ନୂଆଦିଲ୍ଲୀ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଏକ ରାଜକୀୟ ଗ୍ରାଣ୍ଡ ଭୋଜିର ଆୟୋଜନ କରାଯାଇ ଥିଲା। ଏଥିରେ ଭୋଜନ ଟେବୁଲରେ ଉଭୟ ଦେଶର ପ୍ରସିଦ୍ଧ ବ୍ୟଞ୍ଜନର ସଙ୍ଗନ ଦେଖିବାକୁ ମିଳୁଛି। ଏହି ସମୟରେ (ଖବର ଲେଖାଯିବା ସୁଦ୍ଧା ପାଖାପାଖି ରାତି ୯ଟା ସମୟ) ରାଷ୍ଟ୍ରପତି ଭବନରେ ରାତ୍ରିଭୋଜନ ଚାଲିଛି , ଯେଉଁଠାରେ ପୁଟିନ୍ ଏବଂ ତାଙ୍କର ପୂରା ଡେଲିଗେସନ ରାଷ୍ଟ୍ରପତି ଭବନରେ ଉପସ୍ଥିତ ଅଛନ୍ତି ଏବଂ ଭୋଜନର ମଜ୍ଜା ନେଉଛନ୍ତି । ଏହି ଭୋଜିରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାଙ୍କ କ୍ୟାବିନେଟର ଅନେକ ମନ୍ତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରର ଭିଆଇପିମାନେ ଯୋଗ ଦେଇଛନ୍ତି।

ଉକ୍ତ ଭୋଜିରେ ବ୍ୟବସାୟ, ରାଜନୀତି ଏବଂ ସଂସ୍କୃତି ସମେତ ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି। ଏହି ଭୋଜିରେ ପାଖାପାଖି ୧୫୦ରୁ ଅଧିକ ଲୋକ ସାମିଲ ଅଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଯେବେ ପୁଟିନ ନିଜର ପ୍ରତିନିଧିମଣ୍ଡଳଙ୍କ ସହ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜେ ପୁଟିଙ୍କର ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ମୁର୍ମୁ ଭାରତ-ରୁଷ୍ ସ୍ପେଶାଲ ଓ ପ୍ରିଭିଲେଜଡ୍ ପାର୍ଟନିରସିପ୍ ପାଇଁ ରାଷ୍ଟ୍ରପତି ପୁଟିନଙ୍କ ସପୋର୍ଟ ଓ ପର୍ସନାଲ କମିଟମେଣ୍ଟର ପ୍ରଶଂସା କରିଛନ୍ତି। ଉଭୟ ନେତାମାନେ ଭରସା କରିଛନ୍ତି ଯେ, ଭାରତ ଓ ରୁଷ୍ ମଧ୍ୟରେ ବନ୍ଧୁତା , ଯାହା ଅନେକ ବର୍ଷରୁ ଦୃଢ ରହିଛି , ଆଗାମୀ ଅନେକ ବର୍ଷ ଯାଏ ଆହୁରି ମଜବୁତ୍ ହୋଇ ରହିବ।

ରାଷ୍ଟ୍ରପତି ଭବନରେ ଆୟୋଜିତ ରାଜକୀୟ ଭୋଜିରେ ଭାରତର ବିଶାଳ ସାଂସ୍କୃତିକ ଐତିହ୍ୟ ଏବଂ ଆତିଥ୍ୟ ପ୍ରଦର୍ଶିତ ହୋଇଥିଲା। ସୂତ୍ରାନୁସାରେ ଏହି ଭୋଜିର ମେନ୍ୟୁରେ ରୁଷୀୟ ବୋରଶ୍ଚ ଓ କାଶ୍ମୀର ୱାଜୱାନ୍ ଭଳି ଖାଦ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଇଣ୍ଡିଆ ଟୁଡେର ରିପୋର୍ଟରେ କୁହାଯାଇଛି ଯେ, ରାତ୍ରୀଭୋଜନ ସମୟରେ ଏକ ଜଏଣ୍ଟ ମିଲିଟ୍ରି ବ୍ୟାଣ୍ଡ ଭାରତ ଓ ରୁଷ୍ର ପ୍ରସିଦ୍ଧ ଗୀତ ମଧ୍ଯ ପରିବେଷଣ କରାଯିବ। ରିପୋର୍ଟ ମୁତାବିକ , ଭାରତୀୟ ସେନା, ନୌସେନା ଏବଂ ବାୟୁସେନାର ସଙ୍ଗୀତଜ୍ଞମାନେ ଟ୍ରାଇ-ସର୍ଭିସେଜ୍ ବ୍ୟାଣ୍ଡ ‘ସାରେ ଜହାଁ ସେ ଅଚ୍ଛା’ ଏବଂ ‘କଦମ୍ କଦମ୍ ବଢାଏ ଜା ’ ଭଳି ଦେଶାତ୍ମବୋଧକ ଗୀତର ମେଲୋଡି ପରିବେଷଣ କରିବେ।