ମିଛ ଅଭିଯୋଗ କରି ଘରୁ ତଡ଼ି ଦେଇଥିଲେ, ଶ୍ଵଶୁର ଘର ଆଗରେ ଧାରଣା ଦେଲେ ନବବଧୂ

ସାଲେପୁର, ୨୮/୧୧ : ପତ୍ନୀର ମର୍ଯ୍ୟାଦା ଦାବିରେ ଶ୍ଵଶୁର ଘର ଆଗରେ ଧାରଣାରେ ବସିଲେ ପୁଣି ଜଣେ ନବବଧୂ। ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମରେ ଏଭଳି ଘଟଣା ଘଟିଛି। ଢେଙ୍କାନାଳ ଥାନା ଅନ୍ତର୍ଗତ ରାଧାକୃଷ୍ଣ ବଜାରର ସତ୍ୟନାରାୟଣ ମହାରଣାଙ୍କ ଝିଆ ସସ୍ମିତା ମହାରଣା ଶ୍ଵଶୁର ଘର ଆଗରେ ଧାରଣା ଦେଇଛନ୍ତି।
ସୂଚନାନୁଯାୟୀ, ସସ୍ମିତା ମହାରଣା ୨୦୨୦ ମସିହାରେ ସାଲେପୁର ଥାନା ଅନ୍ତର୍ଗତ ବାଲିସାହି ଗ୍ରାମର ସନାତନ ମହାରଣାଙ୍କ ପୁଅ ସୂସେନ୍ ମହାରଣାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିବାହ ପରେ ସସ୍ମିତା ଶ୍ଵଶୁର ଘରେ ମାତ୍ର ୩ ମାସ ରହିବା ପରେ ସ୍ଵାମୀ ଓ ଶ୍ଵଶୁର କୌଣସି କାରଣ ନଥାଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ସସ୍ମିତାଙ୍କ ନାମରେ ଏକ ମିଥ୍ୟା କେସ୍ କରି ଆଉ ଘରେ ପୂରାଇ ଦେବେ ନାହିଁ ବୋଲି କହିଥିବା ସସ୍ମିତା ଅଭିଯୋଗ କରିଛନ୍ତି। ତେବେ ବୋହୂର ମର୍ଯ୍ୟାଦା ଦାବି କରି ରବିବାର ସସ୍ମିତା ଶ୍ଵଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି। ଅପରପକ୍ଷରେ ଶ୍ଵଶୁର ଘରେ ତାଲା ଝୁଲୁଥିବା ବେଳେ ପରିବାରର ସଦସ୍ୟମାନେ କେହି ଘରେ ନଥିବା ଜଣାପଡ଼ିଛି।