ଆମ ସମାଜକୁ ଏକତାର ସୂତ୍ରରେ ସୁସଂଗଠିତ କରିବା ସହ ସୁସ୍ଥ ଓ ସମୃଦ୍ଧ ବିକାଶ ପାଇଁ ଦୁଇଟି ଅତ୍ୟନ୍ତ ଆବଶ୍ୟକ ମୂଳ ତତ୍ତ୍ୱ ହେଉଛି ସମରସତା ଓ ସାମାଜିକ ନ୍ୟାୟ । ଜାତିଗତ, ଭାଷାଗତ, ବର୍ଣ୍ଣଗତ, ଲିଙ୍ଗଗତ ବିବିଧତାରେ ପୂର୍ଣ୍ଣ ସମାଜରେ, ବିବିଧତା ଆମର ଶକ୍ତି ହେଲେ ମଧ୍ୟ, ଯଦି ସମରସତା ନଥାଏ ତେବେ ଏହା ଦ୍ୱନ୍ଦ୍ୱ ଓ ଅସମ୍ମତିର କାରଣ ହୋଇପାରେ । ସେହିପରି ସମସ୍ତଙ୍କୁ ସମାନ ଅଧିକାର ଓ ସୁଯୋଗ ଦେବା ହେଉଛି ସାମାଜିକ ନ୍ୟାୟ । ଶିକ୍ଷା, ନିଯୁକ୍ତି ଓ ସ୍ୱାସ୍ଥ୍ୟସେବାରେ ସମାନ ଅବସର ସାମାଜିକ ବ୍ୟବସ୍ଥାକୁ ସୁଦୃଢ଼ କରେ । ଏହା ଆର୍ଥିକ ସ୍ଥିତି ଆଧାରରେ ମଧ୍ୟ ସମାଜର ଭେଦଭାବକୁ ଦୂର କରିଥାଏ । ଏହି ବ୍ୟବଧାନକୁ ଦୂର କରି ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗକୁ ମୁଖ୍ୟସ୍ରୋତରେ ସାମିଲ କରିବା ହେଉଛି ସାମାଜିକ ନ୍ୟାୟର ମୂଳ ଲକ୍ଷ୍ୟ । ଯେତେବେଳେ ସାମାଜିକ ନ୍ୟାୟ ପ୍ରତିଷ୍ଠା ହୁଏ, ସେତେବେଳେ ‘ସମରସତା' ବା ସାମାଜିକ ଏକତା ଓ ସଦ୍ଭାବନାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୁଏ । ଯେଉଁଠାରେ ସାମାଜିକ ନ୍ୟାୟ ରହେ ସେଠାରେ ସମରସତା ସ୍ୱତସ୍ଫୂର୍ତ୍ତ ଭାବେ ବିକଶିତ ହୁଏ ଏବଂ ଯେଉଁଠାରେ ସମରସତା ରହେ ସେଠାରେ ନ୍ୟାୟ ସ୍ଥାପିତ କରିବା ସହଜ ହୁଏ । ଏହି ଦୁଇଟି ମୂଳ ତତ୍ତ୍ୱ ମିଶି ଏକ ରାଷ୍ଟ୍ରକୁ ଶାନ୍ତିପୂର୍ଣ୍ଣ ଓ ଶକ୍ତିଶାଳୀ କରନ୍ତି ।

ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ଆମ ସରକାର ଏହାକୁ ଅନୁଭବ କରି ଓଡ଼ିଶାରେ ସମରସତା ଓ ସାମାଜିକ ନ୍ୟାୟକୁ ନବଦିଗନ୍ତ ଦେବାକୁ ଯାଉଛନ୍ତି । ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆବର୍ଗ ଶ୍ରେଣୀରେ ଥିବା କୌଣସି ଛାତ୍ରଛାତ୍ରୀ ମେଡିକାଲ ଓ ଇଞ୍ଜିନିୟରିଂ ପରି ବୃତ୍ତିଗତରୁ ବଞ୍ଚିତ ହେବେନାହିଁ, ତାହାକୁ ସୁନିଶ୍ଚିତ କରିବାକୁ ଯାଇ ପ୍ରଥମ ଥର ପାଇଁ ୧୧.୨୫% ଏସଇବିସି ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ଗତ ଏପ୍ରିଲ ୪ ତାରିଖରେ ଏହାକୁ ରାଜ୍ୟ କ୍ୟାବିନେଟର ସ୍ୱୀକୃତି ମିଳିଛି । ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ପୂର୍ଣାଙ୍ଗ ରୂପ ଦେବାକୁ ଯାଇ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି (ଏସ୍ଟି) ସଂରକ୍ଷଣ ସୀମାକୁ ୧୨%ରୁ ୨୨.୫୦%, ଅନୂସୂଚିତ ଜାତି (ଏସ୍ସି) ସଂରକ୍ଷଣ ସୀମାକୁ ୮%ରୁ ୧୬.୨୫% ବୃଦ୍ଧି କରାଯାଇଛି । ଆଇଟିଆଇ, ପଲିଟେକନିକ୍, ଇଞ୍ଜିନିଅରିଂ, ମେଡିକାଲ, ସର୍ଜରୀ, ଡେଣ୍ଟାଲ, ନର୍ସିଂ, ଫାର୍ମାସୀ, ଆୟୁର୍ବେଦିକ ଓ ହୋମିଓପାଥି ପାଠ୍ୟକ୍ରମରେ ଏହି ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ସହ କୃଷିବିଜ୍ଞାନ, ମ୍ୟାନେଜମେଣ୍ଟ, ଆର୍କିଟେକ୍ଚର ଓ ସିନୋମାଟିକ୍ ଆର୍ଟସ କ୍ଷେତ୍ରରେ ମଧ୍ୟ ଏହା ଅନୁରୂପ ଭାବେ ଲାଗୁହେବ । ତେବେ ଗତବର୍ଷ ୧୪ ମଇ ୨୦୨୫ରେ କେବଳ ଉଚ୍ଚଶିକ୍ଷା ପାଇଁ ସରକାରୀ ବିଶ୍ୱବିଦ୍ୟାଳୟ, ସ୍ନାତକ ଓ ସ୍ନାତକୋତ୍ତର ମହାବିଦ୍ୟାଳୟ, ଆଇନ ଏବଂ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନମାନଙ୍କରେ ପ୍ରଥମ ଥର ପାଇଁ ୧୧.୨୫% ଏସ୍ଇବିସି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଥିଲା ।

ଶିକ୍ଷକ କ୍ୟାଡର ସଂରକ୍ଷଣ କ୍ଷେତ୍ରରେ ଦୂରଦର୍ଶୀ ପଦକ୍ଷେପ ନେଇ ଆମ ସରକାର ଓଡ଼ିଶା ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟ ଅଧିନିୟମ-୨୦୨୬ କାର୍ଯ୍ୟକାରୀ କରିଛନ୍ତି । ଏହା ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଏବଂ ଏସ୍ଇବିସି ବର୍ଗ ଓ ମହିଳାମାନଙ୍କ ପ୍ରତିନିଧିତ୍ୱକୁ ଗୁରୁତ୍ୱ ଦେବ । ରାଜ୍ୟରେ ସରକାରୀ ବିଶ୍ୱବିଦ୍ୟାଳୟରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗଭିତ୍ତିକ ସଂରକ୍ଷଣ ପ୍ରଣାଳୀକୁ ଉଚ୍ଛେଦ କରାଯାଇ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ବିଚାର କରାଯିବ । ପୂର୍ବରୁ କୌଣସି ବିଭାଗରେ ଯଦି ଗୋଟିଏ ପଦବି ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଏ ତେବେ ସେଥିରେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନଥିଲା, ଯାହାକି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ଏସ୍ଇବିସି