ଜାତୀୟ ନବଜାଗରଣର ଏକ ମୁହୂର୍ତ୍ତ
ପ୍ରତିବର୍ଷ ଯେତେବେଳେ ନୂତନ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟର ଦ୍ୱାର ଖୋଲେ, ସେତେବେଳେ ଭାରତ ଏକ ଗଭୀର ସାମୂହିକ ସଂକଳ୍ପର ସାକ୍ଷୀ ହୁଏ । ପାହାଡ଼ ପର୍ବତଠାରୁ ଆରମ୍ଭ କରି ସମୁଦ୍ର କୂଳ ପର୍ଯ୍ୟନ୍ତ, ସହରରୁ ନେଇ ଦୂରଦୂରାନ୍ତ ଗାଁ ପର୍ଯ୍ୟନ୍ତ, ଲକ୍ଷ ଲକ୍ଷ ଶିଶୁ- ଅନେକ ସମୟରେ ବହୁ ବ୍ୟକ୍ତିଗତ ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ ନୂତନ ଉତ୍ସାହ, ନୂଆ ଆଶା ଏବଂ ଅସୀମ ସମ୍ଭାବନା ସହିତ ନିଜ ଶ୍ରେଣୀଗୃହରେ ପାଦ ଦିଅନ୍ତି । ଏହା ଏକ ଶାନ୍ତ କିନ୍ତୁ ଶକ୍ତିଶାଳୀ ଜାତୀୟ ମୁହୂର୍ତ୍ତ । ପ୍ରତିବର୍ଷ ପରି ଏହି ବର୍ଷ ମଧ୍ୟ ପ୍ରାୟ ଦୁଇ କୋଟି ଶିଶୁ ପ୍ରଥମ ଶ୍ରେଣୀରେ ପ୍ରବେଶ କରିବେ ଏବଂ ସେମାନଙ୍କ ପ୍ରତ୍ୟେକ ପଦକ୍ଷେପ ଆଶା ଓ ସାମୂହିକ ଜାତୀୟ ଦାୟିତ୍ୱକୁ ବହନ କରେ ।
ଭାରତର ବିଦ୍ୟାଳୟ ବ୍ୟବସ୍ଥା ଅତ୍ୟନ୍ତ ବିଶାଳ । ଏଥିରେ ୧୪.୭ ଲକ୍ଷରୁ ଅଧିକ ବିଦ୍ୟାଳୟ, ପ୍ରାୟ ୨୫କୋଟି ପଞ୍ଜୀକୃତ ଛାତ୍ରଛାତ୍ରୀ ଏବଂ ଏକ କୋଟିରୁ ଅଧିକ ଶିକ୍ଷକ ସାମିଲ ଅଛନ୍ତି । ଏହି ସଂଖ୍ୟାଗୁଡ଼ିକ କେବଳ ପ୍ରଶାସନିକ ସ୍ତରର ଏକ ମାପକାଠି ନୁହେଁ । ଏଗୁଡ଼ିକ ଶିକ୍ଷା ମାଧ୍ୟମରେ ଆମ ଦେଶର ଭବିଷ୍ୟତ ଗଠନ ପାଇଁ ଏକ ଦୃଢ଼ ପ୍ରତିବଦ୍ଧତାକୁ ସୂଚିତ କରେ । ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ କୌତୁହଳ, ବୁଝାମଣା ଏବଂ ସାମଗ୍ରିକ ବିକାଶକୁ ଶିକ୍ଷାର କେନ୍ଦ୍ରରେ ରଖିଛି । ଏହା ଘୋଷାପାଠ ମନେରଖିବା ଧାରାଠାରୁ ଆଗକୁ ବଢ଼ିଛି । ପ୍ରତ୍ୟେକ ଶିକ୍ଷାବର୍ଷ ସେହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ପଦକ୍ଷେପ ।
