଡ୍ରେସିଂ ରୁମ୍ରେ ହେଉ କି ଗ୍ରାଉଣ୍ଡରେ ସେ ସ୍ଥିର ନଥିବେ । ସେ ହେଉଛନ୍ତି ଜେମିମା ରୋଡ୍ରିଗ୍ସ । ମହିଳା ବିଶ୍ୱକପ ଫାଇନାଲରେ ଭାରତର ଗ୍ରାଣ୍ଡ ଏଣ୍ଟ୍ରୀ କରାଇଥିବା ଷ୍ଟାର ପ୍ଲେୟାର ହେଉଛନ୍ତି ଜେମିମା ରୋଡ୍ରିଗ୍ସ । ଏବେ ପ୍ରତିଟି କ୍ରିକେଟ ଫ୍ୟାନ୍ସଙ୍କ ମୁହଁରେ ଜେମିମାଙ୍କ ନାମ । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ୫ ୱିକେଟରେ ବିଜୟୀ ହୋଇଛି ଟିମ୍ ହର୍ମନପ୍ରୀତ । ସେମି ଫାଇନାଲ ଫାଇଟ୍ରେ ଷ୍ଟାର ଥିଲେ ଜେମିମା ରୋଡ୍ରିଗ୍ସ । ଏବେ ଜେମିମାଙ୍କୁ ନେଇ ଖୁବ ଚର୍ଚ୍ଚା । ଭାରତୀୟଙ୍କ ହୃଦୟ ଜିତିଛନ୍ତି ଜେମିମା । ସେ ଖାଲି ରିଲ୍ସ ନୁହେଁ ୱିକେଟ୍ ମଝିରେ ଦୌଡ଼ି ରନ୍ ମଧ୍ୟ କରିପାରନ୍ତି । ଯାହା ସେ ଗୁରୁବାର ଡି.ୱାଇ ପାଟିଲ ଷ୍ଟାଡିୟମରେ ପ୍ରମାଣ କରିଛନ୍ତି ।
'ରନ୍ କରିବା, ସେ କ'ଣ..ମୋ କ୍ରିଙ୍ଗ୍ ରିଲ୍ ଦେଶ ଆଉ ଗୀତ ଶୁଣ'- ଜେମିମାଙ୍କ ଏହି କଥା ପାଇଁ ତାଙ୍କୁ ଟ୍ରୋଲ ହେବାକୁ ପଡିଥିଲା । ବ୍ୟାଟିଂ ଉପରେ ନୁହେଁ ସୋସିଆଲ ମିଡିଆକୁ ଅଧିକ ଫୋକସ୍ କରୁଛନ୍ତି ବୋଲି କହି ତାଙ୍କୁ ସମାଲୋଚନା କରାଯାଇଥିଲା । ଜେମିମାଙ୍କୁ ବ୍ୟାଟିଂ ଉପରେ ଫୋକସ୍ କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଶକ୍ତିଶାଳୀ ଅଷ୍ଟେଲିଆ ଆଗରେ ଜେମିମା ୨.୦ ଉଭା ହୋଇଥିଲେ । ନିର୍ଭୀକ, ଅବିଚଳିତ, ଅବିଶ୍ୱାସନୀୟ ଥିଲେ । ସେ ଯେଉଁ ୧୨୭ ରନ୍ କରିଥିଲେ ତାହା କେବଳ ସଂଖ୍ୟା ନଥିଲା । ସେଗୁଡ଼ିକ ପୁଣି ଥରେ ସ୍ୱପ୍ନ ଦେଖିବାକୁ ସାହସ କରୁଥିବା ହୃଦସ୍ପନ୍ଦନ ଥିଲା । ତାଙ୍କ ବ୍ୟାଟର ପ୍ରତିଟି ରନ୍ ବିଶ୍ୱାସରେ ଝଲସୁଥିଲା । ଆଶାର ଏକ ଦୀପ ଜାଳିଥିଲା ଯେ, ଭାରତ ସେମାନଙ୍କର ପ୍ରଥମ ବିଶ୍ୱକପ୍ ଟ୍ରଫି ଉଠାଇପାରିବ ।
ସ୍ୱପ୍ନ ଦେଖିବାକୁ ସାହାସ କରିଥିବା ଝିଅ- ୨୦୧୭ରେ ମହିଳା କ୍ରିକେଟ ଦଳରେ ଝୁଲଣ ଗୋସ୍ୱାମୀ ଏବଂ ମିଥାଲି ରାଜଙ୍କ ଛଡ଼ା ଆଉ କୌଣସି ଚେହେରା ନଥିଲେ । ହର୍ମନପ୍ରୀତ କୌର ଓ ସ୍ମୃତି ମନ୍ଧାନାଙ୍କ ନାମ ବହୁତ କମ୍ ଲୋକ ଜାଣିଥିଲେ । ସେହିବର୍ଷ ୧୬ ବର୍ଷୀୟ ଜେମିମା ରୋଡ୍ରଗ୍ସିଙ୍କ ଛୋଟ୍ ଷ୍ଟେପ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । ଲର୍ଡସରେ ହୃଦୟବିଦାରକ ଅଭିଯାନ ସରିଥିଲା । ହେଲେ କିଏ ଜାଣିଥିଲା ଜେମିମା