ନୂଆଦିଲ୍ଲୀ: ଭାରତର ନେସନାଲ ଇନଷ୍ଟିଟ୍ୟୁଟ ଅଫ ଓସେନ ଟେକ୍ନୋଲୋଜି(ଏନଆଇଓଟି) ଓ ନେସନାଲ ସେଣ୍ଟର ଫର ପୋଲାର ଆଣ୍ଡ ଓସେନ ରିସର୍ଚ୍ଚ(ଏନସିପିଓଆର)ର ବୈଜ୍ଞାନିକ ମାନଙ୍କୁ ମିଳିଛି ବିରଳ ସଫଳତା। ଏହି ବୈଜ୍ଞାନିକ ଦଳକୁ ଭାରତ ମହାସାଗରରେ ମିଳିଛି ହାଇଡ୍ରୋଥର୍ମାଲ ସଲଫେଟ ଖଣି। ଯାହାଦ୍ୱାରା ଭାରତ ସଲଫେଟ ଉତ୍ତୋଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇପାରିବ। 

ଡିସେମ୍ବର ୨୦୨୪ର ପ୍ରଥମ ସପ୍ତାହରେ ଏହି ଅଭିଯାନ ଆରମ୍ଭ ହୋଇଥିଲା। ଏହି ଅଭିଯାନର ନାମ ସାଗର ନିଧି ରଖାଯାଇଥିଲା। ଦକ୍ଷିଣ ଭାରତ ମହାସାଗର ମଧ୍ୟ ଓ ଦକ୍ଷିଣ-ପୂର୍ବ ଅଞ୍ଚଳରେ ସମୁଦ୍ରର ୪,୫୦୦ ମିଟର ଗହିରତାରେ ଏହି ସଲଫେଟ ଖଣିର ସନ୍ଧାନ ମିଳିଛି। ଏହି ଅଞ୍ଚଳରେ ପ୍ରଥମରୁ କେବେ ସନ୍ଧାନ କାର୍ଯ୍ୟ ହୋଇନଥିବା ବେଳେ ପ୍ରଥମ ସନ୍ଧାନରେ ବୈଜ୍ଞାନିକ ଦଳକୁ ଏହି ସଫଳତା ମିଳିଛି। 

ସମୁଦ୍ରରେ ଖଣିଜ ସନ୍ଧାନ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ଅଟୋନୋମୋସ ଅଣ୍ଡର ୱାଟର ଭେଇକିଲ(ଏୟୁଭି)ଦ୍ୱାରା ସନ୍ଧାନକାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଏୟୁଭିକୁ ଏନଆଇଓଟି ଦ୍ୱାରା ନିର୍ମାଣ କରାଯାଇଥିଲା। ଡ଼. ଏନଆର ରମେଶଙ୍କ ନେତୃତ୍ୱରେ ସନ୍ଧାନକାରି ଦଳ ଏହି ଖଣିର ଚିତ୍ର ଉତ୍ତୋଳନ କରିବା ସହ ଖଣିକୁ ନେଇ ବିଭିନ୍ନ ଡାଟା ସଂଗ୍ରହ କରିଥିଲେ। 

ଗଭୀର ସମୁଦ୍ରରେ ଏହି ସନ୍ଧାନ ମିଳିବା ପରେ ଭାରତ ସମୁଦ୍ରରେ ଅନୁସନ୍ଧାନ କରି ସଫଳତା ପାଇଥିବା ସ୍ୱଳ୍ପ ଦେଶ ଗୁଡିକ ମଧ୍ୟରେ ସ୍ଥାନ ପାଇଛି। ଯାହା ଭାରତର ଏ ଦିଗରେ ଗଭୀର ଦକ୍ଷତାକୁ ପ୍ରଦର୍ଶିତ କରିଛି। ଏହି ଅନୁସନ୍ଧାନ ସମୁଦ୍ର ପତ୍ତନଠୁ ୪୦୦୦ ମିଟର ତଳେ କରାଯାଇଥିଲା। ଆସନ୍ତା ସମୁଦ୍ରଯାନ ମିଶନରେ ଏହାର କ୍ଷମତାକୁ ବଢାଯାଇ ସମୁଦ୍ର ପତ୍ତନଠୁ ୬୦୦୦ ମିଟର ତଳେ ଅମୁସନ୍ଧାନ କରାଯିବ।