ମୋ ପୁଅ ମୃତ୍ୟୁର ଦୁଃଖଠୁ ବେଶି ଖୁସି ଦେଇଛି : ଓମ୍ ଆଖିରେ କେହି ତ ଜଣେ ଦୁନିଆ ଦେଖିବ’…

ଗୋପ, ୦୪/୦୭: ଗୋପ ଏରବଙ୍ଗ ପଞ୍ଚାୟତର ଜଣେ ତିନି ବର୍ଷର ବାଳକ ମୃତ୍ୟୁବରଣ କରିବା ପରେ ପରିବାର ପକ୍ଷରୁ ତାଙ୍କ ଚକ୍ଷୁ ଦାନ କରାଯାଇଛି । ବାଳକଙ୍କ ବାପା କହିଛନ୍ତି ମୋ ପୁଅ ଆଖିରେ ଆଉ ଜଣେ କେହି ଦୁନିଆ ଦେଖିବ । ଅନେକ ବ୍ୟକ୍ତି ଆଖି ହରାଇ ଦିବ୍ୟାଙ୍ଗ ଅବସ୍ଥାରେ ସଂପୂର୍ଣ୍ଣ ଅନ୍ଧକାରରେ ଦିନ କାଟୁଥିବାବେଳେ ସେମାନଙ୍କ ପାଇଁ ସରକାର ଓ କେତେକ ଜନସାଧାରଣ ଚକ୍ଷୁଦାନ କରି ମହତ କାର୍ଯ୍ୟ କରୁଛନ୍ତି । ଏରବଙ୍ଗ ପଞ୍ଚାୟତର ତିନି ବର୍ଷର ବାଳକର ଚକ୍ଷୁଦାନ କରି ତାଙ୍କ ପରିବାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ଏରବଙ୍ଗ ଗ୍ରାମର ତାପସ କୁମାର ମହାନ୍ତିଙ୍କର ୩ ବର୍ଷର ପୁଅ ଓମ୍ ପ୍ରକାଶ କୌଣସି କାରଣରୁ ଦେହ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିଲା । ଓମ୍ ପ୍ରକାଶ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଓମ୍ ପ୍ରକାଶଙ୍କ ବାପା ପୁଅକୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ଦୁଃଖ ଓ ପରିତାପର ସମୟରେ ଏକ ମହତ କାର୍ଯ୍ୟ କରିବେ ବୋଲି ସେ ମନ ଭିତରେ ଭାବିବା ସହିତ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସହ ଯୋଗାଯୋଗ କରି ପୁଅର ଚକ୍ଷୁକୁ ଦାନ କରିଥିଲେ ।
ଓମ୍ ପ୍ରକାଶଙ୍କ ବାପା ତାପସ କହିଛନ୍ତି ମୋ ପୁଅକୁ ହରେଇ ଯେତିକି ଦୁଃଖରେ ରହିଛି ତାର ଚକ୍ଷୁ ଦାନ କରି ମୁଁ ସେତିକି ଖୁସି ଅନୁଭବ କରିଛି। ମୋ ପୁଅ ଆଖିରେ ଆଉ ଜଣେ କେହି ଦୁନିଆ ଦେଖିପାରିବ । ଏଭଳି କାର୍ଯ୍ୟକୁ ଗୋପ ଓ ଏରବଙ୍ଗ ଅଞ୍ଚଳରେ ତାପସଙ୍କୁ ଅନେକ ପ୍ରଶଂସା କରାଯିବା ସହିତ ଏହା ଏକ ମହତ କାର୍ଯ୍ୟ ଓ ସମସ୍ତେ ଏପରି ପଦକ୍ଷେପ ନେଇପାରନ୍ତି ନାହିଁ ବୋଲି ଆଲୋଚନା ହେଉଅଛି ।