ଦିନ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଖୁଣ୍ଟ ଭଳି ଛିଡା ହୋଇ ସେମାନଙ୍କୁ ଦୋହଲାଇ ଦେବେ ବୋଲି । ଜେମିମାଙ୍କ ଯାତ୍ରା ସହଜ ନଥିଲା । ବିଫଳତା, ସମାଲୋଚନା ତାଙ୍କୁ ଶକ୍ତିଶାଳୀ କରିଥିଲା । ଗୁରୁବାର ଡିୱାଇ ପାଟିଲ ଷ୍ଟାଡିୟମରେ ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଜେମିମା । ତାଙ୍କ ବ୍ୟାଟର ପ୍ରତିଟି ଷ୍ଟ୍ରୋକ୍ କେବଳ ନିଜ ପାଇଁ ନୁହେଁ ପ୍ରତିଟି ମହିଳାଙ୍କ ପାଇଁ ଥିଲା ତାହା କହିବା ଭୁଲ ହେବ ନାହିଁ । 'ରିଲ୍ସ ଏବଂ ଗୀତାର ରାଣୀ' ବୋଲି କହି ଯେଉଁମାନେ ତାଙ୍କୁ ସମାଲୋଚନା କରୁଥିଲେ ଆଜି ସେମାନଙ୍କ ମୁହଁ ବନ୍ଦ କରିଛନ୍ତି ଜେମିମା ।
ସେମିଫାଇନାଲରେ ୩ ନମ୍ବରରେ ବ୍ୟାଟିଂ କରିବେ ବୋଲି ଜାଣିନଥିଲେ ଜେମିମା । ୫ ମିନିଟ୍ ପୂର୍ବରୁ ନିଷ୍ପତ୍ତି ହୋଇଥିଲା ଯେ ତୃତୀୟ ନମ୍ବରରେ ଖେଳିବେ । ଏହି ନିଷ୍ପତ୍ତି ସେମି ଫାଇନାଲ ସିନାରିଓ ବଦଳାଇ ଦେଲା । ୧୩୪ଟି ବଲ ଖେଳି ୧୨୭ ରନ୍ ସହ ୧୪ଟି ଚୌକା ମାରିଥିଲେ । ଅଷ୍ଟ୍ରେଲିଆର ଗର୍ବକୁ ଭାଙ୍ଗିଥିଲେ । ବିଜୟ ପରେ ସେ କହିଥିଲେ, ‘ଈଶ୍ୱରଙ୍କୁ ଧନ୍ୟବାଦ ଦେବାକୁ ଚାହେଁ । ତାଙ୍କ ଆଶୀର୍ବାଦ ବିନା ମୁଁ କେବେ ଏହା କରିପାରି ନଥାନ୍ତି । ମୋ ବାପା, ମାଆ ଓ କୋଚ ସମସ୍ତେ ଯେଉଁମାନେ ମୋ ଉପରେ ଭରସା ରଖିଥିଲେ ସମସ୍ତଙ୍କୁ ଧନ୍ୟବାଦ । ଆମେ ଫାଇନାଲରେ ପହଞ୍ଚି ଯାଇଛୁ, ଏହା ମୋତେ ସ୍ୱପ୍ନ ଭଳି ଲାଗୁଛି । ମୁଁ ୩ ନମ୍ବରରେ ବ୍ୟାଟିଂ କରିବାକୁ ଯିବି ବୋଲି ଜାଣି ନଥିଲି । ମାତ୍ର ୫ ମିନିଟ ପୂର୍ବରୁ ହିଁ ମୋତେ କୁହାଗଲା ଯେ ତୁମେ ୩ ନମ୍ବରରେ ଖେଳିବ । ଅର୍ଦ୍ଧଶତକ କିମ୍ବା ଶତକ ଉପରେ ମୋର ଧ୍ୟାନ ନଥିଲା, ଦଳକୁ ଜିତାଇବା ଉପରେ ହିଁ ମୋର ଫୋକସ ଥିଲା । ଭଲ ଫର୍ମରେ ଥିଲି, ତଥାପି ମୋତେ ଗତ ୨୦୨୨ ବିଶ୍ୱକପ୍ରୁ ବାଦ ଦିଆଯାଇଥିଲା । ଏଥର ମୋତେ ସୁଯୋଗ ମିଳିଲା । ଭାବିଥିଲି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପ୍ରୟାସ କରିବି । ମନରେ ବି ଭୟ ଥିଲା, କାଳେ ମୁଁ ଏକାଦଶରୁ ବାଦ ପଡ଼ିଯିବି । ଭଗବାନଙ୍କ ଉପରେ ବିଶ୍ୱାସ ଥିଲା । ଯେତେବେଳେ ମୁଁ ଖେଳୁଥିଲି ନିଜ ସହ ନିଜେ କଥା ହେଉଥିଲି । ମୋତେ ଛିଡ଼ା ହେବାର ଅଛି, ଈଶ୍ୱର ମୋ ପାଇଁ ଲଢ଼ିବେ । ମୁଁ କେବଳ ଛିଡ଼ା ହୋଇଥିଲି, ସେ ମୋ ପାଇଁ ଲଢ଼ିଲେ ।’