କଣିହାଁ,୧୦।୧୨: ଶିକାରୀ ବିଛାଇଥିବା ତାର ଫାଶରେ ପଡି ଗାଈ ସହିତ ଜଣେ ମୃତ। ଅନୁଗୋଳ ଜିଲ୍ଲା କଣିହାଁ ରେଞ୍ଜ ବଜ୍ରକୋଟ ଫରେଷ୍ଟ ବିଲମାଳ ନିକଟରେ ଏହି ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ କଣିହାଁ ଥାନା ପୋଇପାଳ ଗାଁର କାଳିଆ ବାରିକ ବୋଲି ଜଣାପଡିଛି। ଏନେଇ କଣିହାଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି।

ସୂଚନା ମୁତାବକ, ଗତକାଲି ରାତିରେ କାଳିଆ ୨୦ରୁ ଅଧିକ ଗୋରୁ ପଲକୁ ଧରି ନଦୀ ଘାଟକୁ ଯାଉଥିଲେ । ସେହି ସମୟରେ ଗୋଠରୁ ଗୋଟିଏ ଗୋରୁ ନିକଟସ୍ଥ ଜମି ବିଲ ଅଭିମୁଖେ ଦୌଡି ପଳାଇ ଥିଲା। ଉକ୍ତ ଗୋରୁକୁ ଖୋଜିବାକୁ ଯାଇଥିବା ବେଳେ ଶିକାରୀ ଜନ୍ତୁ ଶିକାର ପାଇଁ ବିଛାଇ ଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ କାଳିଆ ସହିତ ଗୋରୁର ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ମୃତକଙ୍କ ପରିବାରକୁ କ୍ଷତିପପୁରଣ ଦାବିରେ ପୋଇପାଳ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗିଥିବା ବେଳେ ପୁଲିସ ପରିସ୍ଥିତି ଉପରେ ନଜର ରଖିଛି। ସେପଟେ ଏନେଇ କଣିହାଁ ରେଞ୍ଜ ଅଧିକାରୀ ନୀଳାନ୍ଦ୍ରିନାଥ ସାହୁଙ୍କ ମତାମତ ଲୋଡ଼ିବାରୁ ସେ କହିଛନ୍ତି ପୁଲିସ କେସ ହୋଇଛି ଆମର କୌଣସି ଭୂମିକା ନାହିଁ।