ବାଲ୍ ବାଟିକାର କାର୍ଯ୍ୟକାରିତା ସହିତ ଆଦ୍ୟ-ଶୈଶବ ଶିକ୍ଷା ଏବେ ଆନୁଷ୍ଠାନିକ ବିଦ୍ୟାଳୟ ବ୍ୟବସ୍ଥାରେ ସାମିଲ ହୋଇଛି, ଯାହା ପିଲାମାନଙ୍କୁ ଉତ୍ତମ ପ୍ରସ୍ତୁତି ଏବଂ ଦୃଢ଼ ମୌଳିକ ଦକ୍ଷତା ସହିତ ପ୍ରଥମ ଶ୍ରେଣୀରେ ପ୍ରବେଶ କରିବା ନିଶ୍ଚିତ କରିଥାଏ । ବିଦ୍ୟାଳୟରେ ଶିଶୁର ପ୍ରବେଶ, ଜ୍ଞାନ ଏବଂ ସମାଜ ସହିତ ଏକ ଆଜୀବନ ସମ୍ପର୍କର ଆରମ୍ଭକୁ ସୂଚିତ କରେ, ତେଣୁ ବିଦ୍ୟାଳୟଗୁଡ଼ିକ ଏହା ନିଶ୍ଚିତ କରିବା ଉଚିତ ଯେ ଏହି ଯାତ୍ରା ଯେପରି ଆନନ୍ଦଦାୟକ ଶିକ୍ଷା, ସୁସ୍ଥତା ଏବଂ ଏକ ଦୃଢ଼ ଆପଣାପଣ ଭାବନା ଉପରେ ଆଧାରିତ ହେବା ଆବଶ୍ୟକ ।
ବିଦ୍ୟାର୍ଥୀର ଯାତ୍ରା, ପ୍ରଥମ ପଦକ୍ଷେପରୁ ଆତ୍ମବିଶ୍ୱାସ ପର୍ଯ୍ୟନ୍ତ
ବିଦ୍ୟାଳୟର ପ୍ରଥମ ଦିନଟି କେବେ ବି ସାଧାରଣ ହୋଇନଥାଏ । ଏହା ମନରେ ଏକପ୍ରକାର ସଂକୋଚ ଏବଂ ନୂତନ ଆରମ୍ଭର ଆନନ୍ଦକୁ ବହନ କରିଥାଏ । ସେହି କୁନି କୁନି ହାତଗୁଡ଼ିକ ଅନେକ ଆବେଗକୁ ସାଉଣ୍ଟି ଧରିଥାନ୍ତି ଏବଂ ସେମାନଙ୍କ କୌତୂହଳଭରା ଆଖି ଏକ ସମ୍ପୂର୍ଣ୍ଣ ନୂତନ ଦୁନିଆକୁ ଦେଖିଥାଏ । ଯେତେବେଳେ ଶିଶୁମାନେ ନିଜକୁ ସୁରକ୍ଷିତ ଏବଂ ମୂଲ୍ୟବାନ ମନେକରନ୍ତି, ସେତେବେଳେ ସେମାନେ ନିଜ ମନକୁ ଉନ୍ମୁକ୍ତ କରିବା ଆରମ୍ଭ କରନ୍ତି । ସେମାନେ ଅଧିକ ସକ୍ରିୟ ହୁଅନ୍ତି ଏବଂ ସେମାନଙ୍କ ମଧ୍ୟରେ ଥିବା ଜିଜ୍ଞାସା ବା କୌତୂହଳ ବିକଶିତ ହୁଏ । ଆତ୍ମବିଶ୍ୱାସ ଧୀରେ ଧୀରେ କିନ୍ତୁ ସ୍ଥିର ଭାବରେ ବୃଦ୍ଧିପାଏ । ଶୈଶବର ପ୍ରାରମ୍ଭିକ ବର୍ଷଗୁଡ଼ିକ ଖେଳକୁଦ, ଅନ୍ୱେଷଣ ଏବଂ ନୂତନ ଆବିଷ୍କାର ଉପରେ କେନ୍ଦ୍ରିତ ହେବା ଉଚିତ, ଯାହା ଏକ ଆଜୀବନ ଯାତ୍ରାର ମୂଳଦୁଆ ପକାଇବ ।
ସମ୍ପର୍କର ମୂଲ୍ୟ ଅତ୍ୟନ୍ତ ଗଭୀର । ଜଣେ ଯତ୍ନଶୀଳ ଶିକ୍ଷକ ଶିଶୁର ଜୀବନର ଗତିପଥ ବଦଳାଇ ଦେଇପାରନ୍ତି । ଏକ ସହଯୋଗପୂର୍ଣ୍ଣ ଶ୍ରେଣୀଗୃହ ନିରବତାକୁ ସକ୍ରିୟ ଅଂଶଗ୍ରହଣରେ ଏବଂ ଅଂଶଗ୍ରହଣକୁ ଆତ୍ମବିଶ୍ୱାସରେ ରୂପାନ୍ତରିତ କରିପାରେ । ଯେତେବେଳେ ଜଣେ ଶିଶୁ ପ୍ରକୃତରେ ନିଜକୁ ଗୁରୁତ୍ୱପୂର୍ଣ୍ଣ ମନେକରେ ଏବଂ ତା'ର କଥା କେହି ଶୁଣୁଛନ୍ତି ବୋଲି ଅନୁଭବ କରେ, ସେତେବେଳେ ତା'ର କୌତୂହଳ ସାହସରେ ପରିଣତ ହୁଏ । ଯେଉଁ ଶିଶୁଟି ଶ୍ରେଣୀଗୃହରେ ନିଜର ଆପଣାପଣ ଅନୁଭବ କରେ, ସେ ଧୀରେ ଧୀରେ ନିଜର ସ୍ୱର ଖୋଜିବାକୁ ବା ନିଜକୁ ପ୍ରକାଶ କରିବାକୁ ଆରମ୍ଭ କରେ ।
