ନୂଆଦିଲ୍ଲୀ ୧୪/୦୩ ଇସ୍ରାଏଲ-ଇରାନ ଯୁଦ୍ଧ ସ୍ଥିତିରେ ଇସ୍ରାଏଲର ଶତାଧିକ ଯୁବକ ତେଲ୍ ଅଭିଭ୍ର ଏକ ଭୂତଳ ବଙ୍କରରେ ରାତିସାରା ପାର୍ଟି କରିଛନ୍ତି । ଉପରେ ମିମାଇଲ ମାଡ଼ ହେଉଥିଲେ ମଧ୍ୟ ରାତିସାରା ସେମାନେ ନୃତ୍ୟ-ଗୀତରେ ମାତିଛନ୍ତି । ହାରାହାରି ୨୦ ବର୍ଷ ବୟସର ପ୍ରାୟ ୨୦୦ ଇସ୍ରାଏଲୀ ଯୁବକ ତେଲ୍ ଅଭିଭ୍ର ଡାଉନଟାଉନ୍ ସ୍ଥିତ ଏକ ବେସ୍ମେଣ୍ଟରେ ତଥାକଥିତ ‘ବଙ୍କର ପାର୍ଟି’ର ମଜା ନେଇଛନ୍ତି । ସମଗ୍ର ଭୂତଳ ଅଞ୍ଚଳରେ ଟେକ୍ନୋ ମ୍ୟୁଜିକ୍ ଗୁଞ୍ଜରିତ ହେଉଥିଲା । ଯୁଦ୍ଧ ସ୍ଥିତିରେ ଭୂପୃଷ୍ଠରେ ମିସାଇଲ ମାଡ଼ ସତ୍ତେ୍ୱ ସେମାନେ ଗୀତର ତାଳେ ତାଳେ ଖୁବ୍ ନାଚୁଥିଲେ । ବାରମ୍ବାର ବାୟୁମାର୍ଗରୁ ଆକ୍ରମଣର ଚେତାବନୀ ଓ ମିସାଇଲ ଧମକର ବାସ୍ତବ ସ୍ଥିତି ମଧ୍ୟରେ ଇସ୍ରାଏଲ କିଭଳି ଭାବେ ଦୈନନ୍ଦିନ ଜୀବନକୁ ଆଦରିଛି, ଏହି ପାର୍ଟି ତା’ର ଜ୍ୱଳନ୍ତ ଉଦାହରଣ । ଉପରେ ଯୁଦ୍ଧ ଓ ତଳେ ଜୀବନ ମଧ୍ୟରେ ଏକ ଅଜବ ତାଳମେଳକୁ ଏହା ଦର୍ଶାଇଛି ।
ଇସ୍ରାଏଲ-ଇରାନ ଯୁଦ୍ଧରେ ସାଇରନ୍ ଓ ମିସାଇଲ ଆକ୍ରମଣର ଶବ୍ଦ ମଧ୍ୟରେ ଇସ୍ରାଏଲର ଅନେକ ଯୁବ ବାସିନ୍ଦା ସାଧାରଣ ଜୀବନଧାରଣ ଲାଗି ପ୍ରୟାସ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କ୍ଲବ୍ ଲାଇଟ୍ ଡିଜେଙ୍କ ପ୍ରଦର୍ଶନ ମଧ୍ୟରେ ନୃତ୍ୟର ଆସର ଦେଖିବାକୁ ମିଳିଛି । ଏଥିସହ କ୍ୟାପ୍ସନରେ ଲେଖାହୋଇଛି ‘ଉପରେ ଜୀବନକୁ ଅସ୍ତବ୍ୟସ୍ତ କରିଥିବା ଇରାନ ସହ ଯୁଦ୍ଧ ସତ୍ତେ୍ୱ ପାର୍ଟି ।’ ଏହି ଦୃଶ୍ୟ ସ୍ପଷ୍ଟ କରିଛି, ଇସ୍ରାଏଲର ସହର, ଖାସ୍କରି ତେଲ୍ ଅଭିଭ୍ ଏବେ ଆଶ୍ରୟଗୃହ ଓ ଭୂତଳ ଠିକଣା ଭଳି ସୁଦୃଢ଼ ଢାଞ୍ଚା ଉପରେ ନିର୍ଭର କରିଛି, ଯାହା ଯୁଦ୍ଧ ସମୟରେ ଆପାତକାଳ ସୁରକ୍ଷାକୁ ଦୁଇଗୁଣ କରିଛି । ଦିନକୁ ଦିନ ଇସ୍ରାଏଲ-ଇରାନ ଯୁଦ୍ଧ ତୀବ୍ର ହେଉଛି । ମିସାଇଲ ମାଡ଼, ବାୟୁ ପ୍ରତିରକ୍ଷା ଏବଂ ଆଞ୍ଚଳିକ ଉତ୍ତେଜନା ମଧ୍ୟପ୍ରାଚ୍ୟର କେତେକ ଅଂଶରେ ଲୋକଙ୍କ ଦୈନନ୍ଦିନ ଜୀବନକୁ ନୂଆ ରୂପ ଦେଇଛି । ବିପଦ ସତ୍ତେ୍ୱ କିଛି ଇସ୍ରାଏଲବାସୀ ଯୁଦ୍ଧର ଅନିଶ୍ଚିତତା ସହିତ ସାଧାରଣ ଜୀବନଯାପନ ବଜାୟ ରଖିଛନ୍ତି।
ଅଧିକ ପଢ଼ନ୍ତୁ:- ମଧ୍ୟ ପ୍ରାଚ୍ୟରେ ଜାରି ଯୁଦ୍ଧ ମଧ୍ୟରେ ଓମାନରେ ଦୁଇ ଭାରତୀୟଙ୍କ ମୃତ୍ୟୁ , ୧୦ ଆହତ