ନୂଆଦିଲ୍ଲୀ ୧୪/୦୭: ପ୍ରତି ରାତିରେ ଭାରତୀୟ ରେଳବାଇରେ ପ୍ରାୟ ୮ ଲକ୍ଷ ଏସି ଯାତ୍ରୀ ଟ୍ରେନ୍‌ର ବିଛଣା ବ୍ୟବହାର କରନ୍ତି । ଏଥିରେ ସାଧାରଣତଃ ୨ ବେଡ୍‌ସିଟ୍, ଗୋଟିଏ କମ୍ବଳ, ଗୋଟିଏ ତକିଆ ଖୋଳ ଓ ଏକ ମୁହଁ ପୋଛା ତଉଲିଆ ଥାଏ । ଏହି ସେବା ଟିକଟ ସହିତ ମିଳେ । ପ୍ରତ୍ୟେକ ଯାତ୍ରା ଶେଷ ହେବା ସହିତ ପ୍ରତି ୧୦୦୦ ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ଜଣେ ବିଛଣା ପ୍ୟାକେଟ୍‌ରୁ ଅତିକମ୍‌ରେ ଖଣ୍ଡେ ସାଙ୍ଗରେ ନେଇଯାଆନ୍ତି । ଏକ ଗଣମାଧ୍ୟମର ଯାଞ୍ଚରୁ ଏହା ଜଣାପଡ଼ିଛି ।

ଗଣମାଧ୍ୟମ ସୂଚନା ଅଧିକାର ଅଧୀନସ୍ଥ ଭାରତୀୟ ରେଳବାଇର ସମସ୍ତ ୬୯ ଡିଭିଜନ୍‌କୁ ଆବେଦନ କରିଥିଲା । ୧୮ ରେଳବାଇ ଜୋନ୍ ମଧ୍ୟରୁ ୧୬ଟିର ୫୪ ଡିଭିଜନ୍‌ରୁ ଜବାବ ମିଳିଲା । କିଛି ଡିଭିଜନ୍ ଅଧୁରା ସୂଚନା ଦେଲେ । ଏହି ରେକର୍ଡରୁ ଜଣାପଡ଼ିଲା, ମହାମାରୀ ପରେ ୨୦୨୨ରେ ବିଛଣା ସେବା ପୂର୍ଣ୍ଣ ରୂପେ ଚାଲୁ ହେବା ପରଠୁ ଚଳିତ ବର୍ଷ ମେ’ ମାସ ମଧ୍ୟରେ ଟ୍ରେନ୍‌ର ବିଛଣାରୁ ଅତିକମ୍‌ରେ ୧.୨୭ କୋଟି ଖଣ୍ଡ ଚୋରି ହୋଇଛି, ଖାସ୍‌କରି ଯାତ୍ରୀଙ୍କ ଦ୍ୱାରା । ବାର୍ଷିକ ଆକଳନରୁ ଜଣାପଡ଼ିଲା, ୨୦୨୨ରୁ ୨୦୨୫ ମଧ୍ୟରେ ଏଭଳି ଚୋରି ୫୬% ବଢ଼ିଛି ।

ଏହି ଚୋରି ଯୋଗୁ ୪ ବର୍ଷ ଅବଧିରେ ବିଛଣା କଣ୍ଟ୍ରାକ୍ଟରମାନଙ୍କର ୧୦୪.୫୧ କୋଟି କ୍ଷତି ହୋଇଛି । କଣ୍ଟ୍ରାକ୍ଟରଙ୍କ ଦ୍ୱାରା ନିଯୁକ୍ତ କୋଚ୍ ଆଟେଣ୍ଡାଣ୍ଟ୍ କହନ୍ତି, ଏହି ଅର୍ଥ ଅଧିକାଂଶ ସମୟରେ ସେମାନଙ୍କ ଦରମାରୁ କଟାଯାଏ । ରେଳ ମନ୍ତ୍ରଣାଳୟର ଜଣେ ପ୍ରବକ୍ତା କହିଛନ୍ତି, ଏହା ଏକ ଗମ୍ଭୀର ମାମଲା । ଟ୍ରେନ୍‌ରେ ବିଛଣା ସାମଗ୍ରୀ ଚୋରିକୁ ରୋକିବାକୁ ଏବଂ ଚୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରୟାସ କରାଯାଉଛି । ଏହି ଚୋରିରେ କର୍ମଚାରୀଙ୍କ ହାତ ଥିବାର କୌଣସି ପ୍ରମାଣ ରେଳବାଇକୁ ମିଳିପାରୁନି ।

ଆହୁରି ପଢ଼ନ୍ତୁ...Airfare Regulation Case : ମନଇଚ୍ଛା ବିମାନ ଭଡା ଉପରେ ସୁପ୍ରିମକୋର୍ଟଙ୍କ ଆକ୍ସନ, ଦୁଇ ସପ୍ତାହ ମଧ୍ୟରେ ନୂଆ ନିୟମ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

୭ ଜୋନ୍‌ର ୧୦ ଡିଭିଜନ୍‌ରେ ମୋଟ୍ ବିଛଣା ସାମଗ୍ରୀ ଚୋରିର ୬୭% ରେକର୍ଡ ହୋଇଛି । ଏଥିରେ ବିକାନେର, ଯୋଧପୁର ଓ ଜୟପୁର (ରାଜସ୍ଥାନ ସମେତ), ରାଞ୍ଚି, ଦିଲ୍ଲୀ, ମୁମ୍ବାଇ, ଅହମଦାବାଦ, ସୋନପୁର ଓ ଦାନାପୁର ଏବଂ ବିଲାସପୁର ରହିଛି । ଚୋରି ସାମଗ୍ରୀ ମଧ୍ୟରେ ତଉଲିତା ଶୀର୍ଷରେ ରହିଛି । ସାଙ୍ଗରେ ନେବା ସହଜ ହେଉଥିବାରୁ ୪ ବର୍ଷ ମଧ୍ୟରେ ମୋଟାମୋଟି ୪୬.୫୪ ଲକ୍ଷ ତଉଲିଆ ଚୋରି ହୋଇଛି । ତା’ପରେ ଅଛି ବେଡ୍‌ସିଟ୍ (୪୧.୧୩ ଲକ୍ଷ), ତକିଆ ଖୋଳ (୨୩.୫୯ ଲକ୍ଷ), କମ୍ବଳ (୧୨.୯୫ ଲକ୍ଷ) ଏବଂ ତକିଆ (୨.୭୬ ଲକ୍ଷ) । ବିକାନେର, ରାଞ୍ଚିରେ ସର୍ବାଧିକ ଚୋରି ରେକର୍ଡ ହୋଇଛି ।