ଏହି ପ୍ରାରମ୍ଭିକ ବର୍ଷଗୁଡ଼ିକରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ ପ୍ରତି ଏକ ଦୃଢ଼ ଜାତୀୟ ପ୍ରତିବଦ୍ଧତା ରହିଛି । ନିପୁଣ ଭାରତ ମିଶନ ମାଧ୍ୟମରେ, ଭାରତ ଏକ ସ୍ପଷ୍ଟ ଲକ୍ଷ୍ୟ ସ୍ଥିର କରିଛି: ପ୍ରତ୍ୟେକ ପିଲା ଦ୍ୱିତୀୟ ଶ୍ରେଣୀ ଶେଷ ସୁଦ୍ଧା ପଢ଼ି ବୁଝିବା ସହିତ ମୌଳିକ ଗାଣିତିକ ଦକ୍ଷତା ହାସଲ କରିବାରେ ସମର୍ଥ ହେବ । ଉତ୍ତର ମନେରଖିବା ଠାରୁ ଅବଧାରଣାଗୁଡ଼ିକୁ ବୁଝିବା ପାଇଁ ଧ୍ୟାନ ସ୍ଥାନାନ୍ତରିତ ହେବ । ଶ୍ରେଣୀଗୃହଗୁଡ଼ିକ ପିଲାମାନଙ୍କୁ କେବଳ ଉତ୍ତର କହିବା ପାଇଁ ନୁହେଁ, ପ୍ରଶ୍ନ ପଚାରିବାକୁ ପ୍ରେରଣା ଦେବା ଉଚିତ ।
ଏହି ଦୂରଦୃଷ୍ଟି କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ । କଳା, କ୍ରୀଡ଼ା ଏବଂ ମୂଲ୍ୟବୋଧ ଶିକ୍ଷା ପ୍ରକ୍ରିୟାର ଏକ ଅପରିହାର୍ଯ୍ୟ ଅଂଶ । ଶିକ୍ଷା ଏପରି ହେବା ଉଚିତ ଯାହା ଶିଶୁର ସର୍ବାଙ୍ଗୀନ ବିକାଶ କରିପାରିବ³ କେବଳ ମସ୍ତିଷ୍କର ନୁହେଁ, ବରଂ ଶରୀର ଏବଂ ହୃଦୟର ମଧ୍ୟ । ଶାରୀରିକ ପରିଶ୍ରମ ଏବଂ ପୁଷ୍ଟିକର ଖାଦ୍ୟ ବିଦ୍ୟାଳୟର ଦୈନନ୍ଦିନ ଜୀବନର ଅଭିନ୍ନ ଅଙ୍ଗ । ଜଣେ ସୁସ୍ଥ ଶିଶୁ ଅଧିକ ଭଲଭାବରେ ଶିଖିପାରେ, ସକ୍ରିୟ ଭାବରେ ଅଂଶଗ୍ରହଣ କରେ ଏବଂ ଏକ ସୁସ୍ଥ ଆତ୍ମସମ୍ମାନବୋଧ ସହିତ ବଢ଼ିଥାଏ ।
ପରିବର୍ତ୍ତିତ ପରିସ୍ଥିତିର ମୁକାବିଲା
ବିଶ୍ୱସ୍ତରରେ ପିଲାମାନଙ୍କ ଜୀବନଶୈଳୀରେ ଯଥେଷ୍ଟ ପରିବର୍ତ୍ତନ ଆସିଛି । ଖାଦ୍ୟପେୟ ଅଭ୍ୟାସରେ ପରିବର୍ତ୍ତନ ଏବଂ ଶାରୀରିକ କାର୍ଯ୍ୟକଳାପ ହ୍ରାସ ବିଭିନ୍ନ ଦେଶରେ ଏକ ଚିନ୍ତାର ବିଷୟ ପାଲଟିଛି । ଭାରତ ଏହି ଆହ୍ୱାନର ମୁକାବିଲା ଲାଗି ସକ୍ରିୟ ପଦକ୍ଷେପ ନେଉଛି । ମେଦବହୁଳତାକୁ ଦୂରକରିବା ପାଇଁ ବିଦ୍ୟାଳୟଗୁଡ଼ିକରେ ବାଧ୍ୟତାମୂଳକ ଶାରୀରିକ ଶିକ୍ଷା "ତେଲ ବୋର୍ଡ' ଏବଂ "ଚିନି