ବର୍ଗ ଓ ମହିଳାଙ୍କ ପାଇଁ ବଡ଼ ଅସଙ୍ଗତି ରହିଥିଲା । କିନ୍ତୁ ଏବେ ବିଶ୍ୱବିଦ୍ୟାଳୟକୁ ଏକକ ଭାବେ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ କଲେ ସମାନ ସୁଯୋଗର ପରିବେଶ ସୃଷ୍ଟିହେବ । ଗତ ୩୧ ମାର୍ଚ୍ଚରେ ଏହି ବିଧେୟକ ଉପରେ ବିଧାନସଭାରେ ମଧ୍ୟରାତ୍ର ପର୍ଯ୍ୟନ୍ତ ବ୍ୟାପକ ଆଲୋଚନା ହୋଇ ଗୃହରେ ପାରିତ ହୋଇଥିଲା । ଏହି ଅଧିନିୟମ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ସହ ଅବହେଳିତ ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବ । ମହିଳାମାନଙ୍କୁ ସମାଜର ଶୀର୍ଷସ୍ଥାନ ଦେବା ଆମ ପରମ୍ପରା ଓ ସଂସ୍କୃତିରେ ରହିଛି । ଆମେରିକା ସ୍ୱାଧୀନତାର ବହୁ ଦଶନ୍ଧି ପରେ ୧୯୨୦ରେ ଯାଇ ମହିଳାମାନଙ୍କୁ ଭୋଟ ଦେବାର ଅଧିକାର ଦେଲା । ହେଲେ ଆମ ଦେଶରେ ସ୍ୱାଧୀନତା ପୂର୍ବରୁ ମଧ୍ୟ ରାଣୀ ଲକ୍ଷ୍ମୀବାଈ, ରାଣୀ ପଦ୍ମିନୀ, ରାଣୀ ଦୁର୍ଗାବତୀ, ଅହଲ୍ୟାବାଈ ହୋଲକରଙ୍କ ପରି ମହୀୟସୀମାନେ ଶାସନଗାଦିରେ ଅଭିଷିକ୍ତ ହୋଇ ଦେଶ ଓ ଧର୍ମର ରକ୍ଷାପାଇଁ ସଂଘର୍ଷ କରିଛନ୍ତି । ତାହାକୁ ପାଥେୟ କରି ଶାସନତନ୍ତ୍ରରେ ମହିଳାଙ୍କ ସହଭାଗିତାକୁ ସମ୍ମାନ ଦେବାପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ମାର୍ଗଦର୍ଶନରେ କେନ୍ଦ୍ର ସରକାର ନାରୀଶକ୍ତି ବନ୍ଦନ ଅଧିନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦ ସେପ୍ଟେମ୍ବର ୨୦୨୩ରେ ଲୋକସଭା ଏବଂ ୨୧ ସେପ୍ଟେମ୍ବର ୨୦୨୩ରେ ରାଜ୍ୟସଭାରେ ଏହା ସର୍ବସମ୍ମତିକ୍ରମେ ପାରିତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ୧୦୬ତମ ସମ୍ବିଧାନ ସଂଶୋଧନ ଅଧିନିୟମ ଭାବରେ ସରକାରୀ ଗେଜେଟ୍ ପ୍ରକାଶିତ ହୋଇଥିଲା । ଏହା ଉପରେ ଆହୁରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପାଇଁ ଏବେ ୧୬ରୁ ୧୮ ଏପ୍ରିଲ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି ।

