କାନପୁର : ରାସ୍ତାରେ ଥିବା ଖୋଲା ଗର୍ତ୍ତ ଓ ମ୍ୟାନହୋଲ୍ ଯୋଗୁଁ ବାରମ୍ୱାର ଲୋକଙ୍କ ଜୀବନ ଚାଲି ଯାଉଛି। ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଦିଲ୍ଲୀର ଜନକପୁରୀରେ ଗର୍ତ୍ତରେ ଖସି ପଡ଼ିବା ଯୋଗୁଁ କମଲଙ୍କର ମୃତ୍ୟୁ ହୋଇଥିଲା, ଆଉ ଏକ ଘଟଣାରେ ରୋହିଣୀ ସେକ୍ଟର-୩୨ରେ ମ୍ୟାନହୋଲ୍ରେ ଖସି ପଡ଼ିବା ଯୋଗୁଁ ବିରଜୁ ପ୍ରାଣ ହରାଇ ଥିଲେ। ତିନି ଦିନ ପୂର୍ବେ ମିରଟରେ ଜଣେ ଯୁବକଙ୍କର ମୃତଦେହ ନାଳରୁ ମିଳି ଥିଲା। ଏବେ ତାଜା ଘଟଣାରେ କାନପୁର ଦେହାତରୁ ସାମ୍ନାକୁ ଆସିଛି ଯେ, ରାସ୍ତା ପାର୍ଶ୍ୱରେ ଖୋଳା ଯାଇଥିବା ଗାତରେ ଖସି ପଡ଼ିବାରୁ ଜଣେ ବିଦ୍ୟୁତ୍ କର୍ମଚାରୀଙ୍କ ମୃତ୍ୟୁ ହୋଇଛି।
ଆହୁରି ମଧ୍ୟ ପଢନ୍ତୁ : ପାଟନା ସିଭିଲ୍ କୋର୍ଟକୁ ବୋମା ଧମକ, ପୁଲିସ ଏବଂ ଡଗ୍ ସ୍କ୍ୱାଡ୍ ନିୟୋଜିତ
ସିଷ୍ଟମର ଅବହେଳା ଯୋଗୁଁ ଆଉ ଜଣେ ଯୁବକଙ୍କ ଜୀବନ ଚାଲି ଯାଇଛି। ଉଲ୍ଲେଖନୀୟ ଯେ, କାନପୁର ଦେହାତର ଶିଭଲି କୋତବାଲୀ ଅଞ୍ଚଳର ମରହମତାବାଦ ନିକଟରେ, ବେଲା-କାନପୁର ରାସ୍ତାରେ ଦ୍ରୁତ ଗତିରେ ଯାଇ ଥିବା ବାଇକ୍ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଏକ ଖାଲରେ ପଡ଼ି ଯାଇ ଥିଲା।ସାରା ରାତି କାଦୁଅ ଭିତରେ ଫସି ରହି ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ମିଳିବା କ୍ଷଣି ପରିବାରରେ ଦୁଃଖର ଛାୟା ଖେଳି ଯାଇଛି। ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।
୨୭ ବର୍ଷିୟ ଧିରେନ୍ଦ୍ର କୁମାର ପନକୀ ପାୱାର ହାଉସରେ ଜଣେ ପ୍ରାଇଭେଟ୍ କର୍ମଚାରୀ ଭାବେ କାମ କରୁଥିଲେ।ରସୁଲାବାଦ ଥାନା ଅଞ୍ଚଳର ଭବାନୀପୁର ଗାଁରେ ରହୁଥିଲେ। ବୁଧବାର ସକାଳେ ସେ ତାଙ୍କ ବାଇକ୍ ଗାଁକୁ ଯାଉଥିଲେ। ବେଲା-କାନପୁର ରାସ୍ତାରେ ଶିଭଲି କୋତବାଲୀ ଅଞ୍ଚଳର ମରହମତାବାଦ ନିକଟରେ ଦ୍ରୁତ ଗତିରେ ବାଇକ୍ ନିୟନ୍ତ୍ରଣ ହରାଇ ଗାତରେ ଖସି ପଡ଼ିଥିଲା , ସେ ଗୁରୁତର ହୋଇଥିଲେ। ସେହି ବାଟ ଦେଇ ଯାଉଥିବା ଲୋକଙ୍କ ସୂଚନାରେ ପୁଲିସ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦେବା ପରେ ତାଙ୍କର ଗମ୍ଭୀର ସ୍ଥିତିରେ ସିଏଚସି ଶିଭଲି ପଠାଇ ଥିଲେ। ସେଠାରେ ଥିବା ଡାକ୍ତର ତାଙ୍କର ପରୀକ୍ଷଣ କରିବା ପରେ ମୃତ ଘୋଷଣା କରିଥିଲେ।
ଶିଭଲି କୋତବାଲି ପ୍ରବୀଣ କୁମାର ସିଂହ କହିଛନ୍ତି ଯେ, ପ୍ରାଥମିକ ଛାନଭିନରେ ଦ୍ରୁତ ଗତିରେ ଯାଉଥିବା ବାଇକ୍ ଅନିୟନ୍ତ୍ରିତ ହୋଇ ଗାତରେ ଖସି ପଡ଼ିବାରୁ ଦୁର୍ଘଟଣା ଘଟିବା କଥା ସାମ୍ନାକୁ ଆସିଛି। ପରିବାରର ଅଭିଯୋଗ ଓ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଅଗ୍ରିମ କାର୍ଯ୍ୟାନୁଷ୍ଠାନ ହେବ।