ବୋର୍ଡ’ ଲଗାଇବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ପୁଷ୍ଟିକର ଗୁଣବତ୍ତା ଉପରେ ଅଧିକ ଧ୍ୟାନଦେଇ ଏକ ସୁଦୃଢ଼ ପ୍ରଧାନମନ୍ତ୍ରୀ-ପୋଷଣ ଯୋଜନା ବିଦ୍ୟାଳୟଗୁଡ଼ିକୁ ସ୍ୱାସ୍ଥ୍ୟ ଓ ସକ୍ରିୟ ଜୀବନଯାପନ ପ୍ରତି ପୁନଃନିର୍ଭରଶୀଳ କରୁଛି । ଏହି ପ୍ରୟାସଗୁଡ଼ିକର ଲକ୍ଷ୍ୟ ଏକ ଏପରି ପିଢ଼ି ଗଠନ କରିବ, ଯେଉଁମାନେ ସାମଗ୍ରିକ ବିକାଶ ନିମନ୍ତେ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତି ।
ଯଦିଓ ପ୍ରଯୁକ୍ତିବିଦ୍ୟା ଶିକ୍ଷା ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ, ତଥାପି ସୋସିଆଲ ମିଡିଆର କ୍ରମବର୍ଦ୍ଧିଷ୍ଣୁ ବ୍ୟବହାର ଦ୍ୱାରା ସ୍କ୍ରିନ୍ ଟାଇମ୍ ବୃଦ୍ଧି, ଏକାଗ୍ରତାର ଅଭାବ ଏବଂ ମାନସିକ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ ପାଉଛି । ଏହା କେବଳ ଭାରତ ପାଇଁ ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ ସମସ୍ୟା । ବିଦ୍ୟାଳୟ ଏବଂ ପରିବାରଗୁଡ଼ିକ ଏହା ନିଶ୍ଚିତ କରିବା ଉଚିତ ଯେ, ପ୍ରଯୁକ୍ତିବିଦ୍ୟା ଯେପରି ଶିକ୍ଷାଗ୍ରହଣର ଏକ ମାଧ୍ୟମ ଭାବେ ବ୍ୟବହୃତ ହୁଏ, ବିଭ୍ରାନ୍ତି ସୃଷ୍ଟି କରିବା ପାଇଁ ନୁହେଁ ।
ଏହି ଦୃଷ୍ଟିକୋଣର କେନ୍ଦ୍ରରେ ଥିବା ଉଦ୍ଦେଶ୍ୟ ହେଉଛି ଆମ ପିଲାମାନଙ୍କର ମାନସିକ ଏବଂ ଭାବନାଗତ ସୁସ୍ଥତା । ଯେଉଁ ଯୁଗରେ ପିଲାମାନେ ପୂର୍ବ ପିଢ଼ି ତୁଳନାରେ ଅଧିକ ଜଟିଳ ଏବଂ ଉତ୍ସାହଜନକ ଦୁନିଆରେ ଯାତ୍ରା କରୁଛନ୍ତି, ସେଠାରେ ବିଦ୍ୟାଳୟ ପାଠ୍ୟକ୍ରମ ଏବଂ ଶିକ୍ଷାଦାନ ବିଜ୍ଞାନ ଓ ସାମାଜିକ-ଭାବପ୍ରବଣ ଶିକ୍ଷାକୁ ଏକୀକୃତ କରିଛି, ଯାହାଦ୍ୱାରା ପିଲାମାନଙ୍କର ଯାତ୍ରାକୁ ସମର୍ଥନ କରାଯାଇପାରିବ । ନିରାପଦ, ଚାପମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ବିଦ୍ୟାଳୟ, ଅଭିଭାବକ, ଶିକ୍ଷକ ଏବଂ ସମାଜର ମିଳିତ ପ୍ରୟାସ ଆବଶ୍ୟକ ।
ଶିକ୍ଷକମାନଙ୍କ ଭୂମିକା
