ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ କୌତୁକିଆ ଭିଡିଓ ଭାଇରାଲ ହୋଇଥାଏ, କିନ୍ତୁ ଆପଣ କଣ କେବେ କୌଣସି ମାଙ୍କଡ଼କୁ ମଣିଷ ପରି ସେଲୁନକୁ ଯାଇ କେଶ କଟାଇବାର ଦେଖିଛନ୍ତି ? କର୍ଣ୍ଣାଟକର ଚାମରାଜନଗରରୁ ଏକ ଏମିତି ହିଁ କ୍ୟୁଟ୍ ଓ ଆଶ୍ଚର୍ଯ୍ୟକର ଭିଡିଓ ସାମ୍ନାକୁ ଆସିଛି। ଗୋଟେ ମାଙ୍କଡ଼ ଖୁବ୍ ଖୁସିରେ ସେଲୁନର ଚୌକିରେ ବସିଛି ଏବଂ ଭଣ୍ଡାରି ତାର କେଶକୁ ସଜାଉଛନ୍ତି। ଏହି ନିଆରା କ୍ଷଣକୁ ଦେଖି ସେଠାରେ ଥିବା ଲୋକ କେବଳ ଆଶ୍ଚର୍ଯ୍ୟ ହୋଇ ନାହାନ୍ତି , ଏହି ଭିଡିଓ ଏବେ ଇଣ୍ଟରନେଟରେ ମଧ୍ୟ ଭାଇରାଲ ହେଉଛି।

ଏହି ମଜାଳିଆ ଘଟଣାଟି ଚାମରାଜନଗର ଅଞ୍ଚଳରେ ଥିବା ଦେବୁ ସେଲୁନର। ସେଲୁନର ମାଲିକ ଦେବରାଜ କହିଛନ୍ତି ଯେ,ଏହି ମାଙ୍କଡ଼ ତାଙ୍କର ଏଠାରେ ରେଗୁଲାର କଷ୍ଟମର । ସେ ତାର ଦଳରୁ ଅଲଗା ହୋଇ ପ୍ରତିଦିନ ଦୋକାନକୁ ଆସେ ଏବଂ ଚୁପଚାପ ମିରର ସାମ୍ନାରେ ବସି ନିଜକୁ ଦେଖୁ ଥାଏ। ଦେବରାଜଙ୍କ କହିବାନୁସାରେ , ପ୍ରଥମେ ସେ ତାକୁ ଅନେକ ଥର ଘଉଡ଼େଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ସେ ଯାଉ ନଥିଲା , ଘଣ୍ଟା ଘଣ୍ଟା ଦୋକାନରେ ଏମିତି ବସି ରହୁ ଥିଲା।

ଗତ ଗୁରୁବାର ଯେତେବେଳେ ଏହି ମାଙ୍କଡ଼ଟି ସବୁଦିନ ପରି ସେଲୁନକୁ ଆସିଲା, ତ ଦେବରାଜ ତାକୁ ତଡ଼ିବା ବଦଳରେ ତା ସହ ମସ୍ତି କରିବାକୁ ଭାବିଲେ। ସେ ମାଙ୍କଡ଼ ନିକଟକୁ ଯାଇ ତାର କେଶରେ କଇଁଚି ଲଗେଇବାକୁ ଆରମ୍ଭ କରି ଦେଲେ। ଦେବରାଜଙ୍କୁ ଲାଗୁଥିଲା ଯେ, କଇଁଚି ଲଗାଇବା କ୍ଷଣି ଡ଼ରି ପଳାଇବ , କିନ୍ତୁ ସେ ସେପରି କିଛି କଲାନାହିଁ।ମାଙ୍କଡ଼ଟି ପୂରା ଶାନ୍ତ ଭାବେ ବସି ରହିଲା। ମଣିଷ ପରି ତାର ମୁଣ୍ଡକୁ ତଳକୁ କରି ବସି ରହିଲା, ଯେମିତି କୌଣସି ଗ୍ରାହକ କେଶ କଟେଇବା ପାଇଁ ପ୍ରସ୍ତୁତ ହୋଇ ବସିଛି।

ମାଙ୍କଡ଼ର ଏହି ବନ୍ଧୁତା ବ୍ୟବହାର ଦେଖି ଦେବରାଜ ମଧ୍ୟ ନିଜର କାମ ଜାରି ରଖି ଥିଲା ଏବଂ ତାର ଏକ ସୁନ୍ଦର ହେୟାରଷ୍ଟାଇଲ୍ କରି ଦେଲେ। ସେଲୁନରେ ଥିବା ଅନ୍ୟ ଜଣେ ଗ୍ରାହକ ଏହି ପୂରା ଘଟଣାକୁ ନିଜର ମୋବାଇଲ କ୍ୟାମେରାରେ କଏଦ କରି ଥିଲେ। ଏବେ ଏହି ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ସେୟାର କରାଯାଉଛି।