ନୂଆଦିଲ୍ଲୀ ୧୪/୦୩: କେନିଆର ଏକ ବିମାନବନ୍ଦରରେ ଚୀନର ଜଣେ ନାଗରିକ ହଜାର ହଜାର ଜୀବନ୍ତ ‘କ୍ୱିନ୍ ଗାର୍ଡେନ୍ ଆଣ୍ଟ’ ଚାଲାଣ ସମୟରେ ଧରାପଡ଼ିଛନ୍ତି । ଅଭିଯୁକ୍ତଙ୍କ ପାଖରୁ ୨ ହଜାରରୁ ଅଧିକ ଜନ୍ଦା ଜବତ କରାଯାଇଛି । ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଝାଙ୍ଗ କେକୁନଙ୍କୁ ଜୋମୋ କେନ୍ୟାଟା ଅନ୍ତର୍ଜାତୀୟ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ଗିରଫ କରାଯାଇଛି । ତାଙ୍କ ବ୍ୟାଗ୍ରୁ ବିପୁଳ ସଂଖ୍ୟାରେ ଜୀବନ୍ତ ଜନ୍ଦା ଜବତ କରାଗଲା, ଯାହାକୁ ସେ ଚୀନ୍ ନେବାକୁ ଚେଷ୍ଟା କରୁଥିଲେ ।
ଯାଞ୍ଚ ଅଧିକାରୀଙ୍କ ଅନୁସାରେ, ପ୍ରାୟ ୧,୯୪୮ କ୍ୱିନ୍ ଗାର୍ଡେନ୍ ଜନ୍ଦାଙ୍କୁ ସ୍ୱତନ୍ତ୍ର ଟେଷ୍ଟ୍ ଟ୍ୟୁବରେ ପ୍ୟାକ୍ କରାଯାଇଥିଲା । ପ୍ରାୟ ୩୦୦ ଜନ୍ଦାଙ୍କୁ ଟିସ୍ୟୁ ପେପର୍ ରୋଲ୍ ଭିତରେ ଲୁଚାଇ ଲଗେଜ୍ ଭିତରେ ରଖାଯାଇଥିଲା । ଏହି ଜନ୍ଦା ‘ମେସର ସେଫାଲୋଟ୍ସ’ ନାମକ ପ୍ରଜାତିର । ଅନ୍ତର୍ଜାତୀୟ ଜୈବ ବିବିଧତା ନିୟମ ଅନୁସାରେ ଏମାନଙ୍କୁ ସଂରକ୍ଷିତ କରାଯାଇଛି । କେନିଆ ୱେଲଫେୟାର ସର୍ଭିସ ଅନୁସାରେ, ୟୁରୋପ ଓ ଏସିଆର କିଛି ଦେଶରେ ଏହି ଜନ୍ଦାଙ୍କୁ ବିଦେଶୀ ପୋଷା ରୂପେ ରଖିବାର ଟ୍ରେଣ୍ଡ ବଢୁଛି । ସେଥିପାଇଁ ଏମାନଙ୍କ ଚୋରା ଚାଲାଣ ମାମଲା ମଧ୍ୟ ସାମ୍ନାକୁ ଆସୁଛି । ଯାଞ୍ଚ ଏଜେନ୍ସିମାନଙ୍କ ଅନୁସାରେ, ଏ ମାମଲା କୌଣସି ଅନ୍ତର୍ଜାତୀୟ ଜନ୍ଦା ଚୋରାଚାଲାଣ ନେଟ୍ୱର୍କ ସହ ଜଡ଼ିତ ହୋଇପାରେ । ପୂରା ମାମଲାର ଯାଞ୍ଚ ପାଇଁ କୋର୍ଟ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ପଠାଇଛନ୍ତି ।
ଆହୁରି ପଢ଼ନ୍ତୁ...ଇସ୍ରାଏଲ୍ ଉପରେ ଘନ ଘନ ମିସାଇଲ୍ ମାଡ଼, ବଙ୍କରରେ ପାର୍ଟି କରୁଛନ୍ତି ଜେନ୍-ଜି