ସଂସ୍କାର କେବଳ ନୀତିଗତ ଦଲିଲ ମାଧ୍ୟମରେ ପିଲାମାନଙ୍କ ପାଖରେ ପହଞ୍ଚେନାହିଁ, ଏହା ଶିକ୍ଷକମାନଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୁଏ । ସେମାନେ ଶିକ୍ଷାଗତ ପରିବର୍ତ୍ତନର ପ୍ରକୃତ ସ୍ଥପତି । ଶିକ୍ଷକମାନେ ଦୃଷ୍ଟିକୋଣ ଓ ଶ୍ରେଣୀଗୃହର ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରନ୍ତି । ଶିକ୍ଷକମାନଙ୍କୁ ବହୁଭାଷୀ ପରିବେଶରେ ଶିକ୍ଷାଦାନ କରିବା ସହ ଏହା ମଧ୍ୟ ନିଶ୍ଚିତ କରିବା ଉଚିତ ଯେ ପିଲାର ମାତୃଭାଷାକୁ ସମ୍ମାନ ଦିଆଯାଉଛି ଏବଂ ଶିକ୍ଷାପାଇଁ ଏକ ଶକ୍ତିଶାଳୀ ଉପକରଣ ଭାବରେ ବ୍ୟବହାର କରାଯାଉଛି । ଏହାକୁ ମୂଲ୍ୟାଙ୍କନ କରି ଆମେ ସୁନିଶ୍ଚିତ କରୁ ଯେ ଆନୁଷ୍ଠାନିକ ଶିକ୍ଷାକୁ ପରିବର୍ତ୍ତନ ସୁଗମ, ଆତ୍ମବିଶ୍ୱାସୀ ଏବଂ ସେମାନଙ୍କ ନିଜସ୍ୱ ପରିଚୟ ଆଧାରିତ ହେବା ଆବଶ୍ୟକ । ମୁଁ ଆମର ଶିକ୍ଷକମାନଙ୍କୁ ପ୍ରତ୍ୟେକ ପିଲାର ବ୍ୟକ୍ତିତ୍ୱକୁ ସମ୍ମାନ ଦେଇ ଏବଂ ସେମାନଙ୍କ ତତ୍ତ୍ୱାବଧାନରେ ଥିବା ପ୍ରତ୍ୟେକ ବିଦ୍ୟାର୍ଥୀର ଭାବଗତ ଓ ମାନସିକ ସୁସ୍ଥତା ପ୍ରତି ଧ୍ୟାନଦେଇ ଦକ୍ଷତା-ଆଧାରିତ ଶିକ୍ଷାକୁ ପ୍ରାଥମିକତା ଦେବାକୁ ଆହ୍ୱାନ କରୁଛି ।
ଅଭିଭାବକମାନଙ୍କ ଭୂମିକା
ଶିକ୍ଷା ବିଦ୍ୟାଳୟ ଫାଟକରୁ ଆରମ୍ଭ କିମ୍ବା ଶେଷ ହୁଏନାହିଁ । ଘର ହେଉଛି ପ୍ରଥମ ଶ୍ରେଣୀଗୃହ ଏବଂ ପିତାମାତା ହେଉଛନ୍ତି ପ୍ରଥମ ଶିକ୍ଷକ । ପିଲାମାନେ ଘରେ ଯାହା ଅନୁଭବ କରିଥାନ୍ତି ତାହା ବିଦ୍ୟାଳୟରେ ସେମାନଙ୍କ ଅଧ୍ୟୟନକୁ ପ୍ରଭାବିତ କରିଥାଏ ।
ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଏବଂ ଶିଶୁର ପ୍ରଶ୍ନଗୁଡ଼ିକର ଧୈର୍ଯ୍ୟର ସହ ଉତ୍ତର ଦେବା ହେଉଛି ଜ୍ଞାନ ଆହରଣର ପିପାସାକୁ ଜାଗ୍ରତ କରିବାର କେତେକ ସୂକ୍ଷ୍ମ ପଦକ୍ଷେପ। ମୁଁ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଶିଶୁମାନଙ୍କର ସନ୍ତୁଳିତ ଆହାର, ପର୍ଯ୍ୟାପ୍ତ ନିଦ୍ରା, ଦୈନନ୍ଦିନ ଶାରୀରିକ ପରିଶ୍ରମ ଏବଂ ବାହାର ପରିବେଶ ସହ ସମ୍ପର୍କ ନିଶ୍ଚିତ କରନ୍ତୁ । ଅଭିଭାବକମାନେ ବିଦ୍ୟାଳୟ ସହିତ ସକ୍ରିୟ ଭାବେ ଜଡ଼ିତ ରହିବା ଉଚିତ ଏବଂ ଶିଶୁର ସଫଳତାକୁ କେବଳ ପରୀକ୍ଷା ଫଳାଫଳରେ ନମାପି ତା'ର ଆତ୍ମବିଶ୍ୱାସ, ଦୟାଭାବ ଏବଂ ଶିଖିବା ପ୍ରତି ଥିବା ନିରନ୍ତର ଆଗ୍ରହ ଦ୍ୱାରା ମାପିବା ଉଚିତ । ପିତାମାତା ଜଣେ ଶିଶୁକୁ ଦେଇପାରୁଥିବା ସବୁଠାରୁ ବଡ଼ ଉପହାର ହେଉଛି ଏହି ବିଶ୍ୱାସ ଯେ, ଶିକ୍ଷାଗ୍ରହଣ ହିଁ ପ୍ରକୃତରେ ଏକ ଆନନ୍ଦଦାୟକ ଅନୁଭୂତି ।
ଏକ ସାମୂହିକ ଜାତୀୟ ପ୍ରତିବଦ୍ଧତା
ଶିକ୍ଷା ଏକ ସହଭାଗୀ ପ୍ରତିବଦ୍ଧତା । ଏହା ସରକାର, ବିଦ୍ୟାଳୟ, ଶିକ୍ଷକ, ଅଭିଭାବକ ଏବଂ ସମାଜର ମିଳିତ ଦାୟିତ୍ୱ । ପ୍ରତ୍ୟେକ ଅଂଶୀଦାରଙ୍କର ଏକ ଭୂମିକା ରହିଛି । ପାଠପଢ଼ାର ଯାତ୍ରାରେ ପ୍ରତ୍ୟେକ ପିଲାଟି ପ୍ରତି ଧ୍ୟାନ ଦେବା, ତା'ର କଥା ଶୁଣିବା ଏବଂ ସହଜ ଭାବେ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଛି । ଅଧିକ ନମ୍ବର ରଖୁଥିବା କିଛି ମେଧାବୀ ଛାତ୍ରଛାତ୍ରୀ ନୁହେଁ, ବରଂ ପୃଷ୍ଠଭୂମି ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ଯେପରି ଆତ୍ମବିଶ୍ୱାସ ଓ ଆନନ୍ଦର ସହିତ ପାଠ ପଢ଼ିପାରିବ ତାହା ଆମ ଶିକ୍ଷାବ୍ୟବସ୍ଥାର ବାସ୍ତବ ପ୍ରୟାସ ହେବା ଆବଶ୍ୟକ । ଆସନ୍ତୁ ଆମେ ଏକ ସମାବେଶୀ, ଅଭିନବ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଶିକ୍ଷାବ୍ୟବସ୍ଥା ଗଠନ ଲାଗି ଆମର ଜାତୀୟ ପ୍ରତିବଦ୍ଧତାକୁ ପୁନଃପ୍ରତିଷ୍ଠା କରିବା । ଆମେ ଏକାଠି ମିଶି ପ୍ରତ୍ୟେକ ଶ୍ରେଣୀଗୃହକୁ ଏପରି ଏକ ସ୍ଥାନରେ ପରିଣତ କରିବା ଯେଉଁଠି ସ୍ୱପ୍ନ ବାସ୍ତବତାରେ ପରିଣତ ହେବ ଏବଂ ଭବିଷ୍ୟତର ନେତୃତ୍ୱଙ୍କୁ ପ୍ରସ୍ତୁତ କରାଯାଇପାରିବ । ୨୦୪୭ ସୁଦ୍ଧା ବିକଶିତ ଭାରତର ଅଗ୍ରଦୂତମାନେ ଆଜି ଆମର ଶ୍ରେଣୀଗୃହରେ ରହିଛନ୍ତି । ଆସନ୍ତୁ ସେମାନଙ୍କୁ ଉଡ଼ିବା ପାଇଁ ସ୍ୱର୍ଣ୍ଣିମ ଡେଣା ଓ ଆତ୍ମବିଶ୍ୱାସ ଦେବା ।