ଭୁବନେଶ୍ବର, ୩।୬ : କେନ୍ଦ୍ର କ୍ୟାବିନେଟ ବୈଠକରେ କୋଷ୍ଟାଲ ହାଇଓ୍ବେ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ଦ୍ୱାରା ରାମେଶ୍ୱରରୁ ପାରାଦୀପ ପର୍ଯ୍ୟନ୍ତ ୮ ହଜାର ୩୦୦ କୋଟି ଟଙ୍କାର ଉପକୂଳ ରାଜପଥକୁ ଅନୁମୋଦନ ମିଳିଛି।
ଓଡିଶାର ଭିତ୍ତିଭୂମି ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହେଉଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି। ଏହା ଉପକୂଳ ଜିଲ୍ଲାଗୁଡ଼ିକୁ ମଧ୍ୟରେ ଏହି ଐତିହାସିକ ପ୍ରକଳ୍ପ ସଂଯୋଗୀକରଣକୁ ସୁଦୃଢ଼ କରିବ। ପର୍ଯ୍ୟଟନ, ବାଣିଜ୍ୟ, ଲଜିଷ୍ଟିକ୍ସ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ରାଜ୍ୟର ବିକାଶ ଏବଂ ସମୃଦ୍ଧି ପ୍ରତି ସେମାନଙ୍କର ଅବିଚ୍ଛିନ୍ନ ସମର୍ଥନ ଏବଂ ପ୍ରତିବଦ୍ଧତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି।
ଉପକୂଳ ରାଜପଥ ଓଡ଼ିଶାର ଉପକୂଳ ଅର୍ଥନୀତିର ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବ। ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନର ଗୁଣବତ୍ତା ଉନ୍ନତ କରିବ। ଏହା ଓଡ଼ିଶାରେ ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଭାରତ ସରକାରଙ୍କ ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ରାମେଶ୍ୱର ଠାରୁ କୋଣାର୍କ ଦେଇ ପାରାଦୀପ' ପର୍ଯ୍ୟନ୍ତ ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ନିର୍ମାଣ କରାଯିବ । କୋଷ୍ଟାଲ ହାଇୱେର ଲମ୍ବ ୧୬୦ କିମି ରହିବ। ଏଥିପାଇଁ ୮ ହଜାର ୩୦୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରାଯାଇଛି। ରାମେଶ୍ୱର ଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ ୭୯ କିଲୋମିଟର ରାସ୍ତାକୁ ୪-ଲେନ୍ ବିଶିଷ୍ଟ ହାଇୱେ କରାଯିବ। ଏଥିପାଇଁ ୫ ହଜାର ୩୦୫ କୋଟି ଟଙ୍କା ବ୍ୟୟ ହେବ। ସେହିପରି କାକଟପୁର ଠାରୁ ପାରାଦୀପ ପର୍ଯ୍ୟନ୍ତ ପ୍ରାୟ ୮୦ କିଲୋମିଟର ରାସ୍ତାକୁ ୨-ଲେନ୍ ବିଶିଷ୍ଟ ରୋଡ୍ ଭାବେ ନିର୍ମାଣ କରାଯିବ। ଏଥିପାଇଁ ୨, ୯୯୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
କୋଷ୍ଟାଲ ହାଇଓ୍ବେ ଦ୍ବାରା ଚେନ୍ନାଇ-କୋଲକାତା ସ୍ୱର୍ଣ୍ଣମୟ ଚତୁର୍ଭୁଜ NH-316 (ଭୁବନେଶ୍ୱର-ପୁରୀ) ପାଇଁ ଏକ ବିକଳ୍ପ ମାର୍ଗ ହେବ । ଯାହା ପାରାଦୀପ ବନ୍ଦର ଏବଂ ଓଡ଼ିଶାରେ ଲଜିଷ୍ଟିକ୍ସ ଏବଂ ଶିଳ୍ପ ଅଭିବୃଦ୍ଧିକୁ ସମର୍ଥନ କରୁଥିବା ଅନ୍ୟାନ୍ୟ ଆଗାମୀ ବନ୍ଦରକୁ ସଂଯୋଗ ପ୍ରଦାନ କରିବ। ଏହା ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂପୁର ଦେଇ ଗମନାଗମନ ଦକ୍ଷତା ବୃଦ୍ଧି କରିପାରିବ। ରାମେଶ୍ୱର ଏବଂ ପାରାଦୀପ ମଧ୍ୟରେ ଗମନାଗମନ ସମୟ ପ୍ରାୟ ୨.୫ ଘଣ୍ଟା ହ୍ରାସ କରିବ। ସେହିପରି ପ୍ରମୁଖ ପର୍ଯ୍ୟଟକ ସ୍ଥଳୀ (ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ପୁରୀ ବେଳାଭୂମି) ଏବଂ ଆଗାମୀ ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ସିଧାସଳଖ ଯୋଗାଯୋଗ କରିବ।
ଆହୁରି ପଢନ୍ତୁ : ଓଡିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟରେ ମଞ୍ଜୁରୀ, ୮ ହଜାର ୩୦୦ କୋଟି ଟଙ୍କା ବ୍ୟୟବରାଦ