ନୂଆପଡ଼ା,୭/୯ : ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଗୋତମା ଏୟାରଷ୍ଟିପ ନିକଟ ଏକ ନର୍ସରୀରୁ ଜଣେ ଯୁବକଙ୍ଗ ମୃତଦେହକୁ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଖରିଆରରୋଡ଼ ଏନଏସି ବନକାର ନୁକେଶ ସାହୁ(୪୨)। ଆଜି ଅପରାହ୍ନରେ ଜୋଙ୍କ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜୋଙ୍କ ଆଇଆଇସି ପ୍ରଦୀପ ଧରୁଆ କହିଛନ୍ତି ।
ଖରିଆରରୋଡ଼ ଏନଏସି ଓ୍ୱାଡ଼ ନଂ ୧ ବନଜାର ନୁକେଶ ଅଞ୍ଚଳରେ ଟ୍ରାନ୍ସପୋର୍ଟ କାମ କରୁଥିଲେ । ଏକ ଛୋଟ ପିକ୍ ଅପ ରଖି ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିଲେ । ଗତକାଲି ରାତି ପ୍ରାୟ ସାଢେ ୧୦ଟାରେ ନୁକେଶ ଘରୁ କୁଆଡ଼େ ବାହାରିଥିଲେ । ତେବେ କେଉଁଠି ଯାଉଛନ୍ତି ବୋଲି ପରିବାର ଲୋକଙ୍କୁ କିଛି ସୂଚନା ଦେଇନଥିଲେ । ଆଜି ସକାଳୁ ଗୋତମା ଏୟାରଷ୍ଟିପ ରାସ୍ତା ଡାହାଣ ପାର୍ଶ୍ଵ କେନାଲ ରାସ୍ତା ସ୍ଥିତ ବନ ବିଭାଗ ନର୍ସରୀ ଭିତରେ ନୁକେଶଙ୍କ ମୃତଦେହ ପଡ଼ିଥିଲା । ସକାଳେ ଜୋଙ୍କ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା । ତେବେ ସିମେଣ୍ଟ ଚୌକିରେ ମୃତଦେହ ପଡ଼ିଥିଲା ।
ନୁକେଶଙ୍କ ଦୁଇ ଗୋଡ଼ ଓ ଡାହାଣ ହାତରେ ପ୍ଲାଷ୍ଟିକ ରଶି ବନ୍ଧା ହୋଇଥିଲା । ଅନ୍ୟପକ୍ଷେ ମୃତଦେହ ପଡ଼ିଥିବା ସ୍ଥାନରେ ନୁକେଶ ବାନ୍ତି କରିଥିଲେ । ସେଠି କିଟନାଷକ ଔଷଧର ବାସ୍ନା ହେଉଥିଲା। ଏଥରୁ ତାଙ୍କୁ ବିଷ ପାନ କରାଇଥିବା ସନ୍ଦେହ ହେଉଛି । ଅନ୍ୟପକ୍ଷେ ନୁକେଶଙ୍କ ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ ବାର୍ତ୍ତା କରି ପରିବାର ଲୋକଙ୍କୁ ପଠାଇଥିଲେ । ଏଥିରେ ସେ ଜହିଛନ୍ତି ଯେ, ମୁଁ ୩/୪ ଲୋକଙ୍କ ହାତଉଧାରୀ ଟଙ୍କା ଲାଗିଛି । ସେମାନେ ମୋର ହାତ ଓ ଗୋଡ଼କୁ ବାନ୍ଧି ଦେଇ ବିଷ ପିଆଇ ଦେଇଛନ୍ତି ବୋଲି କହିଛନ୍ତି । କିନ୍ତୁ କିଏ ବିଷ ପିଆଇ ଦେଇଛି, ତାହା କହିନଥିଲେ ବୋଲି ଜୋଙ୍କ ଆଇଆଇସି ଶ୍ରୀ ଧରୁଆ କହିଛନ୍ତି । ମଧ୍ୟାହ୍ନରେ ଭବାନିପାଟଣାରୁ ସାଇଣ୍ଟିଫିକ୍ ଟିମ ପହଞ୍ଚି ଛାନଭିନ କରିଥିଲା । ଅପରାହ୍ନରେ ଜୋଙ୍କ ପୁଲିସ ମୃତଦେହକୁ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏବେ ଘଟଣାର ବିଭିନ୍ନ ଦିଗ ଉପରେ ଅଧିକ ତଦନ୍ତ ଚାଲିଥିବା ଆଇଆଇସି ଶ୍ରୀ ଧରୁଆ ସୂଚନା ଦେଇଛନ୍ତି ।