ବିରଳ ମହାଜାଗତିକ ଦୃଶ୍ୟ, ଚନ୍ଦ୍ର ପାଖରେ ଶୁକ୍ର

ଭୁବନେଶ୍ୱର, ୨୫/୦୩ : ଶୁକ୍ରବାର ସନ୍ଧ୍ୟା ଆକାଶରେ ଏକ ବିରଳ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିଛି । ଚନ୍ଦ୍ର ପାଖରେ ଉଜ୍ଜ୍ୱଳ ଭାବେ ଦୃଶ୍ୟମାନ ହୋଇଛି ଶୁକ୍ର ଗ୍ରହ । ଏ ନେଇ ସ୍ପଷ୍ଟ କରିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଉପନିର୍ଦ୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ ।
ସୂର୍ଯ୍ୟ ଚାରିପଟେ ପୃଥିବୀ ୩୬୫ ଦିନରେ ଥରେ ଓ ଚନ୍ଦ୍ର ପୃଥିବୀ ଚାରିପଟେ ୨୮ ଦିନରେ ଥରେ ଘୁରିି ଆସୁଛି । ସେହିପରି ଆମକୁ ଖାଲି ଆଖିରେ ଦେଖାଯାଉଥିବା ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ମଧ୍ୟ ସୂର୍ଯ୍ୟ ଚାରିପଟେ ବୁଲନ୍ତି । ଏଗୁଡ଼ିକ ଆମକୁ ଆକାଶରେ ତାରା ଭଳି ଦେଖାଯାନ୍ତି । ଆକାଶରେ ଦେଖାଯାଉଥିବା ତାରାଗୁଡ଼ିକ ପୃଥିବୀ ପରିପ୍ରେକ୍ଷୀରେ ସେମାନଙ୍କ ସ୍ଥାନ ବଦଳାନ୍ତି ନାହିଁ । ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି ଫଳରେ ବେଳେବେଳେ ପୃଥିବୀ ସହ ଚନ୍ଦ୍ର ଓ ଉକ୍ତ ଗ୍ରହ ଏକ ସରଳରେଖାକୁ ଚାଲି ଆସନ୍ତି । ସେତେବେଳେ ଚନ୍ଦ୍ର ପଛରେ ଗ୍ରହଟି କିଛି ସମୟ ପାଇଁ ଲୁଚିଯାଏ । ଏହାକୁ ସମାବରଣ କୁହାଯାଏ ।
ଶୁକ୍ରବାର ଭାରତୀୟ ସମୟ ୪ଟା ୨୭ମିନିଟରୁ ୬ଟା ୨୭ମିନିଟ୍ ଯାଏ ଚନ୍ଦ୍ର ପଛରେ ଲୁଚିଯାଇଥିବା ଶୁକ୍ର ଗ୍ରହ ଦୃଶ୍ୟମାନ ହୋଇଥିଲା । ଏହା ଇଣ୍ଡେନେସିଆ ପୂର୍ବ ଏସିଆର କିଛି ସ୍ଥାନକୁ ଦେଖାଯାଇଥିଲା । ଓଡ଼ିଶା ଆକାଶରେ ସନ୍ଧ୍ୟା ୬ଟା ୨୦ମିନିଟ୍ରୁ ୮ଟା ୩୦ମିନିଟ୍ ଯାଏ ଚନ୍ଦ୍ରର ଖୁବ୍ ପାଖରେ ଶୁକ୍ର ଗ୍ରହ ଦେଖାଯାଇଥିଲା ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଆକାଶରେ ଦେଖାଯାଉଥିବା ଶୁକ୍ର ଗ୍ରହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।