ଭୁବନେଶ୍ବର, ୪।୬ : ବିଜେପି ରାଜ୍ୟସଭା ପ୍ରାର୍ଥୀ ନାମ ଘୋଷଣା କରିଛି । ଦେବାଶିଷ ସାମନ୍ତରାୟଙ୍କୁ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମନୋନୀତ କରାଯାଇଛି। ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ କ୍ରମେ ଏହା ଘୋଷଣା କରାଯାଇଛି। ଦେବାଶିଷ ରାଜ୍ୟସଭା ସାଂସଦରୁ ଇସ୍ତଫା ଦେବା ପରେ ଖାଲି ପଡିଥିଲା ଏହି ଆସନ।
ସୂଚନାଯୋଗ୍ୟ ଯେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେବାଶିଷ ଇସ୍ତଫା ଦେଇଥିଲେ। ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ। ଏହା ପରେ ସେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କୁ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ପତ୍ର ଦେଇଥିଲେ। ପରେ ଦିଲ୍ଲୀରେ ସେ ବିଜେପିରେ ଯୋଗ ଦେଇଥିଲେ। ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲି ପଡିଥିଲା। ପାର୍ଟି ତାର ପୁରୁଣା ଫର୍ମୁଲା ଅନୁସାରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦେବାଶିଷଙ୍କୁ ପୁଣି ଥରେ ଏହି ଆସନରେ ପ୍ରାର୍ଥୀ କରିଛି। ଜୁନ ୧୮ ତାରିଖରେ ରାଜ୍ୟସଭା ଉପନିର୍ବାଚନ ହେବ। ନାମାଙ୍କନ ଦାଖଲ ଶେଷ ତାରିଖ ଜୁନ ୮ ରହିଛି। ଦେବାଶିଷ ପୂର୍ବରୁ ବାରବାଟୀ କଟକ ଆସନ ଏବଂ ତିର୍ତ୍ତୋଲ ଆସନରୁ ମଧ୍ୟ ବିଜେଡି ବିଧାୟକ ଥିଲେ ।
ଏହା ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇ ପୁଣି ଥରେ ରାଜ୍ୟସଭା ଯାଇଥିଲେ ମମତା ମହାନ୍ତ। ସେହିପରି ସୁଜିତ କୁମାର ପୁନର୍ବାର ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।
ଆହୁରି ପଢନ୍ତୁ : ରାଜ୍ୟରେ ଫେରିବ ମୂଳ ଓଡ଼ିଆ ନାମ , ୫୦ରୁ ଅଧିକ ସ୍ଥାନର ନାମ ହେବ ପରିବର୍ତ୍ତନ