୨୦୨୪ ସାଧାରଣ ନିର୍ବାଚନ ଅନୁସାରେ, ଭାରତର ମୋଟ୍ ମତଦାତାମାନଙ୍କ ମଧ୍ୟରେ ୪୮.୬୨% ମହିଳା ମତଦାତା ଅଛନ୍ତି । ଦେଶରେ ମହିଳା ମତଦାତାଙ୍କ ସଂଖ୍ୟା ପ୍ରାୟ ୪୭କୋଟିରୁ ଅଧିକ । ଲିଙ୍ଗ ଭିନ୍ନତା ଧୀରେ ଧୀରେ କମୁଥିବାରୁ ପ୍ରତି ୧୦୦୦ ପୁରୁଷ ମତଦାତା ଅନୁପାତରେ ୯୪୬ ମହିଳା ଅଛନ୍ତି । ଭୋଟଦାନ ହାର ମଧ୍ୟ ଏହି ବୃଦ୍ଧିଶୀଳ ସଂଲଗ୍ନତାକୁ ପ୍ରତିଫଳିତ କରୁଛି ୨୦୨୪ରେ ୬୫.୭୮% ମହିଳା ଭୋଟ ଦେଇଥିଲେ, ଯାହା ପୁରୁଷମାନଙ୍କଠାରୁ ଅଧିକ । ୧୯୫୨ ମସିହାରେ ଲୋକସଭାରେ ୨୨ଜଣ ମହିଳା ସାଂସଦ ଥିଲେ, ଯାହା ୨୦୨୪ରେ ୭୫କୁ ବଢ଼ିଛି । ରାଜ୍ୟସଭାରେ ମହିଳାମାନେ ଏବେ ମୋଟ୍ ସଦସ୍ୟଙ୍କ ପ୍ରାୟ ୧୭% ଅଂଶର ଦାବିଦାର । ପଞ୍ଚାୟତିରାଜ ବ୍ୟବସ୍ଥାରେ ବର୍ତ୍ତମାନ ୪୬% ଅର୍ଥାତ୍ ୧୪.୫ ଲକ୍ଷରୁ ଅଧିକ ମହିଳା ନିର୍ବାଚିତ ପ୍ରତିନିଧି ସ୍ଥାନୀୟ ଶାସନରେ ଅଂଶଗ୍ରହଣ କରୁଛନ୍ତି । ଏହି ତଥ୍ୟ ଦର୍ଶାଉଛି ଯେ, ମହିଳାମାନେ କିପରି ଲୋକତାନ୍ତ୍ରିକ ପ୍ରକ୍ରିୟାରେ ଅଧିକ ସକ୍ରିୟ ହେଉଛନ୍ତି, କିନ୍ତୁ ସେହି ପରିମାଣରେ ତାଙ୍କୁ ସୁଯୋଗ ମିଳିପାରୁନଥିବା ବେଳେ ନାରୀଶକ୍ତି ବନ୍ଦନ ଅଧିନିୟମ ମହିଳାମାନଙ୍କୁ ଶାସନ କ୍ଷମତାରେ ପର୍ଯ୍ୟାପ୍ତ ସୁଯୋଗ ଦେବ । ଏହି ଅଧିନିୟମ ଲୋକସଭା ଓ ରାଜ୍ୟ ବିଧାନସଭାରେ ଏକ-ତୃତୀୟାଂଶ (୩୩%) ସ୍ଥାନ ମହିଳାଙ୍କ ପାଇଁ ସୁରକ୍ଷିତ କରିବ । ଏହା ମହିଳାମାନଙ୍କୁ କେବଳ ମତଦାତା ଭାବେ ନୁହେଁ, ବରଂ ଦେଶର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ନିଷ୍ପତ୍ତି ଗ୍ରହଣକାରୀ ଭାବେ ଗଢ଼ି ତୋଳିବାରେ ସହାୟକ ହେବ ।

"ବିଭିନ୍ନତାରେ ଏକତା ଭାରତର ବିଶେଷତା’ ସମରସତା ଓ ସାମାଜିକ ନ୍ୟାୟର ନୂତନ ସୂର୍ଯ୍ୟୋଦୟ କେବଳ ସରକାରଙ୍କ ଦ୍ୱାରା ସମ୍ଭବ ନୁହେଁ । ଏହାର ପରିଭାଷା ବଦଳିଛି, ଏଥିପାଇଁ ସମାଜର ପ୍ରତ୍ୟେକ ବ୍ୟକ୍ତିର ମାନସିକତା ପରିବର୍ତ୍ତନ ଆବଶ୍ୟକତା ଅଛି । ବର୍ତ୍ତମାନ ଏହା କେବଳ ଆଇନଗତ ଅଧିକାର ନୁହେଁ ବରଂ ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ ସଶକ୍ତିକରଣ, ରୋଜଗାର, ପ୍ରତିନିଧିତ୍ୱ, ସମସ୍ତ କ୍ଷେତ୍ରରେ ସବୁ ବର୍ଗର ଲୋକମାନଙ୍କୁ ଯୋଡ଼ିବାର ମାଧ୍ୟମ । ଯେଉଁଦିନ ଆମେ ସମସ୍ତେ ମାନବ ସମ୍ବଳର ବିକାଶ ପାଇଁ ଏକାଠି କାମ କରିବା, ସେହିଦିନ ହିଁ ସମରସତା ଓ ସାମାଜିକ ନ୍ୟାୟର ପ୍ରକୃତ ଉଦ୍ଦେଶ୍ୟ ସଫଳ ହେବ ।