ନୂଆଦିଲ୍ଲୀ ୧୨/୦୧: ଭୋପାଳ ପାରିବାରିକ ଅଦାଲତକୁ ବିଚାର ପାଇଁ ଆସିଥିବା ଏକ ମାମଲା ଏବେ ଚର୍ଚ୍ଚାରେ । ପୂଜାପାଠ କରି ପରିବାର ପୋଷଣ କରୁଥିବା ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ପାଠ ପଢ଼ାଇ ପୁଲିସ ଅଫିସର କଲେ । କିନ୍ତୁ ସବ୍-ଇନ୍ସପେକ୍ଟର ହୋଇଯିବା ପରେ ତାଙ୍କ ପତ୍ନୀ ଛାଡ଼ପତ୍ର ଲାଗି କୋର୍ଟରେ ଆବେଦନ କରିଛନ୍ତି । ପତିଙ୍କ ବେଶପୋଷାକ ଓ ବୃତ୍ତି ଯୋଗୁ ତାଙ୍କୁ ଲଜ୍ଜା ଲାଗୁଥିବା ଆବେଦନରେ ସେ ଦର୍ଶାଇଛନ୍ତି ।
ସୂଚନା ଅନୁସାରେ, ବିବାହ ସମୟରେ ପୁଲିସ ବିଭାଗରେ ଭର୍ତ୍ତି ହେବାକୁ ମହିଳାଙ୍କର ଇଚ୍ଛା ଥିଲା । ପତି ତାଙ୍କର ସେହି ଇଚ୍ଛାକୁ ସମ୍ମାନ ଜଣାଇଲେ । ପୂଜାପାଠରୁ କରୁଥିବା ଆୟର ଏକ ବଡ଼ ଅଂଶ ପତ୍ନୀଙ୍କ ପାଠପଢ଼ା ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତି ଦିଗରେ ଖର୍ଚ୍ଚ କଲେ । ଶେଷରେ ପତିଙ୍କ ସେହି ମହତ ଉଦ୍ଦେଶ୍ୟ ଫଳବତୀ ହେଲା । ପତ୍ନୀ ସବ୍-ଇନ୍ସପେକ୍ଟର ହେଲେ । କିନ୍ତୁ ସଫଳତା ମିଳିବା ପରେ ମହିଳାଙ୍କର ପତିଙ୍କ ପ୍ରତି ବ୍ୟବହାର ବଦଳିଗଲା । ପତିଙ୍କ ଧୋତି-କୁର୍ତ୍ତା ପିନ୍ଧିବା ଏବଂ ଲୁକ୍କୁ ଦେଖି ସେ ନାକ ଟେକିଲେ । ପତିଙ୍କ ବୃତ୍ତି ଯୋଗୁ ତାଙ୍କ ସାମାଜିକ ପ୍ରତିଷ୍ଠା ପ୍ରତି ଆଞ୍ଚ ଆସୁଥିବା ଦର୍ଶାଇଲେ । ଏପରିସ୍ଥଳେ ନିଜକୁ ବଦଳାଇବାକୁ ପତିଙ୍କ ଉପରେ ସେ ଚାପ ମଧ୍ୟ ପକାଇଲେ ।
ତେବେ ପତି ସେଥିଲାଗି ମନା କରିବାରୁ ମହିଳା କୋର୍ଟରେ ଛାଡ଼ପତ୍ର ଲାଗି ଆବେଦନ କରିଛନ୍ତି । ପତି-ପତ୍ନୀଙ୍କ ଝଗଡ଼ାର ଅନ୍ତ ଲାଗି ବହୁବାର କାଉନ୍ସିଲିଂ ମଧ୍ୟ କରାଯାଇଛି । କିନ୍ତୁ ମହିଳା ତାଙ୍କ ଜିଦ୍ରେ ଅଟଳ ଅଛନ୍ତି । ଏହି ସଂପର୍କକୁ ଆଗକୁ ବଢ଼ାଇବାକୁ ସେ ଚାହୁଁନଥିବା ଦର୍ଶାଇଛନ୍ତି ।