କୋଣାର୍କ,‌ ୧୩।୯ : ଚନ୍ଦ୍ରଭାଗା ସମୁଦ୍ର ଉପକୂଳରେ ବୁଲୁଛି ବଉଳା କୁମ୍ଭୀର। କୋଣାର୍କ ବନବିଭାଗ ଶନିବାର ଏକ ଛୁଆ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି। କୁମ୍ଭୀରକୁ ନେଇ ଚନ୍ଦ୍ରଭାଗା ନୋଳିଆ ମତ୍ସ୍ୟଜୀବୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। 

ସୂଚନାନୁଯାୟୀ, ଚନ୍ଦ୍ରଭାଗା ସମୁଦ୍ର କୂଳରେ ଆଜି ଏକ ଛୁଆ ବଉଳା କୁମ୍ଭୀରକୁ ଦେଖି ସ୍ଥାନୀୟ ବାସିନ୍ଦା କୋଣାର୍କ ବନବିଭାଗକୁ ଖବର ଦେଇଥିଲେ। ଏହାପରେ ଛୁଆ କୁମ୍ଭୀରକୁ ଉଦ୍ଧାର କରାଯାଇ କୋଣାର୍କ ବନାଞ୍ଚଳ ବନ୍ୟପ୍ରାଣୀ କାର୍ଯ୍ୟାଳୟ ପରିସରରେ ରଖାଯାଇଛି। ମା' କୁମ୍ଭୀର ଚନ୍ଦ୍ରଭାଗା ନୋଳିଆ ବସ୍ତି ନିକଟରୁ ସମୁଦ୍ର ଉପକୂଳବର୍ତ୍ତୀରେ ରହିଥିବା ଜଣାପଡିଛି। କୁମ୍ଭୀରଟି ମୁହାଣ ମୁହଁ ଦେଇ ସମୁଦ୍ରରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ଏହି କୁମ୍ଭୀର ଛୁଆକୁ ନନ୍ଦନକାନନରେ ଛଡାଯିବ ବୋଲି କୋଣାର୍କ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ସୁଦର୍ଶନ ଦେହୁରୀ କହିଛନ୍ତି।