ନୂଆଦିଲ୍ଲୀ ୨୩/୦୩: ଆଧୁନିକ ଜୀବନର ବିଭିନ୍ନ କ୍ଷେତ୍ରରେ ରୋବୋ ପ୍ରବେଶ କରିଛି । ଚୀନ୍‌ବାସୀ ସେମାନଙ୍କ ଜୀବନର ବିଭିନ୍ନ ଦିଗରେ ରୋବୋକୁ ପ୍ରୟୋଗ କରୁଛନ୍ତି । ନୃତ୍ୟ ପ୍ରତିଯୋଗିତାଠୁ ଆରମ୍ଭ କରି ବ୍ୟକ୍ତିଗତ ଆବଶ୍ୟକତାରେ ସେମାନେ ରୋବୋକୁ ବ୍ୟବହାର କରୁଛନ୍ତି । ଦୈନନ୍ଦିନ ଜୀବନରେ ଏଆଇ ପରିଚାଳିତ ସହଯୋଗୀଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହେବାରେ ଲାଗିଛି । ଏହି କ୍ରମରେ ଚୀନ୍‌ର ଜଣେ ଇନ୍‌ଫ୍ଲୁଏନ୍ସର ନିଜ ଘର କାମ କରିବା ପାଇଁ ଓ ପାର୍ଟନର୍‌ ହେବା ପାଇଁ ଏକ ମାନବ ରୋବୋକୁ ଦିନକ ପାଇଁ ଭଡ଼ାରେ ଆଣିଲେ । 

ଜାଣି ଆଶ୍ଚର୍ଯ୍ୟ ହେବେ, ଦିନକ ପାଇଁ ଘର କାମ ଯଥା ରୋଷେଇ, ଘର ସଫା ଓ ଡେଟ୍‌ରେ ଯିବା ପାଇଁ ବ୍ୟକ୍ତି ଜଣକ ୧୦ ହଜାର ୟୁଆନ୍‌ ଅର୍ଥାତ୍‌ ୧.୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ମାନବ ରୋବୋ ଭଡ଼ାରେ ଆଣିଲେ । ସୋସିଆଲ ମିଡିଆରେ ସେ ନିଜ ଅନୁଭବ ଶେୟାର କରିଛନ୍ତି, ଯାହାକୁ ନେଇ ୟୁଜର୍‌ଙ୍କ ଚିନ୍ତା ବଢ଼ିଛି । ମଣିଷ ଜୀବନରେ ରୋବୋଙ୍କ ଭବିଷ୍ୟତ ବିଷୟରେ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି । ୨୫ ବର୍ଷୀୟ ଝାଙ୍ଗ୍‌ ଜେନୟୁଆନ୍‌ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଛନ୍ତି । ସେ ଜଣେ ଭ୍ରମଣ ବ୍ଲଗର୍‌ । ତାଙ୍କର ୧୪ ଲକ୍ଷ ଫଲୋଅର୍‌ ଅଛନ୍ତି । ଗତ ମାର୍ଚ୍ଚ ୧୩ ତାରିଖରେ ଝାଙ୍ଗ୍‌ ଏକ ମାନବ ରୋବୋ ସହିତ ଗୋଟିଏ ଦିନ ବିତାଇବାର ଭିଡିଓ ଶେୟାର କରିଛନ୍ତି । ଏଥିରେ ଚୀନ୍‌ର ଅନ୍ୟତମ ସବୁଠ ଉନ୍ନତ ସଂସ୍କରଣ ମାନବ ରୋବୋ ‘ଜିୱାନ୍‌’ ସହିତ ସେ ଗୋଟିଏ ଦିନ ବିତାଇବାର ଅନୁଭବ ବର୍ଣ୍ଣନା କରିଛନ୍ତି । 

ଗତ ବର୍ଷ ମେ’ ୧୩ ତାରିଖରେ ଚୀନ୍‌ କମ୍ପାନି ୟୁନିଟ୍ରି ରୋବୋଟିକ୍ସ ୧୧ ଲକ୍ଷ ଟଙ୍କାର ଏହି ରୋବୋ ଜାରି କରିଥିଲା । ସାଇନ୍ସ ଫିକ୍ସନ୍‌ ଫିଲ୍ମରେ ଯେମିତି ରୋବୋଙ୍କୁ ମଣିଷ ସହ ରହୁଥିବା ଦେଖିବାକୁ ମିଳେ, ଝାଙ୍ଗ୍‌ ଠିକ୍‌ ସେହିପରି କଲେ । କଳ୍ପନାକୁ ବାସ୍ତବତାରେ ରୂପାନ୍ତରିତ କରିବାକୁ ଚିନ୍ତା କରି ଜିୱାନ୍‌କୁ ସେ ଭଡ଼ାରେ ନେଲେ । ଜିୱାନ୍‌ର ଓଜନ ୩୫ କିଲୋ, ଉଚ୍ଚତା ୧୨୭ ସେମି । ଏହା ଚପଳତା ପ୍ରଦର୍ଶନ କରେ । ମାର୍ଶଲ ଆର୍ଟ ମଧ୍ୟ କରିପାରେ । ଭିଡିଓରେ ଜାଙ୍ଗ୍‌ ଚଟାଣରେ ଶୋଇଥିବା ଜିୱାନ୍‌କୁ ସକ୍ରିୟ କରୁଥିବା ନଜର ଆସିଛନ୍ତି । ସେ ଏହାକୁ ଠିଆ ହେବାକୁ ନିର୍ଦ୍ଦେଶ ଦେଲେ । ଜିୱାନ୍‌ ଦ୍ରୁତ ବେଗରେ ନିଜର ହାତଗୋଡ଼କୁ ଭାଙ୍ଗିଲା ଏବଂ ପାଦ ପକାଇ ଠିଆ ହେଲା । ତା’ପରେ ଝାଙ୍ଗ୍‌ଙ୍କୁ ଅଭିବାଦନ ଜଣାଇ କହିଲା, ‘ହେଲୋ, ମିଷ୍ଟର୍‌ ଝାଙ୍ଗ୍‌, ଆପଣଙ୍କୁ ଭେଟି ଖୁସି ଲାଗିଲା ।’ ଏହା ପରେ ଆତ୍ମବିଶ୍ୱାସର ସହ ନିଜର ଦକ୍ଷତାଗୁଡ଼ିକର ତାଲିକା ଦେଲା । ରୋଷେଇ, ଘର ସଫା, ଖାଇବା ଓ କିଣାକିଣିରେ ଝାଙ୍ଗ୍‌ଙ୍କ ସହିତ ରହିପାରିବ ବୋଲି ସେ କହିଲା । 

