ସମ୍ବଲପୁର/ବୁର୍ଲା,୦୯/୦୭: ଉପରମୁଣ୍ଡରେ ପ୍ରବଳ  ବର୍ଷା ଫଳରେ  ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଉଥିବାରୁ  ଗୁରୁବାର ହୀରାକୁଦ ନଦୀବନ୍ଧରୁ ଚଳିତବର୍ଷର ପ୍ରଥମ  ବନ୍ୟାଜଳ ନିଷ୍କାସନ ହେବ । ପୂର୍ବାହ୍ନ ୧୧ଟାରେ ହୀରାକୁଦ  ସ୍ପିଲ୍‌ୱେର ପ୍ରାୟ ୪ଟି ସ୍ଲୁଇସ୍‌ ଗେଟ୍‌ ଖୋଲାଯାଇ ଜଳ ନିଷ୍କାସନ  କରାଯିବ । ଏଥିପାଇଁ ନଦୀବନ୍ଧ କର୍ତ୍ତୃପକ୍ଷ, ଜଳସମ୍ପଦ ବିଭାଗ  ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ମହାନଦୀ  ଓ ଏହାର ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ତେଣୁ  ନଦୀ  ଅବବାହିକା ଓ ତଳମୁଣ୍ଡରେ ଥିବା ଲୋକଙ୍କୁ ମହାନଦୀରେ  ପ୍ରବେଶ ନକରିବା ସହ ସତର୍କ ରହିବାକୁ ଡାକବାଜୀ ଯନ୍ତ୍ର ମାଧ୍ୟମରେ ଅବଗତ କରାଯାଇଛି ।  

ସୂଚନା ଅନୁସାରେ, ପୂର୍ବବର୍ଷ ପରି ପରମ୍ପରା ଅନୁସାରେ ପୂଜାପାଠ ପରେ ପ୍ରଥମେ ହୀରାକୁଦ ସ୍ପିଲୱେର ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ ଖୋଲାଯିବ । ପରେ ପ୍ରର୍ଯ୍ୟାୟକ୍ରମେ ଆଉ ୩ଟି ଗେଟ୍‌ ଖୋଲାଯିବାକୁ  ଲକ୍ଷ୍ୟ ରଖାଯାଇଛି । ପରେ ସ୍ଥିତିକୁ ଦେଖି ଗେଟ୍‌  ଖୋଲିବା ସଂଖ୍ୟା ବୃଦ୍ଧି କରାଯିବ । ତେବେ ରୁଲ୍‌କଭ୍‌ର୍ ଅନୁସାରେ, ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ଜଳଭଣ୍ଡାରର ସର୍ବାଧିକ ଜଳସ୍ତର ୬୦୫  ଫୁଟ୍‌ ରହିବାର ନିୟମକୁ ଆଧାର କରି ବନ୍ୟାଜଳ ପରିଚାଳନା କରାଯାଉଛି ।  

ଅଧିକ ପଢ଼ନ୍ତୁ :-  Weather Forecast: ଆସୁଛି ଆଉ ଏକ ଲଘୁଚାପ, ୧୨ରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ନଦୀବନ୍ଧର ମୁଖ୍ୟଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର  ଚୌଧୁରୀ କହିଛନ୍ତି, ବର୍ତ୍ତମାନ ଜଳଭଣ୍ଡାରରେ  ଜଳସ୍ତର ପ୍ରାୟ ୬୧୪.୬୫ ଫୁଟ୍‌ ରହିଛି । ଉପରମୁଣ୍ଡ  ସମେତ ଇବ୍‌ ଓ ଭେଡେନ୍‌ ନଦୀରୁ ଜଳଭଣ୍ଡାରକୁ  ପ୍ରତି ସେକେଣ୍ଡରେ ପ୍ରାୟ ଅଢ଼େଇ ଲକ୍ଷ କ୍ୟୁସେକ୍‌  ପାଣି ପ୍ରବେଶ କରୁଛି । ସେହିପରି ବୁର୍ଲା ପାୱାର୍‌  କେନାଲ୍‌, ଶାସନ ଓ ବରଗଡ କେନାଲ୍‌ ମାଧ୍ୟମରେ  ସେକେଣ୍ଡ ପ୍ରତି ପ୍ରାୟ ୩୦ ହଜାର୍‌ କ୍ୟୁସେକ୍‌  ଜଳ ନିଷ୍କାସିତ ହେଉଛି । ଅନ୍ୟପଟେ ମହାନଦୀର  ତଳମୁଣ୍ଡରେ ପ୍ରବାହିତ ବନ୍ୟାଜଳ ପରିମାଣ ଗତକାଲି  ଠାରୁ ହ୍ରାସ୍‌ ପାଇଛି । ଜଳଭଣ୍ଡାରକୁ ପ୍ରବେଶ କରୁଥିବା  ଜଳରାଶି ଓ ତଳମୁଣ୍ଡର ସ୍ଥିତିକୁ ଦେଖି ଜଳ ନିଷ୍କାସନ  ପରିମାଣ ଓ ଗେଟ୍‌ ସଂଖ୍ୟା ସ୍ଥିର କରାଯିବ । ବର୍ତ୍ତମାନ  ସ୍ଥିତି ସ୍ୱାଭାବିକ ରହିଥିବା ଇଂ ଚୌଧୁରୀ କହିଛନ୍ତି ।