ସେ କିଏ ବୋଲି ଝାଙ୍ଗ୍‌ ରୋବୋକୁ ପଚାରିଲେ । ଜିୱାନ୍‌ ତୁରନ୍ତ ଝାଙ୍ଗ୍‌ଙ୍କ ବୃତ୍ତି ଓ ସୋସିଆଲ ମିଡିଆ ଫଲୋଅର୍‌ ସଂଖ୍ୟା କହିଲା ଏବଂ ତାଙ୍କ କାମକୁ ମଧ୍ୟ ପ୍ରଶଂସା କଲା । ଜିୱାନ୍‌ର ଉତ୍ତରରେ ଝାଙ୍ଗ୍‌ ହସିଲେ ଏବଂ କହିଲେ ‘ଏହା ମୋତେ ଏପର୍ଯ୍ୟନ୍ତ ସେବା ଦେବା ଆରମ୍ଭ କରିନି, କିନ୍ତୁ ପ୍ରଶଂସା କରିସାରିଲାଣି ।’ଏହା ପରେ ଝାଙ୍ଗ୍‌ଙ୍କ ସହ ଘର କାମରେ ଜିୱାନ୍‌ ସାହାଯ୍ୟ କଲା । ଏଥିରେ ତାକୁ ଟିକିଏ ସମସ୍ୟା ହେଲେ ମଧ୍ୟ ବେଶ ଭଲଭାବେ ସେ ବାହାରେ ବୁଲାବୁଲି କରିପାରୁଥିଲା । ଝାଙ୍ଗ୍‌ଙ୍କ ହାତରେ ହାତ ଛନ୍ଦି ରାସ୍ତାରେ ଚାଲୁଥିଲା । ବାଟରେ ଆସୁଥିବା ବାଧକଗୁଡ଼ିକୁ ମଧ୍ୟ ବେଶ ସାବଧାନତାର ସହ ଏଡ଼ାଇ ପାରୁଥିଲା । ଝାଙ୍ଗ୍‌ଙ୍କ ପଛରେ ମଧ୍ୟ ଦୌଡ଼ି ପାରୁଥିଲା । ଝାଙ୍ଗ୍‌ ଜିୱାନ୍‌କୁ ନୃତ୍ୟ କରିବାକୁ କହିଲେ । ପ୍ରଦର୍ଶନ ମଝିରେ ଅଟକି ଯିବାରୁ ଜିୱାନ୍‌ ତାଙ୍କୁ କ୍ଷମା ପ୍ରାର୍ଥନା କଲା । ରୋବୋର ସଚ୍ଚୋଟତାରେ ଖୁସି ହୋଇ ଗର୍ଲଫ୍ରେଣ୍ଡ୍‌ ଆଉ ଆବଶ୍ୟକ ନାହିଁ ବୋଲି ଝାଙ୍ଗ୍‌ କହିଲେ । ଦିନ ଶେଷ ହେବା ପରେ ଝାଙ୍ଗ୍‌ ଓ ଜିୱାନ୍‌ ଡେଟ୍‌ରେ ନଦୀକୂଳକୁ ବୁଲିବାକୁ ଗଲେ । ରୋବୋ ସାଥୀ ସହ ଶେୟାର କରିବା ପାଇଁ ସେ ଦୁଇଟି ପାନୀୟ ଅର୍ଡର୍‌ କଲେ । ଶେଷରେ ଝାଙ୍ଗ୍‌ ଜିୱାନ୍‌କୁ ଆଲିଙ୍ଗନ କରି କହିଲେ ‘ମୋତେ ତୁମକୁ କାଲି ଫେରାଇ ଆଣିବାକୁ ହେବ । ମୁଁ ତୁମକୁ ମିସ୍‌ କରିବି ।’ ରୋବୋ ସହ ଗୋଟିଏ ଦିନ ବିତାଇବା ପରେ ନିଃସଙ୍ଗତା ଦୂର ହୋଇଥିବା ଝାଙ୍ଗ୍‌ କହିଲେ ।